ARTICLE AD BOX
ଭୁବନେଶ୍ୱର: ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ କରିବାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂୁମିକା ରହିଛି । ଗ୍ରାମାଞ୍ଚାଳର ବିଭିନ୍ନ ମୌଳିକ ସୁବିଧା ପୂରଣ କରିବାରେ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଏହି ଲକ୍ଷ୍ୟ ହାସଲ ପାଇଁ ଅଧିକ ନିଷ୍ଠା, ଦୃଢ଼ତା ଓ ସଂକଳ୍ପର ସହିତ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆଜି ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପରିଦର୍ଶନ କରି ସେଠାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର ଅଧିକାରୀ ଓ ଜିଲ୍ଲା ଏବଂ ବ୍ଲକସ୍ତରରୁ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ ।
Rural Problem: ଚାରି ଦିନ ହେଲା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଅବସ୍ଥାରେ ୫୦ରୁ ଊର୍ଦ୍ଧ୍ଵ ପରିବାର
ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ୍ ସଂପର୍କରେ ଜାଣିବା ସହିତ ବିକଶିତ ଓଡ଼ିଶା ପାଇଁ ପ୍ରମୁଖ ୩ଟି ସ୍ତମ୍ଭ ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାସ୍ତା , ସେତୁ, ବିଦ୍ୟୁତ୍ ଭିତ୍ତିଭୂମି, ରେଳପଥ, ଶିଳ୍ପ, ବିମାନ ବନ୍ଦର ଭଳି ବିଭିନ୍ନ ଭିତ୍ତିଭୂମି ବିକାଶରେ ସମୃଦ୍ଧି। ସ୍ୱାସ୍ଥ୍ୟ, ପୋଷଣ, ଦକ୍ଷତା ବିକାଶ ଓ ଶିକ୍ଷାର ଉନ୍ନତିକୁ ନେଇ ସୁସ୍ଥତା ଏବଂ ଆର୍ଥିକ ସମାନତାର ଆବଶ୍ୟକତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ । ଗ୍ରାମାଞ୍ଚଳରେ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ବୃଦ୍ଧି କରି ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) ବୃଦ୍ଧି, ମାଛ, ଅଣ୍ଡା, କ୍ଷୀର ଆଦି କ୍ଷେତ୍ରରେ ମୂଲ୍ୟଯୁକ୍ତ ଉତ୍ପାଦନ, ପର୍ଯ୍ୟଟନରେ ସମୃଦ୍ଧି ଆଦି କ୍ଷେତ୍ରରେ ସବୁବର୍ଗର ଜନସାଧାରଣଙ୍କୁ ନେଇ ଗ୍ରାମାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସବୁଦିନ ପାଇଁ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ରଣନୀତି ଆପଣାଇବା ଉପରେ ସେ ଗୁରୁତ୍ୱ ଦେବା ସହ ପରିମଳ, ସଡ଼କ , ବିଦ୍ୟୁତ ସଂଯୋଗୀକରଣ କରି ଗ୍ରାମୀଣ ବିକାଶରେ ନବ ଜାଗରଣ ଆଣିବାକୁ କହିଥିଲେ । ରାସ୍ତାର ଖାଲଖମା ମରାମତି, ବନ୍ୟା ନିୟନ୍ତ୍ରଣରେ ଯୋଗଦାନ, ଗ୍ରାମୀଣ ସୁସ୍ଥ ଓ ପରିବେଶ ସୌନ୍ଦର୍ଯ୍ୟକରଣ ଚିନ୍ତାଧାରାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ସବୁଗ୍ରାମକୁ ଇଣ୍ଟରନେଟ୍ ସଂଯୋଗୀକରଣ, ବ୍କକ୍ରେ ବିଭିନ୍ନ ଗ୍ରାମକୁ ମଡେଲ୍ ଗ୍ରାମରେ ବିକଶିତ କରିବାକୁ ପଦକ୍ଷେପ ନେବା ସହିତ ମହାପୁରୁଷ ଆଦର୍ଶ ଗ୍ରାମ କାର୍ଯ୍ୟକାରିତା, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକାରିତା ନେଇ ବିଭାଗୀୟ ସହଯୋଗ ଏବଂ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ଅଧିକ ଆକଂକ୍ଷୀ ହେବା ସହ ମନୋବଳ ସୁଦୃଢ଼ କରି କାର୍ଯ୍ୟକରିବାକୁ ସେ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିସନର ତଥା ଶାସନ ସଚିବ ଗିରୀଶ ଏସ୍ . ଏନ୍ ବିଭାଗୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ । ନିୟମିତ ସାପ୍ତାହିକ ସମୀକ୍ଷା କରାଯାଉଥିବା ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ଗ୍ରାମୀଣ ପାନୀୟ ଜଳ ମେଗା ପାଇପ୍ ଜଳ ଯୋଗାଣ ଅଧୀନରେ ୨୦୭ଟି ପ୍ରକଳ୍ପ ମଧ୍ୟରୁ ୪୩ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୮୬ଟି ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ ହୋଇଛି । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକରେ ରହୁଥିବା ସମସ୍ୟାକୁ ଦୂର କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଛୋଟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ୧୮,୭୮୨ଟି (୯୭%) ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଆଗାମୀ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ସୋଲାର ପାଇପ୍ ଜଳ ଯୋଗାଣ ଅଧୀନରେ ୬,୬୫୬ଟି (୭୪%) ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ୨୧,୩୨୪ଟି ଗ୍ରାମରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ ମାଧ୍ୟମରେ ଏବଂ ୭,୦୩୪ଟି ଗ୍ରାମରେ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି । ବିକଶିତ ଗାଁ, ବିକଶିତ ଓଡ଼ିଶା ରେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୨,୯୧୭ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିମଧ୍ୟରୁ ୨୦,୯୭୫ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୯୩୬.୨୨ କୋଟି ଟଙ୍କା ବ୍ୟୟ ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୪୨,୧୪୦ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିମଧ୍ୟରୁ ୧୬,୩୪୭ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୬୨୬.୦୬ କୋଟି ଟଙ୍କା ବ୍ୟୟ ହୋଇଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩୧୪ଟି ବ୍ଲକ୍ ମଧ୍ୟରୁ ୨୭୮ଟି ବ୍ଲକ୍ର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦନ ହୋଇଛି । ଅବଶିଷ୍ଟ ୩୬ଟି ବ୍ଲକ୍ର ଅନୁମୋଦନ ପ୍ରକ୍ରିୟା ଚାଲୁଛି । ଭିଭି-ଜି-ରାମ ଜୀ କାର୍ଯ୍ୟକାରିତାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ମଜୁରି, ସାମଗ୍ରୀ ଓ ପ୍ରଶାସନିକ ଅଂଶ ପାଇଁ ଦେୟ ପ୍ରଦାନ ଆରମ୍ଭ କରିଥିବା ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ହୋଇଥିବା ସେ ସୂଚନା ଦେଇଥିଲେ । ଏମଜିଏନଆରଜିଏସ ଅଧୀନରେ ଦାଦନ/ଜୀବିକା ପାଇଁ ବାହାରକୁ ଯିବାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ୩୦ଟି ପ୍ରବାସପ୍ରବଣ ବ୍ଲକ୍ର ୧.୨୯ ଲକ୍ଷ ପରିବାରକୁ ରାଜ୍ୟ ସହାୟତା ଅଧୀନରେ କର୍ମ ନିଯୁକ୍ତି ଯୋଗାଇ ଦିଆଯାଇଛି । ଏହା ମାଧ୍ୟମରେ ୩୫.୫୨ ଲକ୍ଷ ମାନବ-ଦିବସ ସୃଷ୍ଟି ହୋଇଛି । ୫୭୮ଟି ପରିବାର ୧୦୦ ଦିନର ନିଯୁକ୍ତି ସମ୍ପୂର୍ଣ୍ଣ କରିଛନ୍ତି । ଗତ ଦୁଇ ବର୍ଷରେ ଗ୍ରାମୀଣ ଆବାସରେ ୫,୨୪,୫୮୩ଟି ଘର ସମ୍ପୂର୍ଣ୍ଣ ହୋଇଥିବା ଏବଂ ଏଥିମଧ୍ୟରେ ପିଏମଏଓ୍ୱାଇ ଅଧୀନରେ ୩,୭୪,୦୬୦, ପିଏମ୍-ଜନମନ ଅଧୀନରେ ୩୩,୬୪୨ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୧,୧୬,୮୮୧ଟି ଘର ରହିଛି । ୯୮,୬୧୩ ଜଣ ହିତାଧିକାରୀଙ୍କୁ ୧୫୧ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ୧୬ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଏବଂ ୬ଷ୍ଠ ରାଜ୍ୟ ଅର୍ଥ ଆୟୋଗର ବିଭିନ୍ନ ବାବଦକୁ ଆର୍ଥିକ ସହାୟତା ପ୍ରଦାନ ସଂପର୍କରେ ସେ ସୂଚନା ଦେଇଥିଲେ ।
Rural Development: ନାରିଙ୍ଗିଝୋଲାକୁ ଆଦର୍ଶ ଗାଁ କରିବାକୁ ଜିଲ୍ଲାପାଳଙ୍କ ଗୁରୁତ୍ବ
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲାସ୍ତରରେ ସମସ୍ତ ଜିଲ୍ଲାର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ଲକରେ ବିଡିଓ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ସମେତ ବ୍ଲକ୍ସ୍ତରୀୟ ଅନ୍ୟ ବିଭିନ୍ନ ବିଭାଗୀୟ ସଂପ୍ରସାରଣ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।

17 hours ago
5


