ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ହକିର ବିଶ୍ବକପ୍ ବିପର୍ଯ୍ୟୟ ପାଇଁ ହକି କିଂବଦନ୍ତି ପିଆର ଶ୍ରୀଜେଶ ସଂଘାତିକ ପ୍ରଶ୍ନ କରିଛନ୍ତି। କେହି କ’ଣ ଭାରତୀୟ ହକିର ଯତ୍ନ ନେଉଛି ? ଦଳର ସାମଗ୍ରିକ ବିଫଳତାକୁ କଟୁ ସମାଲୋଚନା କରି ଶ୍ରୀଜେଶ ଉତ୍ତରଦାୟିତ୍ବ ଦାବି କରିଛନ୍ତି। ବିଜୟ ଅପେକ୍ଷା ‘ଶିକ୍ଷଣୀୟ’ ଉପରେ ଫୋକସ କରାଯାଉଥିବାରୁ ସେ ପ୍ରଶ୍ନ କରିଛନ୍ତି। ଦୀର୍ଘ ୪୧ ବର୍ଷ ପରେ ଭାରତକୁ ଅଲିମ୍ପିକ୍ସ ପଦକ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ଭେଟେରାନ୍ ଗୋଲକିପର୍ କହିଛନ୍ତି ଦଳ କ’ଣ ‘ଭଲ ହକି ଖେଳିବାକୁ’ ଗଠିତ ହୋଇଛି ନା ‘ଶ୍ରେଷ୍ଠ ଦଳ ବିପକ୍ଷରେ ବିଜୟୀ ହେବା’କୁ। ହକି ବିଶ୍ବକପ୍ ବିଫତଳାକୁ ଏକ ଶିକ୍ଷଣୀୟ ପର୍ଯ୍ୟାୟ ବୋଲି କୁହାଯାଇଥିବାରୁ ସେ ଏହାର ଦୃଢ଼ ବିରୋଧ କରିଛନ୍ତି। ବିଶ୍ବକପ୍ ଏକ ‘ରିହରସାଲ’ ନୁହେଁ ଯେ ଆମେ ଏହାକୁ ‘ଶିକ୍ଷଣୀୟ ଅଭିଜ୍ଞତା’ କହି ଆଳ କରିପାରିବୁ। ବିଶ୍ବକପ୍ରେ ଦୁର୍ବଳ ପ୍ରଦର୍ଶନ ପାଇଁ ଆମେ ଏସୀୟ କ୍ରୀଡ଼ାକୁ କ୍ଷମା ବିବେଚନା କରିପାରିବା ନାହିଁ।ଭାରତକୁ କ୍ରମାଗତ ଅଲିମ୍ପିକ୍ସ ପଦକ ଦେବାରେ ପ୍ରମୁଖ ଭୂମିକା ନେଇଥିବା ଶ୍ରୀଜେଶ କହିଛନ୍ତି କେହି ଜଣେ କଷ୍ଟକର ତଥା ଅଖାଡୁଆ ପ୍ରଶ୍ନକୁ ସମ୍ମୁଖୀନ ହେବା ଉଚିତ। ଆମେ କ’ଣ କେବଳ ‘ଭଲ ହକି ଖେଳିବାକୁ’ ଦଳ ଗଠନ କରୁଛୁ କି ? ଆମ ଦଳ କ’ଣ ବିଶ୍ବର ଶ୍ରେଷ୍ଠ ଦଳ ବିପକ୍ଷରେ ବିଜୟୀ ହେବାକୁ ପ୍ରସ୍ତୁତ ହେଉନାହିଁ? ସତରେ କ’ଣ କେହି ଜଣେ ଭାରତୀୟ ହକି ପ୍ରତି ଯତ୍ନଶୀଳ କି ? ବୋଲି ଶ୍ରୀଜେଶ ନିଜ ‘ଏକ୍ସ’ ଆକାଉଣ୍ଟ୍ରେ ଲେଖି ପ୍ରଶ୍ନ କରିଛନ୍ତି। କଟାକ୍ଷ କରି ପୁଣି ଲେଖିଛନ୍ତି ‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ବିଶ୍ବକପ୍ କିଛି ମାନେ ରଖେ ନାହିଁ। ଏସୀୟ କ୍ରୀଡ଼ା ଆସୁଛି, ସେଠାରେ ପଦକ ଜିତିବା ସହ ଆମେ ୨୦୨୮ ଅଲିମ୍ପିକ୍ସ ପଦକ ପାଇଁ ସ୍ବପ୍ନ ଦେଖିବା ଆରମ୍ଭ କରିପାରିବା’।
ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ସେରୋଡ ମାରିନ ବିଶ୍ବକପ୍ ପ୍ରସ୍ତୁତି ସମୟରେ ଲମ୍ବା ଛୁଟିରେ ରହିବାକୁ ନେଇ ମଧ୍ୟ ଶ୍ରୀଜେଶ ପ୍ରଶ୍ନ କରିଛନ୍ତି। ଦଳର ଚୂଡ଼ାନ୍ତ ପ୍ରସ୍ତୁତି ବେଳେ ପ୍ରଶିକ୍ଷକ ଦୂରେଇ ରହିବା ପାଇଁ କିଏ ଉତ୍ତରଦାୟୀ ବୋଲି ମଧ୍ୟ ସେ ଭୀଷଣ ସ୍ବର ଉଠାଇଛନ୍ତି। ସବୁବେଳେ ‘ଶିକ୍ଷଣୀୟ ଅଭିଜ୍ଞତା’ ଆଦିର କାହାଣୀ ବର୍ଣ୍ଣନାକୁ ଶ୍ରୀଜେଶ ତାତ୍ସଲ୍ୟ କରିଛନ୍ତି। ଏକ ଦୁର୍ବଳ ଏସୀୟ ଦଳ ବିପକ୍ଷରେ ବିଜୟ ପରେ ଏହାକୁ ‘ବଡ଼ ବିଜୟ’ ବୋଲି ଦର୍ଶାଯାଉଛି, ସମାନ ସମୟରେ ଶ୍ରେଷ୍ଠ ଦଳ ବିପକ୍ଷ ପ୍ରଦର୍ଶନକୁ ‘ଶିକ୍ଷଣୀୟ ଅଭିଜ୍ଞତା’ କୁହାଯାଉଛି ବୋଲି ଶ୍ରୀଜେଶ କହିଛନ୍ତି।

54 minutes ago
1


