ARTICLE AD BOX
ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲା ଅନ୍ତର୍ଗତ ପୂର୍ବଘାଟ ପର୍ବତମାଳାରେ ରହିଛି ଅାନାମାଲାଇ ପର୍ବତ ଶୃଙ୍ଖଳା। କୃଷ୍ଣାନଦୀର ଦକ୍ଷିଣପାର୍ଶ୍ବରେ ଥିବା ଏହି ପର୍ବତଶ୍ରେଣୀ ତିରୁପତିଠାରୁ ଶ୍ରୀଶୈଳମ୍ ପର୍ଯ୍ୟନ୍ତ ପ୍ରଲମ୍ବିତ। ଏହାକୁ ଶ୍ରୀଶେଷନାଗଙ୍କର ଶରୀର କୁହାଯାଏ। ତାହାଙ୍କର ଫଣା ତିରୁପତିରେ ଥିଲାବେଳେ ଲାଞ୍ଜ ରହିଛି ଶୃଙ୍ଗେରୀରେ। ମଧ୍ୟଭାଗରେ ରହିଛି ଭେଦଗିରି (ଭେଦାଦ୍ରି) ଓ ଗରୁଡ଼ାଦ୍ରି। ଏହା ଉପରେ ରହିଛନ୍ତି ଅହୋ ବିଳମ୍ର ଜ୍ବାଳା ନରସିଂହ।
Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!
କଥିତ ଅଛି, ଏହି ନରସିଂହ ସ୍ବୟଂଭୂ ଅଟନ୍ତି। ଏ ସଂପର୍କରେ ଏକ ବର୍ଣ୍ଣନା ମିଳେ ଯେ ଏକଦା ଗରୁଡ଼ ଭଗବାନ ବିଷ୍ଣୁଙ୍କର ନୃସିଂହ ରୂପ ସ୍ବଚକ୍ଷୁରେ ଦର୍ଶନ କରିବା ନିମିତ୍ତ ହଜାରେ ବର୍ଷ ତପସ୍ୟାରେ ରତ ରହିଲେ। ବିଷ୍ଣୁ ଦିନେ ତାଙ୍କୁ ନିକଟସ୍ଥ ଏକ ଗୁମ୍ଫାରେ ନରସିଂହ ବିଷ୍ଣୁଙ୍କୁ ଦର୍ଶନ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ। ଗରୁଡ଼ ଖୋଜି ଖୋଜି ଯାଇ ଭେଦଗିରିରେ ପହଞ୍ଚିଲେ। ସେଠାରେ ସେ ନୃସିଂହ ସ୍ବାମୀଙ୍କର ରୁଦ୍ରରୂପ ଦର୍ଶନ କରି ଗାଇ ଉଠିଲେ- “ଅହୋ ବୀର୍ଯ୍ୟ, ଅହୋ ଶୌର୍ଯ୍ୟ, ଅହୋ ବହୁ ପରାକ୍ରମମ୍। ନରସିଂହ ପରମ ଦୈବମ୍ ଅହୋ ବିଳମ୍, ଅହୋ ବିଳମ୍। ସେହି ଗୁମ୍ଫା ଆଜିର ଜ୍ବାଳା ନରସିଂହସ୍ବାମୀ ମନ୍ଦିର। ଯାହା ଅହୋ ବିଳମ୍ ବା ବିରାଟ ଗୁମ୍ଫା, ଅଚଳ ଛାୟାମେରୁ ଓ ଭେଦାଦ୍ରି ଭାବରେ ପ୍ରସିଦ୍ଧ।
‘ବ୍ରହ୍ମାଣ୍ଡପୁରାଣ’ ଅନୁସାରେ ଏହି ଘଞ୍ଚ ଅରଣ୍ୟ ଖଚିତ ପର୍ବତ, ଆକାଶଗଙ୍ଗା ପ୍ରବାହ ତଥା କୃଷ୍ଣା ନଦୀ ତୀରରେ ଥିବା ସ୍ଥାନଟି ଅସୁରରାଜ ହିରଣ୍ୟକଶିପୁର ରାଜ୍ୟ ରାଜଧାନୀ ଥିଲା। ଏହିଠାରେ ସ୍ତମ୍ଭରୁ ବାହାରି ଉଗ୍ରରୂପ ଧାରଣ କରି ବିଦାରଣନୃସିଂହ ହିରଣ୍ୟକଶିପୁର ବକ୍ଷ ବିଦାରଣ କରିଥିଲେ। ସେହି ଅନୁସାରେ ଏଠାରେ ଥିବା ଜ୍ବାଲା ନରସିଂହଙ୍କ ମୂର୍ତ୍ତି ବିରାଜିତ। ଏହି ବିଗ୍ରହ ଅଷ୍ଟଭୁଜ ବିଶିଷ୍ଟ। ଦୁଇ ହାତରେ ସେ ହିରଣ୍ୟକଶିପୁର ପାଦ ଓ ମସ୍ତକକୁ ନିଜ କୋଳରେ ଧାରଣ କରିଛନ୍ତି। ଦୁଇ ହାତର ନଖଦ୍ବାରା ତାହାର ବକ୍ଷ ବିଦାରଣ କରୁଛନ୍ତି। ଦୁଇହାତରେ ତା’ର ଅନ୍ତନାଡ଼ିକୁ ଧରି ମାଳାଆକାରରେ ଧାରଣ କରୁଛନ୍ତି ଏବଂ ଶେଷ ଦୁଇହାତରେ ଶଙ୍ଖ ଏବଂ ଚକ୍ର ଧାରଣ କରିଛନ୍ତି। ତାଙ୍କର ଦୁଇପାର୍ଶ୍ବରେ ସ୍ତମ୍ଭାକାର ସ୍ଥାଣୁ ନୃସିଂହ ଓ ହିରଣ୍ୟ ସହ ଯୁଦ୍ଧରତ ବୀରନୃସିଂହଙ୍କ ବିଗ୍ରହ ରହିଛି। ଜ୍ବାଳା ନୃସିଂହ ବିଗ୍ରହଙ୍କର ବାମପାର୍ଶ୍ବରେ ଅଙ୍ଗାରକ, ମଙ୍ଗଳ ଆଦି ଗ୍ରହ ରହିଥିଲାବେଳେ ଅନ୍ୟ ପାଖରେ ଅସୁରକୁଳଗୁରୁ ଶୁକ୍ରାଚାର୍ଯ୍ୟ ରହିଛନ୍ତି। ପାଦ ପାଖରେ ପ୍ରହଲାଦ ଯୋଡ଼ହସ୍ତରେ ଦଣ୍ଡାୟମାନ।
ପିଲାଙ୍କୁ ଶୁଣାନ୍ତୁ ଏହି ସବୁ କାହାଣୀ
ଏହି ମନ୍ଦିର ନିକଟସ୍ଥ ପାହାଡ଼ ଉପରେ ଏକ ପୁଷ୍କରିଣୀ ରହିଛି। କଥିତ ଅଛି, ହିରଣ୍ୟ ବଧ ପରେ ମହାପ୍ରଭୁ ନିଜର ରକ୍ତରଞ୍ଜିତ ହସ୍ତକୁ ଏଠାରେ ଧୌତ କରିଥିଲେ। ଏହି ପୁଷ୍କରିଣୀର ଜଳ ଅତ୍ୟନ୍ତ ସ୍ବଚ୍ଛ ଓ ମଧୁର। ବହୁ କଷ୍ଟ ସ୍ବୀକାର କରି ଯାତ୍ରୀମାନେ ଏହି ପର୍ବତ ଆରୋହଣ କରି ଏଠାରେ ପହଞ୍ଚିଥା’ନ୍ତି। କାର୍ତ୍ତିକ ମାସରେ ଏଠାରେ ଦୀପଦାନ କରିବାକୁ ବହୁ ଭକ୍ତ ଆସିଥା’ନ୍ତି। ଫାଲଗୁନ ମାସର ବ୍ରହ୍ମୋତ୍ସବ ଏହାର ଏକ ମୁଖ୍ୟ ପର୍ବ। ମାତ୍ର ପ୍ରତ୍ୟେକ ମାସର ସ୍ବାତୀ ନକ୍ଷତ୍ର ଯୋଗରେ ଏଠାରେ ଗ୍ରାମୋତ୍ସବ ଅନୁଷ୍ଠିତ ହୁଏ। ସେହିଦିନ ୧୦୮ କଳସ ଜଳରେ ଅଭିଷେକ ମଧ୍ୟ ହୋଇଥାଏ। ଏହି ନୃସିଂହ ମନ୍ଦିର ନବନୃସିଂହ ମନ୍ଦିର ଭାବରେ ଖ୍ୟାତିଲାଭ କରିଥିବା ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ନବନୃସିଂହ ହେଉଛନ୍ତି- ଅହୋବିଳ, ଭାର୍ଗବ, ଯୋଗାନନ୍ଦ, ଛତ୍ରବଟ, କ୍ରୋଡ଼ (ବରାହ), କରଞ୍ଜ, ମାଲୋଲ, ପାବନ ଓ ଜ୍ବାଳା ନୃସିଂହ। ଏହି ପ୍ରତ୍ୟେକ ନୃସିଂହ ଭଗବାନ ବିଷ୍ଣୁଙ୍କର ନୃସିଂହ ଅବତାରଙ୍କର ଏକ ଏକ ଭାବମୂର୍ତ୍ତିକୁ ନେଇ ବିରାଜମାନ। ତେଣୁ ଆନ୍ଧ୍ରପ୍ରଦେଶର ଅହୋ ବିଳମ୍ର ଅନ୍ୟନାମ ନବନୃସିଂହ କ୍ଷେତ୍ର।
-ଡକ୍ଟର ତୁଳସୀ ଓଝା

1 day ago
5


