Ratha yatra: ହେ ବ୍ରହ୍ମଣସ୍ପତି! ଆସନ୍ତୁ, ରଥରେ ବିଜେ ହୁଅନ୍ତୁ

1 hour ago 1
ARTICLE AD BOX

ଶ୍ରୀଜଗନ୍ନାଥ ବୈଦିକ ଦେବତା। ସେ ପୁଣି ଲୋକଦେବତା। ଗୋଟିଏ ପ୍ରସିଦ୍ଧ ସଂସ୍କୃତ ଶ୍ଳୋକରେ ତାଙ୍କ ସଂପର୍କରେ କୁହାଯାଇଛି– ସେ ଜନସମାଜରେ ଓ ବେଦରେ ପୁରୁଷୋତ୍ତମ ନାମରେ ପ୍ରଖ୍ୟାତ। ପୁରୁଷୋତ୍ତମ ନାମରେ ପ୍ରଖ୍ୟାତ ଏହି ଦାରୁଦେବତା ସ୍ବୟଂ ବ୍ରହ୍ମରୂପ ହେଲେ ମଧ୍ୟ ମାନବୀୟ ଲୀଳା କରିବାପାଇଁ ଏହି ଦାରୁରୂପ ଗ୍ରହଣ କରିଛନ୍ତି। ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ରେ ଏହାର ପ୍ରମାଣ ଅଛି।

ଏହି ପୁରାଣରେ ବର୍ଣ୍ଣିତ ଶ୍ରୀପୁରୁଷୋତ୍ତମଙ୍କ ଆବିର୍ଭାବର କାହାଣୀ କହେ–‌ଶ୍ବେତଦ୍ବୀପବାସୀ ଶ୍ରୀବିଷ୍ଣୁଙ୍କ ଶରୀରରୁ ଏକ ରୋମ ସ୍ଖଳିତ ହୋଇ ଦିବ୍ୟଦାରୁଙ୍କ ରୂପ ନେଇଥିଲା ଏବଂ ସେହି ଦିବ୍ୟଦାରୁ ହିଁ ଦକ୍ଷିଣ ସମୁଦ୍ର ତଟରେ ଭାସମାନ ଅବସ୍ଥାରେ ଆବିର୍ଭୂତ ହୋଇଥିଲେ। ଦିବ୍ୟବାଣୀ ଅନୁସାରେ, ଜଣେ ଶସ୍ତ୍ରଧାରୀ ବୃଦ୍ଧବର୍ଦ୍ଧକୀ ଆବିର୍ଭୂତ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କର ବିଗ୍ରହ ଗୋପନରେ ନିର୍ମାଣ କରିଥିଲେ। ସେହି ଅନୁସାରେ, ପ୍ରତି ନବକଳେବରରେ ଦିବ୍ୟଦାରୁଙ୍କର ଚୟନ କରାଯାଇ ଗୋପନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ବିଗ୍ରହ  ନିର୍ମାଣ କରାହୋଇଅାସୁଛି।

ଏହି ଚତୁର୍ଦ୍ଧାମୂର୍ତ୍ତି ବା ଦାରୁବ୍ରହ୍ମ ଯେ ବେଦବର୍ଣ୍ଣିତ ‘ବ୍ରହ୍ମଣସ୍ପତି’ ଏହାର ପ୍ରମାଣ ମିଳେ ନବକଳେବରର ଏକ ବିଧିରୁ। ବିଧିମତେ ଦାରୁ ସଂଗ୍ରହ ପରେ, ଅନାବଶ୍ୟକ ଅଂଶକୁ ବାଦ୍‌ ଦିଆଯାଇ କେବଳ ବିଗ୍ରହଯୋଗ୍ୟ ଦାରୁଙ୍କୁ ବିଧିମତେ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠର କାରୁଶାଳାକୁ ଅଣାଯାଏ। ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଶଗଡ଼ିରେ ସେମାନଙ୍କୁ ଅଣାଯାଇଥାଏ। ଦାରୁମାନଙ୍କୁ ଶଗଡ଼ିରେ ବିଜେ କରାଇବା ପୂର୍ବରୁ ଶଗଡ଼ିକୁ ବିଧିମତେ ପ୍ରତିଷ୍ଠା କରାଯାଏ। ତାହା ପରେ ଯାଇ ସେମାନଙ୍କୁ ଶଗଡ଼ିରେ ବିଜେ କରାଯାଏ। ଏ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି–ସଂଗୃହୀତ ଏହି ଦିବ୍ୟଦାରୁମାନଙ୍କୁ ଉଠାଇ ଶଗଡ଼ିରେ ବିଜେ କରାଇବାବେଳେ କୁହାଯାଇଥାଏ–‘‘ଉତ୍ତିଷ୍ଠ ବ୍ରହ୍ମଣସ୍ପତେ!’’ ଅର୍ଥାତ୍ ହେ ବ୍ରହ୍ମଣସ୍ପତି! ଉଠନ୍ତୁ!’’

ବିଶିଷ୍ଟ ବେଦଭାଷ୍ୟକାର ସାୟଣାଚାର୍ଯ୍ୟ ‘ଋଗ୍‌ବେଦ ସଂହିତା’ର ‘‘ଅଦୋ ଯଦ୍ଦାରୁ ପ୍ଳବତେ...’’ ଶ୍ଳୋକର ବ୍ୟାଖ୍ୟା କରି, ସିନ୍ଧୁତଟରେ ଭାସମାନ ଅପୌରୁଷେୟ ଦାରୁଙ୍କୁ ପୁରୁଷୋତ୍ତମାଖ୍ୟ ଦେବତାଙ୍କର ଶରୀର ବୋଲି କହିଛନ୍ତି। କାତ୍ୟାୟନ କହିଛନ୍ତି–ଏହି ମନ୍ତ୍ରର ଦେବତା ହେଉଛନ୍ତି ‘ବ୍ରହ୍ମଣସ୍ପତି’। ଆଚାର୍ଯ୍ୟ ‌େଶୗନକ ମଧ୍ୟ ‘ବୃହଦ୍ଦେବତା’ ଗ୍ରନ୍ଥରେ ତାହାହିଁ କହିଛନ୍ତି। ସେହି ବୈଦିକ ଅାଧାର ଅନୁସାରେ, ବ୍ରହ୍ମଦାରୁଙ୍କୁ ‘ବ୍ରହ୍ମଣସ୍ପତି’ ରୂପେ ସମ୍ବୋଧନ କରାଯିବାର ବିଧି ରହିଛି। ରଥଯାତ୍ରା ସେହି ‘ବ୍ରହ୍ମଣସ୍ପତି’ଙ୍କର ଯାତ୍ରା। ତେଣୁ ତାଙ୍କୁ ରଥକୁ ନିଆଯିବା ବେଳେ ପ୍ରାର୍ଥନା କରାଯାଏ–ହେ ବ୍ରହ୍ମଣସ୍ପତି! ଆସନ୍ତୁ! ରଥରେ ବିଜେ ହୁଅନ୍ତୁ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.