SCB: ଏସ୍‌ସିବିରେ ଭୂତ କାଟୁଛି ଲାଇନ୍! ୩୬ ଡିଜି ସେଟ୍‌ରେ ଡିଜେଲ୍ ହେରଫେର

53 minutes ago 1
ARTICLE AD BOX

କଟକ(ଚିରଞ୍ଜୀବୀ କର): ଏସ୍‌ସିବିରେ ଲମ୍ବା ସମୟ ଧରି ଭୂତ କାଟୁଛି ଲାଇନ୍‌! ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଯାଉଥିବାରୁ ଡିଜି(ଡିଜେଲ୍ ଜେନେରେଟର୍‌) ଘଣ୍ଟା ଘଣ୍ଟା ଚାଲୁଛି। ମାସକୁ ପାଖାପାଖି ୨ ଲକ୍ଷ ଟଙ୍କାର ଡିଜେଲ୍ ପୋଡ଼ିବା ଘଟଣାର ତଦନ୍ତ ସମୟରେ ସାଂଘାତିକ ହେରଫେର ସାମନାକୁ ଆସିଛି। ଡିଜି ଦାୟିତ୍ବରେ ଥିବା ଘରୋଇ କମ୍ପାନି ଓ ଏସ୍‌ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଏଭଳି ଜାଲ୍ ବିଲ୍ କରି ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ଦର୍ଶାଇ ଡିଜେଲ୍ କିଣା ବାବଦ ଅର୍ଥ ହଡ଼ପ କରାଯାଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। 

Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା

୩୬ ଡିଜି ସେଟ୍‌ରେ ଡିଜେଲ୍ ହେରଫେର
ମାସିକ ଖାଇଦେଉଛନ୍ତି ୧ଲକ୍ଷ ୮୫ହଜାର ଟଙ୍କା
ଘରୋଇ କମ୍ପାନି-ଏସ୍‌ସିବି କର୍ମଚାରୀଙ୍କ ଅସାଧୁ ମେଣ୍ଟ

ସୂଚନା ଅନୁଯାୟୀ, ଏସ୍‌ସିବିର ଉଭୟ କ୍ଲିନିକାଲ୍‌, ନନ୍ କ୍ଲିନିକାଲ୍, ପାରା କ୍ଲିନିକ୍‌, ସୁପର ସ୍ପେସିଆଲିଟିକୁ ନେଇ ୪୩ଟି ବିଭାଗ କାର୍ଯ୍ୟ କରୁଛି। ପ୍ରତି କୋଠା ପିଛା ଗୋଟିଏ ଲେଖାଏଁ କରି ମୋଟ ୩୬ଟି ଡିଜି(ଡିଜିଟାଲ୍ ଜେନେରେଟର) ଏସ୍‌ସିବିରେ କାର୍ଯ୍ୟକ୍ଷମ ହେଉଛି। ଟାଟା ପାୱାରର ଟିପିସିଓଡିଏଲ୍ ପକ୍ଷରୁ ଏସ୍‌ସିବିକୁ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଏସ୍‌ସିବିରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହେଲେ ଅସ୍ଥାୟୀ ଭାବେ ଏହି ଡିଜି ବ୍ୟବସ୍ଥା କରାଯାଇଛି। ଏକ ଘରୋଇ ସଂସ୍ଥାକୁ ବାର୍ଷିକ ମରାମତି ଦାୟିତ୍ବ ବା ଏଏମ୍‌ସି ଦିଆଯାଇଛି। ଚୁକ୍ତି ମୁତାବକ, ଉକ୍ତ ଘରୋଇ ସଂସ୍ଥା ପକ୍ଷରୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହେଲେ ଡିଜି ଚଳାଇବା ଏବଂ ଡିଜିରେ କୌଣସି ଯାନ୍ତ୍ରିକ ତ୍ରୁଟି ରହିଲେ ଏହାକୁ ମରାମତି ଦାୟିତ୍ବ ରହିଛି। ଡିଜିରେ ଯେଉଁ ଡିଜେଲ୍ ପଡ଼ିବ ଓ ନୂଆ ଯନ୍ତ୍ରାଂଶ ଲାଗିବ ଏହାକୁ ଏସ୍‌ସିବି କର୍ତ୍ତୃପକ୍ଷ ଯୋଗାଇବେ। ୨୦୨୫ ମେ’ ପରେ ପରେ ଯାଞ୍ଚ ସମୟରେ ଡିଜିରେ ମାସିକ ପାଖାପାଖି ୨ ହଜାର ଲିଟର୍‌ ତେଲ ପୋଡ଼ୁଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ ସେବା ସେଭଳି ଭାବେ ବିଚ୍ଛିନ୍ନ ହୋଇ ନଥିବାରୁ ଏତେ ପରିମାଣରେ ଡିଜେଲ୍ ପୋଡ଼ିବା ନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା। ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟିପିସିଓଡିଏଲ୍‌କୁ ଚିଠି ମାଧ୍ୟମରେ ପ୍ରତି ମାସରେ କେଉଁ ସମୟରେ ଏସ୍‌ସିବି ପରିସରରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହେଉଛି, ଏ ସଂକ୍ରାନ୍ତ ତଥ୍ୟ ଦେବାକୁ କୁହାଯାଇଥିଲା।

UPSC ଶତାବର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିବେ ସ୍ମାରକୀ ମୁଦ୍ରା ଓ ଡାକଟିକଟ

ଏହି ରିପୋର୍ଟ ଆସିବା ପରେ ଏସ୍‌ସିବିରେ ବହୁଦିନ ହେବ ଚାଲିଥିବା ଡିଜେଲ୍ ହେରଫେର ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଦିନ ୨ଟାରୁ ୨ଟା ୧୦ ଯାଏଁ ଯଦି ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଛି, କାଗଜପତ୍ରରେ ସକାଳ ୧୦ଟାରୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ଦର୍ଶାଯାଇଛି। ସେଥିପାଇଁ ଲମ୍ବା ସମୟ ଧରି ଡିଜି ଚାଲିଥିବା କାଗଜପତ୍ରରେ ଦର୍ଶାଯାଇଛି। ତେଣୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡିଜି ଚଲାଇବା ପାଇଁ ଡିଜେଲ୍ ମଧ୍ୟ ମଞ୍ଜୁର କରାଯାଇଛି। ଟାଟା ଓ ଏସ୍‌ସିବିର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନକୁ ନେଇ ରିପୋର୍ଟରେ ତାଳମେଳ ରହିନଥିଲା। ଜାଲିଆତି ହୋଇଥିବାରୁ ମାସିକ ୨ ହଜାର ଲିଟର ଡିଜେଲ୍‌ ବାବଦ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହାକୁ ଯେତେବେଳେ ନିୟମିତ ଭାବେ ଯାଞ୍ଚ ଆରମ୍ଭ କରାଗଲା ହଠାତ୍ ମାସିକ ତେଲ୍ ୨ ହଜାର ଲିଟରରୁ ୧୫୦ ଲିଟରକୁ ଖସିଆସିଛି। ମାତ୍ର ୧୫ ହଜାର ଟଙ୍କା ଡିଜେଲ୍‌ ବାବଦ ଖର୍ଚ୍ଚ ହେଉଥିବା ବେଳେ ମାସିକ ପାଖାପାଖି ୧ ଲକ୍ଷ ୮୫ ହଜାର ଟଙ୍କା ବଞ୍ଚିଯାଇଛି। ପରବର୍ତ୍ତୀ ସମୟରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଡିଜେଲ୍ ଦାୟିତ୍ବରେ ଯେଉଁ କର୍ମଚାରୀ ଥିଲେ ତାଙ୍କୁ ହଟାଇ ଦିଆଯାଇଥିଲା। ପୁଣି ଏବେ ତାଙ୍କୁ ଉକ୍ତ ଦାୟିତ୍ବ ଦିଆଯାଇଥିବା କୁହାଯାଉଛି। ଡିଜି ଅପରେଟର୍‌, ଆଉଟସୋର୍ସିଂ ସଂସ୍ଥା ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଅସାଧୁ ମେଣ୍ଟ ମାଧ୍ୟମରେ ଏଭଳି ବଡ଼ଧରଣର ହେରଫେର୍ ବର୍ଷବର୍ଷ ଧରି ଚାଲୁଥିବା କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.