Saras Rasa: ସରସ ରସ: ଅନ୍ଧଭକ୍ତ ଓ ଚକ୍ଷୁଷ୍ମାନ୍‌ ସମାଲୋଚକ

46 minutes ago 1
ARTICLE AD BOX

ସୁଭାଷ ପଟ୍ଟନାୟକ

ସମାଜିକ ଗଣମାଧ୍ୟମରେ ସଂପ୍ରତି ଯେଉଁ ଆକ୍ଷେପାତ୍ମକ ଶବ୍ଦଟି ବହୁଳ ବ୍ୟବହୃତ, ତାହା ହେଉଛି ‘ଅନ୍ଧଭକ୍ତ’। ଶବ୍ଦଟି ସେଇମାନଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଉଛି ଯେଉଁମାନେ ବିନା କିଛି ତର୍ଜମାରେ, ନିଜର ବିଚାରବୁଦ୍ଧି ପ୍ରୟୋଗ ନକରି ଅନ୍ୟ ଗୋଟିଏ ଚିନ୍ତାଧାରାକୁ ବା ଜଣେ ବ୍ୟକ୍ତିର କାର୍ଯ୍ୟକୁ ଠିକ୍ ବୋଲି ଗ୍ରହଣ କରି ନିଅନ୍ତି। ଏ ଆକ୍ଷେପ ଯେଉଁମାନେ କରନ୍ତି ସେମାନେ ତଥାକଥିତ ଅନ୍ଧଭକ୍ତମାନଙ୍କର ବିଶ୍ବାସ ଓ ବିଚାର ଠାରୁ ସଂପୂର୍ଣ୍ଣ ବିପରୀତ ମତ ରଖିଥାନ୍ତି। ଅର୍ଥାତ୍, ତଥାକଥିତ ଅନ୍ଧଭକ୍ତମାନଙ୍କର ବିଶ୍ବାସକୁ ସେମାନେ ବିନା କିଛି ତର୍ଜମା ଓ ବିଶ୍ଳେଷଣରେ ବିରୋଧ କରନ୍ତି ଏବଂ ତାହାର ବିପରୀତ ମତକୁ ଠିକ୍ ବୋଲି ଦର୍ଶାଇଥାନ୍ତି। ତେଣୁ ତାର୍କିକ ବିଚାରରେ ଉଭୟ ମତବାଦୀ ପରସ୍ପର ପାଇଁ ଅନ୍ଧଭକ୍ତ। ଅତଏବ ଆମେ କେହି ଚକ୍ଷୁଷ୍ମାନ୍‌ ନୁହନ୍ତି। ଆଜିର ଆଲୋଚନା ଆମର ଏ ‘ଅନ୍ଧଭକ୍ତି’କୁ ନେଇ। 

Pakistan School: ପାକିସ୍ତାନରେ ଘରୋଇ ସ୍କୁଲ ଛାତ ଭୁଶୁଡ଼ି ୩୪ ମୃତ: ସ୍କୁଲ ମାଲିକ ଗିରଫ

ମନସ୍ତତ୍ତ୍ବରେ ଗୋଟିଏ କଥା ଅଛି, ‘ନିଶ୍ଚିତତାର ବିଭ୍ରାନ୍ତି’ ବା ‘କନଫର୍ମେସନ ବାଏସ୍’। ମନ ଆମର ଯେଉଁ ସବୁ କଥାକୁ ପସନ୍ଦ କରେ ତା’ ପାଇଁ ବିଶ୍ବାସର ଦ୍ବାର ଉନ୍ମୁକ୍ତ କରିଦିଏ ମାତ୍ର ଯାହା ଆମର ପସନ୍ଦ ନୁହେଁ ତା’ ପାଇଁ ସମାଲୋଚକ ପାଲଟିଯାଏ। ତେଣୁ ଆମେ ଦୁନିଆକୁ ତା’ର ସଂପୂର୍ଣ୍ଣ ବସ୍ତୁନିଷ୍ଠତା ଆଧାରରେ ନଦେଖି ସେଥିପ୍ରତି ଆମ ମନରେ ଥିବା ଭ୍ରାନ୍ତି ବା କନଫର୍ମେସନ୍ ବାଏସ୍ ଆଧାରରେ ଦେଖିଥାଉ। ଯଦି ଆମେ କୌଣସି କଥାକୁ ବିଶ୍ବାସ କରିବାକୁ ଚାହିଁଥାଉ ତେବେ ତତ୍ ସଂପର୍କିତ ସୂଚନାକୁ ଗୋଟିଏ ରୀତିରେ ବିଶ୍ଳେଷଣ କରୁ ମାତ୍ର ବିଶ୍ବାସ କରିବାକୁ ଚାହୁଁ ନଥିଲେ ଭିନ୍ନ ଉପାୟରେ ବ୍ୟାଖ୍ୟା କରୁ। ଅର୍ଥାତ୍ ବିଶ୍ବାସ କରିବା ବା ନକରିବା ତଥ୍ୟ ପ୍ରମାଣ ଉପରେ ନିର୍ଭର ନକରି ନିର୍ଭର କରେ ଆମର ମାନସିକତା ଉପରେ। କେବେ ଚିନ୍ତା କରିଛନ୍ତି କି, କୌଣସି ଏକ କ୍ଷେତ୍ରରେ ବିଶ୍ବାସର ମୂଳ ଆଧାରଟି ଏକ ହୋଇଥିବା ସତ୍ତ୍ବେ ଆପଣ ତାହା ବିଶ୍ୱାସ କଲାବେଳେ ଅନ୍ୟ ଜଣେ ଅବିଶ୍ବାସ କରେ କେମିତି? ଏହାର ଉତ୍ତର ରହିଛି, ଆମେ ବିଷୟଟିକୁ କେଉଁ ଦୃଷ୍ଟିଭଙ୍ଗୀରେ ଦେଖୁଛୁ ତା’ ଉପରେ। ବିଶ୍ବାସ ଅଥବା ଅବିଶ୍ବାସର ପ୍ରଶ୍ନ ଆସିଲେ ଆମେ ନିଜର ମନକୁ ଦୁଇଟି ପ୍ରଶ୍ନ ପଚାରିଥାଉ। ଗୋଟିଏ ହେଉଛି, “ମୁଁ ଏକଥାକୁ ବିଶ୍ବାସ କରିବି ତ”? ଏବଂ ଅନ୍ୟ ପ୍ରଶ୍ନଟି ହେଲା, “କ’ଣ ମତେ ସତରେ ଏ କଥାକୁ ବିଶ୍ବାସ କରିବାକୁ ହେବ”? ପ୍ରଥମ ପ୍ରଶ୍ନଟି ଆସେ ବିଶ୍ବାସ କରିବାର ଇଚ୍ଛା ଥିଲେ। ସାମାନ୍ୟ କିଛି ଯୁକ୍ତିକୁ ମନ ଆମର ପ୍ରମାଣ ଭାବରେ ଥୋଇଦେଇ କଥାଟିକୁ ବିଶ୍ୱାସ କରିନିଏ। କିନ୍ତୁ ବିଶ୍ବାସ କରିବାକୁ ଚାହୁଁ ନଥିଲେ ଦ୍ବିତୀୟ ପ୍ରଶ୍ନଟି ମନକୁ ଆସେ। ମନ ଆମର ଉତ୍ତର ପାଇଁ ଯୁକ୍ତି ଖୋଜି ବୁଲେ ଏବଂ ପରିଶେଷରେ କିଛି ଯୁକ୍ତି ଦର୍ଶାଇ କଥାଟିକୁ ବିଶ୍ବାସ ନକରି ପ୍ରତ୍ୟାଖ୍ୟାନ କରିଦିଏ। ଆମେ ସମସ୍ତେ ଏହିପରି ନିଶ୍ଚିତତାର ବିଭ୍ରାନ୍ତିରେ ସର୍ବଦା ପଡ଼ିଥାଉ। ଗୋଟିଏ ଛୋଟ ଉଦାହରଣ: ଆପଣ ଜାଣନ୍ତି ଗଞ୍ଜେଇ ସେବନ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଯଦି ଆପଣ ଖବର ପାଇଲେ ଗଞ୍ଜେଇ ସ୍ବାସ୍ଥ୍ୟ ପ୍ରତି ହିତକର, ତତ୍‌କ୍ଷଣାତ୍ ମନକୁ ଆପଣ ଦ୍ବିତୀୟ ପ୍ରଶ୍ନଟି ହିଁ ପଚାରିବେ। କାରଣ ଆପଣଙ୍କ ମନ ପୂର୍ବରୁ ଗଞ୍ଜେଇ କ୍ଷତିକାରକ ବୋଲି ବିଶ୍ବାସ କରିଆସିଛି। ମନର ଏ ବିଶ୍ବାସ ସଂକଟ ହେଉଛି ‘ମୋଟିଭେଟେଡ୍ ରିଜନିଂ’ ବା ପ୍ରେରିତ ତର୍କ। ପ୍ରେରିତ ତର୍କ ଏକ ମାନସିକ ଅଭ୍ୟାସ ଯେଉଁଥିରେ ଆମ ମସ୍ତିଷ୍କ ନିଜର ପୂର୍ବ ନିର୍ଦ୍ଧାରିତ ବିଶ୍ବାସ ଆଧାରରେ ତଥ୍ୟର ପକ୍ଷପାତପୂର୍ଣ୍ଣ ପ୍ରକ୍ରିୟାକରଣ କରିଥାଏ। ପ୍ରେରିତ ତର୍କର ପ୍ରଭାବରୁ ଅସତ୍ୟ କଥାକୁ ମଧ୍ୟ ଆମେ ସହଜରେ ବିଶ୍ବାସ କରିନେଉ, ଫଳ ସ୍ବରୂପ ସମାଜରେ ନାନାବିଧ ସଂକଟର ସୂତ୍ରପାତ ହୋଇଥାଏ। ଭିଡ଼ ହିଂସା ଏବଂ ଗଣମାଧ୍ୟମର ମିଥ୍ୟା ରିପୋର୍ଟ ଆଧାରରେ ଗଣଆନ୍ଦୋଳନ ଏ ସବୁର ଉଦାହରଣ। ରାଜନୈତିକ ଦଳମାନେ ‘ମୋଟିଭେଟେଡ୍ ରିଜନିଂ’ ବଳରେ ଭୋଟରଙ୍କୁ ସହଜରେ ପ୍ରଭାବିତ କରିଥାନ୍ତି। ମନୁଷ୍ୟ ନିଜକୁ ଯେତେ ଯୁକ୍ତିଯୁକ୍ତ ଓ ବସ୍ତୁନିଷ୍ଠ ଭାବିଲେ ମଧ୍ୟ ଅନେକ ସମୟରେ ସେ ଶୁଣାକଥା ଓ ସହଜଲବ୍ଧ ଜ୍ଞାନରେ ବୁଡ଼ିରହି ବିଭ୍ରାନ୍ତିର ଶିକାର ହୋଇଯାଏ। ସୂଚନାର ଭୁଲ୍‌ ପ୍ରକ୍ରିୟାକରଣ ଓ ନିଷ୍ପତ୍ତିରେ ତ୍ରୁଟି ରହିବାର କାରଣ ହେଉଛି ଆମ ମନର ମୋଟିଭେଟେଡ୍ ରିଜନିଂ।

Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍‌ ଦୀପକେ

ମନର ବିଭ୍ରାନ୍ତିକୁ ସୁଧାରି ହେବ କେମିତି? ଏହା ସମ୍ଭବ ହେବ ଯେତେବେଳେ ଆମେ ନିଜର ଭ୍ରମାତ୍ମକ ବିଶ୍ବାସକୁ ଚିହ୍ନଟ କରି ତା’ର ପୁଷ୍ଟିଗତ ବିଭ୍ରାନ୍ତିକୁ ଜାଣିପାରିବା। କୌଣସି କଥାକୁ ବିଶ୍ବାସ କରିବା ପୂର୍ବରୁ ତାକୁ ଅବିଶ୍ବାସ କରିବା ନିମନ୍ତେ ଥିବା ତର୍କଗୁଡ଼ିକୁ ପ୍ରଥମେ ତର୍ଜମା କରନ୍ତୁ। ଠିକ୍ ସେମିତି ଅବିଶ୍ବାସ କରିବା ପୂର୍ବରୁ ବିଶ୍ବାସ କରିବାର ତର୍କମାନ ବିଶ୍ଳେଷଣ କରନ୍ତୁ। ସେମିତି ହେଲେ ‘ମୋଟିଭେଟେଡ୍ ରିଜନିଂ’ଠାରୁ ମନକୁ ଦୂରେଇ ରଖିହେବ। କୌଣସି ଏକ ତର୍କରେ ଜିତିବା ଅପେକ୍ଷା ତା’ର ସତ୍ୟତା ଜାଣିବାର ଚେଷ୍ଟା କରିବା ପ୍ରାଥମିକ କର୍ତ୍ତବ୍ୟ। ନିଜର ଭାବନାକୁ ‘ସୈନିକର ଭାବନା’ ପରି ଆତ୍ମରକ୍ଷାରେ ବ୍ୟବହାର ନକରି ଏକ ‘ସ୍କାଉଟର ଚିନ୍ତାଧାରା’ ପରି ସତ୍ୟର ଅନ୍ବେଷଣରେ ବିନିଯୋଗ କରିବା ଉଚିତ। କୌଣସି ଏକ କଥାକୁ ବିଶ୍ବାସ କରିବା ବା ନକରିବା ଏକ ସ୍ବେଚ୍ଛାକୃତ ମାନସିକ ପ୍ରକ୍ରିୟା। ମନର ଅବସ୍ଥା ଓ ଆମର ବିଷୟଟି ପ୍ରତି ଦୃଷ୍ଟିକୋଣ ଉପରେ ତାହା ନିର୍ଭରଶୀଳ। ଶୁଣା କଥା, ଗୋଷ୍ଠୀ ଓ ସାଥି ମାନଙ୍କର ପ୍ରରୋଚନା ମଧ୍ୟ ବିଶ୍ବାସକୁ ପ୍ରଭାବିତ କରିଥାଏ। ଦୁନିଆକୁ ପ୍ରତ୍ୟେକ ବ୍ୟକ୍ତି ନିଜ ଦୃଷ୍ଟିକୋଣରୁ ଦେଖିଥାନ୍ତି। କଥାଟିଏ ବିଶ୍ବାସ କରିବାର ଅର୍ଥ ତା’ ମାଧ୍ୟମରେ ମନକୁ ଦୁନିଆ ସହିତ ପରିଚିତ କରାଇବା। ତେଣୁ ବସ୍ତୁନିଷ୍ଠ ବିଶ୍ବାସ ସମସ୍ତଙ୍କର ସମାନ ନହୋଇପାରେ। ବିଶ୍ବାସକୁ ନିଜର ଅଧିକାର ଭାବିନେଲେ ହିଁ ସମସ୍ୟା ସୃଷ୍ଟିହୁଏ। ଆମେ, ଅନ୍ଧଭକ୍ତମାନଙ୍କ ଉଦ୍ଦେଶ୍ୟରେ ଯଥାର୍ଥରେ ଜଣେ କବି ଲେଖିଛନ୍ତି: “ଅନ୍ଧେ ନିକାଲତେ ହୈଁ ଚେହେରେ ସେ ମେରେ ନୁକ୍ସ / ବହରୋଁ କୋ ଶିକାୟତ୍ ହୈ କି ଗଲତ୍ ବୋଲତା ହୁଁ ମୈ”। ଏଠି ଅନ୍ଧମାନେ ଚେହେରାରୁ ମୋର ଖୁଣ ବାଛୁଛନ୍ତି, ଆଉ ବଧିର କହୁଛି ମୁଁ ଯାହା କହୁଛି ଭୁଲ୍‌ କହୁଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮

Read Entire Article
LEFT SIDEBAR AD

Hidden in mobile, Best for skyscrapers.