ARTICLE AD BOX
ଏରସମା: ଲଘୁଚାପ ପ୍ରଭାବରେସମୁଦ୍ରଅଶାନ୍ତ ହୋଇଥିବା ବେଳେ ଏରସମା ବ୍ଲକ୍ର ରାମତରା ମୀରା ବିଚ୍ ନିକଟରେ ପୁଣିଥରେ ସମୁଦ୍ର କୂଳ ଲଂଘିଛି। ଉଚ୍ଚ ଜୁଆରରେ ସମୁଦ୍ର ପାଣି ବେଳାଭୂମି ଉପରକୁ ମାଡ଼ି ଆସିବା ସହ ଗାଁ ମୁହାଁ ହୋଇଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୁଣି ପାଣି ଜନବସତି ଓ ଚାଷଜମି ଆଡ଼କୁ ମାଡ଼ି ଆସିବା ଆଶଙ୍କା ଥିବାରୁ ପଦ୍ମପୁର, ରାମତରା, ଶିଆଳି ଓ କଳବେଦୀ ଅଞ୍ଚଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି।
ସୂଚନା ଅନୁସାରେ, ଗତବର୍ଷ ମଧ୍ୟ ରାମତରା ମୀରା ବିଚ୍ ନିକଟରେ ସମୁଦ୍ର କୂଳ ଲଂଘି ବଡ଼ ଧରଣର ମୁହାଣ ସୃଷ୍ଟି ହୋଇଥିଲା। ସମୁଦ୍ର ଢେଉର ତୀବ୍ରତା ଯୋଗୁଁ ବେଳାଭୂମିରେ ଘାଇ ସୃଷ୍ଟି ହୋଇ ଲୁଣି ପାଣି ଭିତରକୁ ପଶିବା ଆଶଙ୍କା ଦେଖାଦେଇଥିଲା। ସେତେବେଳେ ଜନସାଧାରଣଙ୍କ ଦାବି ପରେ ସରକାରଙ୍କ ପକ୍ଷରୁ ତୁରନ୍ତ ଅସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥା କରାଯାଇଥିଲା।
ସମୁଦ୍ର ଘାଇକୁ ଅଟକାଇବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ବଡ଼ ବଡ଼ ବାଲିବସ୍ତା ପକାଇବା ସହ ବଲହା ପୋତି ସମୁଦ୍ର ପାଣିକୁ ରୋକିବାକୁ ଉଦ୍ୟମ କରାଯାଇଥିଲା। ଅସ୍ଥାୟୀ ବନ୍ଧ ନିର୍ମାଣ କରି ସେତେବେଳେ ଗାଁ ଓ ଚାଷଜମିକୁ ସୁରକ୍ଷା ଦେବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ହେଲେ ଏକ ବର୍ଷ ନପୂରୁଣୁ ପୁଣି ସେହି ସ୍ଥାନରେ ସମୁଦ୍ର ନିଜର ତୀବ୍ରତା ଦେଖାଇଛି।
ଅଗଷ୍ଟ ୧୩ ଓ ୧୪ ତାରିଖରେ ଲଘୁଚାପଜନିତ ପାଣିପାଗ ପରିସ୍ଥିତିରେ ଉଚ୍ଚ ଜୁଆର ଆସିବାରୁ ପୂର୍ବରୁ ପକାଯାଇଥିବା ବାଲିବସ୍ତା ଓ ବଲହା ସମୁଦ୍ରର ପ୍ରବଳ ଢେଉକୁ ଅଟକାଇବାରେ ବିଫଳ ହୋଇଛି। ଫଳରେ ସମୁଦ୍ର ପାଣି ପୁଣି ବନ୍ଧ ଉପରକୁ ମାଡ଼ି ଆସି ଗାଁ ଆଡ଼କୁ ପ୍ରବେଶ କରିବା ଆଶଙ୍କା ସୃଷ୍ଟି କରିଛି। ସମୁଦ୍ରର ଢେଉ ବାଲିବସ୍ତା ଓ ବଲହାକୁ ଧୋଇ ନେଉଥିବାରୁ ଅସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥାର ସ୍ଥାୟିତ୍ୱ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ବାରମ୍ବାର ସମୁଦ୍ର ଘାଇ, ବଢ଼ୁଛି ଚିନ୍ତା
ସମୁଦ୍ର କୂଳ ଲଂଘନ ଯୋଗୁଁ କେବଳ ରାମତରା ନୁହେଁ, ଏହାର ପାର୍ଶ୍ୱବର୍ତ୍ତୀ ପଦ୍ମପୁର, ଶିଆଳି ଓ କଳବେଦୀ ଅଞ୍ଚଳର ଲୋକେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ଲୁଣି ପାଣି ଚାଷଜମିରେ ପଶିଲେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବା ସହ ମାଟିର ଉର୍ବରତା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିସହ ଗାଁ ଭିତରକୁ ଲୁଣି ପାଣି ପଶିଲେ ପାନୀୟ ଜଳ ସମସ୍ୟା ମଧ୍ୟ ଗୁରୁତର ହୋଇପାରେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିବର୍ଷ ବର୍ଷା ଋତୁ ଓ ଲଘୁଚାପ ସମୟରେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଉପକୂଳରେ ଚାପ ବଢ଼ୁଛି। ଅସ୍ଥାୟୀ ଭାବେ ବାଲିବସ୍ତା ପକାଇ ସମସ୍ୟାର ସମାଧାନ କରାଯାଉଥିଲେ ମଧ୍ୟ ତାହା ଦୀର୍ଘକାଳୀନ ସୁରକ୍ଷା ଦେଇପାରୁନାହିଁ। ଗତବର୍ଷ ଯେଉଁ ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପ୍ରତିରୋଧ ବ୍ୟବସ୍ଥା କରାଯାଇଥିଲା, ଏଥର ସେହି ସ୍ଥାନରେ ପୁଣି ସମୁଦ୍ର ଘାଇ ସୃଷ୍ଟି ହେବା ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ଶିଆଳି ଓଟିଡିସି ନିକଟରେ ମଧ୍ୟ ସମୁଦ୍ର ଲଂଘନ
ସେହିପରି ଶିଆଳି ଓଟିଡିସି ଗୃହ ନିକଟରେ ମଧ୍ୟ ଗତକାଲି ଓ ଆଜି ସମୁଦ୍ର କୂଳ ଲଂଘିଥିବା ଜଣାପଡ଼ିଛି। ଏହା ଫଳରେ ଶିଆଳି ଅଞ୍ଚଳରେ ମଧ୍ୟ ସମୁଦ୍ର କ୍ଷୟ ନେଇ ଚିନ୍ତା ବଢ଼ିଛି। ରାମତରା ଓ ଶିଆଳି ଉପକୂଳରେ ଏକାଧିକ ସ୍ଥାନରେ ଏଭଳି ପରିସ୍ଥିତି ଦେଖାଦେବାରୁ ତୁରନ୍ତ ବୈଜ୍ଞାନିକ ଅଧ୍ୟୟନ କରି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ବାରମ୍ବାର ସମୁଦ୍ର କୂଳ ଲଂଘନ ଓ ଘାଇ ସୃଷ୍ଟି ହେଉଥିବାରୁ ଅଞ୍ଚଳବାସୀ ଏବେ ଅସ୍ଥାୟୀ ବ୍ୟବସ୍ଥା ପରିବର୍ତ୍ତେ ସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥା ଦାବି କରିଛନ୍ତି। ସମୁଦ୍ରର ଢେଉ ଓ ଜୁଆରକୁ ଦୀର୍ଘକାଳୀନ ଭାବେ ରୋକିବା ପାଇଁ ଉପକୂଳରେ ସ୍ଥାୟୀ ପଥର ବନ୍ଧ ନିର୍ମାଣ କରାଯାଉ। ଏଥିସହ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥା, ନିୟମିତ ନିରୀକ୍ଷଣ ଓ ଆବଶ୍ୟକ ସ୍ଥାନରେ ଦୃଢ଼ ସମୁଦ୍ର ପ୍ରତିରୋଧୀ ବନ୍ଧ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି।
ସମୁଦ୍ର ଯଦି ଏଭଳି ଭାବେ ବାରମ୍ବାର କୂଳ ଲଂଘିବାକୁ ଲାଗେ, ତେବେ ଆଗାମୀ ଦିନରେ ଜନବସତି, ଚାଷଜମି ଓ ଉପକୂଳୀୟ ଭିତ୍ତିଭୂମି ପ୍ରତି ବଡ଼ ବିପଦ ସୃଷ୍ଟି ହୋଇପାରେ। ତେଣୁ ଘଟଣାକୁ କେବଳ ବର୍ଷା ଋତୁର ସାମୟିକ ସମସ୍ୟା ଭାବେ ନନେଇ ଏକ ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଦ୍ମପୁର, ରାମତରା, ଶିଆଳି ଓ କଳବେଦୀ ଅଞ୍ଚଳବାସୀ ଦାବି କରିଛନ୍ତି।
Air India: ୪ ସେକେଣ୍ଡ ପାଇଁ ନିୟନ୍ତ୍ରଣରେ ନଥିଲା ଏୟାର ଇଣ୍ଡିଆ ଫୁକେଟ୍-ଦିଲ୍ଲୀ ବିମାନ

1 day ago
4


