ARTICLE AD BOX
କୋରାପୁଟ: ସରକାର ପରେ ସରକାର ବଦଳୁଛି। କିନ୍ତୁ କୋଟିଆକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେଉନି। ୧୯୬୮ରୁ ଚାଲିଥିବା ବିବାଦକୁ ନେଇ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ସେପଟେ ଆନ୍ଧ୍ର ମନଲୋଭା ଯୋଜନା ମାଧ୍ୟମରେ କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି। କୋଟିଆବାସୀଙ୍କୁ ଆତ୍ମନିର୍ଭରଶୀଳ ସହ ଜୀବିକା ଯୋଗାଇବା ଲାଗି ସ୍ବତନ୍ତ୍ର ଯୋଜନା ମଧ୍ୟ ହୋଇନାହିଁ। ସରକାର ଏହାକୁ ଗୁରୁତ୍ବର ସହ ନେଇ କୋଟିଆର ସାମଗ୍ରିକ ବିକାଶ ପାଇଁ କୋଟିଆ ବିକାଶ ପରିଷଦ ଗଠନ କରିବାର ଆବଶ୍ୟକତା ରହିଛି। ‘ସମ୍ବାଦ-କନକ ନ୍ୟୁଜ୍’ ପକ୍ଷରୁ କୋଟିଆରେ ଅନୁଷ୍ଠିତ ଜନମଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଆହ୍ବାନ ଦେଇଛନ୍ତି ସ୍ଥାନୀୟ ନେତୃବର୍ଗ ଓ କୋଟିଆବାସୀ।
ଜନମଞ୍ଚରେ ଅତିଥି ଭାବେ ଯୋଗଦେଇ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ କହିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ପଡ଼ୋଶୀ ରାଜ୍ୟର ଅନୁପ୍ରବେଶ ବନ୍ଦ ରହିଥିଲା। ୨୦୦୦ ମସିହାରୁ ପୁଣି ବଢ଼ିଛି। କୋଟିଆର ଆଦିବାସୀ ସରଳ ହୋଇଥିବାରୁ ଆନ୍ଧ୍ର ଖଣିଜ ସମ୍ପଦ ହାତେଇବା ପାଇଁ ଅନୁପ୍ରବେଶ କରୁଛି। ଓଡ଼ିଶା ସରକାର ଏ ଦିଗରେ ପ୍ରତିକ୍ରିୟାଶୀଳ ହେଉନାହାନ୍ତି। କୋରାପୁଟ ସାଂସଦ ସଂସଦରେ କୋଟିଆ ପ୍ରସଙ୍ଗକୁ ୪ ଥର ଉଠାଇଛନ୍ତି। ସରକାର ସଂସଦରେ ମୋସନ୍ ଆଣିଲେ ଏହାର ସମାଧାନ ହୋଇପାରିବ।
କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ କହିଥିଲେ, ବିବାଦ ଆରମ୍ଭରୁ ସେହି ସମୟର ସରକାର ଚିନ୍ତା କରିଥିଲେ କୋଟିଆର ସମାଧାନ ହୋଇପାରିଥାନ୍ତା। ଏବେ ସରକାର ସମସ୍ୟାକୁ ଗୁରୁତ୍ବର ସହ ନେବାରୁ ସର୍ବଦଳୀୟ ପ୍ରଚେଷ୍ଟାରେ ନିର୍ବାଚନକୁ ରୋକିବାରେ ସକ୍ଷମ ହୋଇଛନ୍ତି। କୋରାପୁଟ ସାଂସଦ ସଂସଦରେ ମୁଲତବୀ ପ୍ରସ୍ତାବ ଆଣିଲେ ଓଡ଼ିଶା ଓ ଆନ୍ଧ୍ର ସରକାର ମଧ୍ୟରେ ଆଲୋଚନାର ବାଟ ବାହାରିବ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ୨୦୦୬ରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିଲେ। ଉଭୟ ରାଜ୍ୟ ବିବାଦର ସମାଧାନ ଲାଗି ସଂସଦରେ ବିଲ୍ ଆଣି ନିଷ୍ପତ୍ତି ନେବା ପାଇଁ କହିଥିଲେ। ସରକାର କୋଟିଆ ପ୍ରତି ଅବହେଳା କରିବା ସହ କୋରାପୁଟ ଜିଲ୍ଲାକୁ ଅଣଦେଖା କରୁଛନ୍ତି। ବିଜେପି ସରକାର ଆସିବା ପରେ କେବିକେ ସହିତ ୨୪ଟି ଯୋଜନା ଏହି ଜିଲ୍ଲାରୁ କଟିଗଲା। ଏବେ ଟ୍ରିପଲ୍ ଇଞ୍ଜିନ ସରକାର ଅଛି। ସଂସଦରେ ବିଲ୍ ଆଣି କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତୁ। ଆନ୍ଧ୍ର ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। କୋଟିଆ କୋରାପୁଟର ସ୍ବାଭିମାନ, ଏହାକୁ ରକ୍ଷା କରିବା ପାଇଁ ଲଢ଼େଇ ଚାଲିବ।
କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା କହିଥିଲେ, ୧୯୬୮ରେ ଆନ୍ଧ୍ର ପୁଲିସ ପୋଷ୍ଟ କୋଟିଆରେ ହେବା ପରଠାରୁ ଆଇନଗତ ଲଢ଼େଇ ଚାଲିଛି। କୋଟିଆର ବିକାଶ ପାଇଁ କେବିକେ ଅର୍ଥ ଆସୁନାହିଁ। କୋଟିଆକୁ ଆପଣେଇବା ପାଇଁ କୋଟିଆ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ ହେବା ଦରକାର। ସରକାର କୋଟିଆବାସୀଙ୍କ ଆସ୍ଥାଭାଜନ ହେଲେ ଆନ୍ଧ୍ରର ଅନୁପ୍ରବେଶ କମିବ। କୋରାପୁଟ କେନ୍ଦ୍ରୀୟ ସମବାୟ ସମିତି ସଭାପତି ଈଶ୍ବରଚନ୍ଦ୍ର ପାଣିଗ୍ରାହୀ କହିଥିଲେ, ୨୦୨୧ ଓ ୨୦୨୬ରେ ସର୍ବଦଳୀୟ କମିଟି ମାଧ୍ୟମରେ ଆନ୍ଧ୍ର ନିର୍ବାଚନକୁ ବନ୍ଦ କରାଯାଇଛି। ଦୁଇ ରାଜ୍ୟର ନେତୃମଣ୍ଡଳୀ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କଲେ କୋଟିଆ ବିବାଦର ସମାଧାନ ହୋଇପାରିବ। ପ୍ରଧାନମନ୍ତ୍ରୀ ବାଲାଂଦେଶ-ଭାରତ ସୀମା ନିର୍ଦ୍ଧାରଣ ପାଇଁ ହସ୍ତକ୍ଷେପ କରୁଛନ୍ତି। ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ନିର୍ଦ୍ଧାରଣ କାହିଁକି ହୋଇପାରିବ ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ପୂର୍ବତନ ବିଧାୟକ ରଘୁରାମ ପଡାଲ କହିଥିଲେ, ଓଡ଼ିଆ ଅସ୍ମିତା କହି ବିଜେପି ସରକାରକୁ ଆସିଛି। ଏବେ ଓଡ଼ିଶା, ଆନ୍ଧ୍ର ଓ କେନ୍ଦ୍ରରେ ଗୋଟିଏ ସରକାର ରହିଛି।
ବିବାଦର ସମାଧାନ କରି କୋଟିଆ ଓଡ଼ିଶାର ବୋଲି ସରକାର ପ୍ରମାଣ କରନ୍ତୁ। ଆନ୍ଧ୍ର ମନଲୋଭା ଯୋଜନା ଦେଉଥିବା ବେଳେ ଓଡ଼ିଶା ୮ମାସ ହେବ ଭତ୍ତା ଦେଇନି। ପୂର୍ବତନ ବିଧାୟକ ପିତମ ପାଢ଼ୀ କହିଥିଲେ, କୋଟିଆରେ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଓ ଗମନାଗମନର ବିକାଶ କରାଯାଇଛି। ଆନ୍ଧ୍ର ଏଜେଣ୍ଟ ମାଧ୍ୟମରେ କୋଟିଆବାସୀଙ୍କୁ ବିଭ୍ରାନ୍ତ କରୁଛି, ଯାହାକୁ ଓଡ଼ିଶା ରୋକିପାରୁନି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ସମ୍ବାଦ-କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, କୋଟିଆ ପ୍ରସଙ୍ଗର ସମାଧାନ ପର୍ଯ୍ୟନ୍ତ ‘ସମ୍ବାଦ-କନକ ନ୍ୟୁଜ୍’ ଅଞ୍ଚଳବାସୀଙ୍କ ସହ ଲଢ଼େଇରେ ସାମିଲ ହେବ। ଲଗାତାର ଏହି ଅଞ୍ଚଳର ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ। ‘ସମ୍ବାଦ-କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଜନମଞ୍ଚ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ‘କନକ ନ୍ୟୁଜ୍’ର ଆଙ୍କର ସ୍ବସ୍ତିକା ପଣ୍ଡା।

19 hours ago
1


