Mayurbhanj: ମୟୂରଭଞ୍ଜରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର: ଅଧା ସ୍କୁଲ୍‌ରେ ନାହିଁ ଶୌଚାଳୟ, ବିଦ୍ୟୁତ୍‌

1 hour ago 1
ARTICLE AD BOX

ବାରିପଦା (ବଟକୃଷ୍ଣ ବିହାରୀ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ସ୍ଥିତି ଚିନ୍ତାଜନକ। ଅଧା ସ୍କୁଲ୍‌ରେ ଶୌଚାଳୟ ଓ ଆଲୁଅ ବ୍ୟବସ୍ଥା ନାହିଁ। ଯେଉଁଠି ଶୌଚାଳୟ ଅଛି, ସେଠାରେ ପାଣିର ଅଭାବ। ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ମଧ୍ୟାହ୍ନଭୋଜନ ଓ ‘ଆସ ବିଦ୍ୟାଳୟ ଯିବା’ କାର୍ଯ୍ୟକ୍ରମ ମଧ୍ୟ ପିଲାଙ୍କୁ ସ୍କୁଲ୍‌ମୁହାଁ କରିବାରେ ସଫଳ ହୋଇପାରୁନାହିଁ। ଫଳରେ ବର୍ଷକୁ ବର୍ଷ ସ୍କୁଲରେ ପିଲାଙ୍କ ସଂଖ୍ୟା କମୁଛି।

Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨,୬୧୪ଟି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧,୧୭୫ଟି ଏବଂ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୨୯ଟି ନୋଡାଲ୍‌ ସ୍କୁଲ୍‌ ରହିଛି। ତେବେ ସେଥିମଧ୍ୟରୁ ଅଧା ସ୍କୁଲ୍‌ରେ ଶୌଚାଳୟ ନାହିଁ। ଅନେକ ସ୍କୁଲ୍‌ରେ ପାଣି ଅଭାବରୁ ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। କେଉଁଠି ପିଲାଙ୍କୁ ବାଲତିରେ ପାଣି ବୋହିବାକୁ ପଡ଼ୁଛି ତ ଆଉ କେଉଁଠି ଶୌଚ ପାଇଁ ପାଖ ବିଲ ଓ ପଡ଼ିଆକୁ ଯିବା ପାଇଁ ପଡ଼ୁଛି। ବିଶୋଇ, ଠାକୁରମୁଣ୍ଡା, ଜାମଦା, ତିରିଂ, ରାସଗୋବିନ୍ଦପୁର, କପ୍ତିପଦା ଓ ବାଙ୍ଗିରିପୋଷି ସମେତ ଅନେକ ବ୍ଲକ୍‌ରେ ଏହି ସମସ୍ୟା ଗମ୍ଭୀର। ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ଓ ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ। ଅନେକ ସ୍କୁଲ୍‌ରେ ଆଲୁଅ ବ୍ୟବସ୍ଥା ନଥିବା ସହ ଆବଶ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି। ଯାହା ପିଲାଙ୍କ ପାଠପଢ଼ା ଓ ଉପସ୍ଥାନକୁ ପ୍ରଭାବିତ କରୁଛି।

Delhi Internet Shutdown: ଇଣ୍ଟର୍‌ନେଟ୍‌ ବନ୍ଦ ଘଟଣାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

ତଥ୍ୟ ଅନୁସାରେ; ଜିଲ୍ଲାରେ ୨୦୧୭-୧୮ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୩ଲକ୍ଷ ୪୪ହଜାର ୧୧୯ ଜଣ ପିଲା ପଢ଼ୁଥିଲେ। ୨୦୧୮-୧୯ରେ ଏହି ସଂଖ୍ୟା ୩ଲକ୍ଷ ୨୪ ହଜାର ୧୧୨କୁ ଖସିଥିଲା। ୨୦୧୯-୨୦ରେ ୩ ଲକ୍ଷ ୧୧ ହଜାର ଥିବାବେଳେ ୨୦୨୦-୨୧ରେ ୨ଲକ୍ଷ ୯୮ ହଜାର ୩୨୨କୁ ହ୍ରାସ ପାଇଥିଲା। ୨୦୨୧-୨୨ରେ ଏହି ସଂଖ୍ୟା ଆହୁରି କମି ୨ଲକ୍ଷ ୮୨ହଜାର ୧୫୩ରେ ପହଞ୍ଚିଥିଲା। ସେହିପରି ୨୦୨୨-୨୩ରେ ୧୨ହଜାରରୁ ଅଧିକ, ୨୦୨୩-୨୪ରେ ୧୦ ହଜାର ଏବଂ ୨୦୨୪-୨୫ରେ ୮ ହଜାର ପିଲା ସ୍କୁଲ୍‌ ଛାଡ଼ିଥିବା କୁହାଯାଇଛି। ମୋଟାମୋଟି ଭାବେ ଗତ ୭ ବର୍ଷରେ ୭୦ ହଜାରରୁ ଅଧିକ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଅନ୍ୟପଟେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ଆହୁରି ଗମ୍ଭୀର। ଅନେକ ପିଲା ସ୍କୁଲ୍‌ ନଯାଇ ଜଙ୍ଗଲରେ ବୁଲୁଥିବାବେଳେ ଅଭିଭାବକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ସରକାରଙ୍କ ‘ଆସ ବିଦ୍ୟାଳୟ ଯିବା’ କାର୍ଯ୍ୟକ୍ରମ ସତ୍ତ୍ୱେ ସ୍ଥିତିରେ ସୁଧାର ଆସିନାହିଁ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ବିଭାଗ ସମସ୍ୟା ସମ୍ପର୍କରେ ଅବଗତ ଅଛି। ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଯେଉଁ ପିଲାମାନେ ସ୍କୁଲ୍‌ ଛାଡ଼ିଛନ୍ତି, ସେମାନଙ୍କୁ ପୁଣି ସ୍କୁଲ୍‌କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି। ତେବେ ଏନେଇ ପ୍ରଶାସନ ଅପେକ୍ଷା ଅଭିଭାବକମାନେ ଅଧିକ ସଚେତନ ହେବା ଆବଶ୍ୟକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.