Rath Yatra: ସହରରୁ ଗାଁ ୯ ଦିନ ଟଣାହୁଏ ରଥ

4 hours ago 1
ARTICLE AD BOX

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଓଡ଼ିଆ ରଥଯାତ୍ରା ପରମ୍ପରା ଅନୁସାରେ, ଶ୍ରୀ ସୁଦର୍ଶନଙ୍କ ସହ ତିନି ଠାକୁର ଶ୍ରୀମନ୍ଦିର ଛାଡ଼ି ରଥାରୂଢ଼ ହୋଇ ନଅ ଦିନ ପାଇଁ ନିଜ ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ନଅ ଦିନ ପରେ ବାହୁଡ଼ାଯାତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମନ୍ଦିର ଲେଉଟାଣି ହୋଇଥାଏ। ୯ ଦିନ ମଧ୍ୟରେ ସମ୍ପନ୍ନ ହୋଇଥାଏ ଘୋଷଯାତ୍ରା। କିନ୍ତୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ପରମ୍ପରା ଠାରୁ ଟିକେ ଅଲଗା, ନିଆରା ଢଙ୍ଗରେ ପାଳିତ ହୋଇଥାଏ ରଥଯାତ୍ରା। 

ଏଠାରେ ଦିନେ ନୁହେଁ, ୯ ଦିନ ଧରି ରଥ ଟଣାଯାଏ। ଭିନ୍ନ ଭିନ୍ନ ଗାଁରେ ଭିନ୍ନ ଭିନ୍ନ ଦିନରେ। କେବଳ ଗାଁ ନୁହେଁ, ସୁନ୍ଦରଗଡ଼ ସହରରେ ମଧ୍ୟ ୩ଟି ମନ୍ଦିରରେ ୩ ଦିନ ଧରି ରଥ ଟଣା ଯାଉଥିବା ଦେଖିବାକୁ ମିଳେ। ପ୍ରଥମ ଦିନ ସହରର ରାଜବାଟୀସ୍ଥିତ ଜଗନ୍ନାଥମନ୍ଦିରରେ ଘୋଷଯାତ୍ରା ହେଉଥିବା ବେଳେ ଦ୍ବିତୀୟ ଦିନରେ ମହେଶଡିହିସ୍ଥ ଜଗନ୍ନାଥ ମନ୍ଦିର ଓ ତୃତୀୟ ଦିନ ଶଙ୍କରା ମନ୍ଦିରରେ ରଥଯାତ୍ରା ହୁଏ। ଚତୁର୍ଥ ଦିନ ଟାଙ୍ଗରପାଲି ବ୍ଲକ୍ ନୂଆପଡ଼ାରେ ରଥଟଣା ହୋଇଥାଏ। 

ସେହିପରି ପରବର୍ତ୍ତୀ ଦିନଗୁଡ଼ିକରେ ୯ ଦିନ ଯାଏ କ୍ରମାନ୍ବୟରେ ସୁନ୍ଦରଗଡ଼ ଉପଖଣ୍ଡର ବିଭିନ୍ନ ଗାଁରେ ତିନି ଠାକୁରଙ୍କ ରଥ ଟଣା ଯାଉଥିବା ବେଳେ ଅନୁରୂପ ୯ ଦିନ ଧରି ବାହୁଡ଼ାଯାତ୍ରା ମଧ୍ୟ ଆୟୋଜିତ ହୋଇଥାଏ। ଆଦିବାସୀଙ୍କ ମେଳରେ ଆୟୋଜିତ ଏହି ୯ ଦିନିଆ ରଥଯାତ୍ରା ସମ୍ପର୍କରେ ଏକ ରୋଚକ ଲୋକକଥା ରହିଛି। ଏକଦା ଗାଙ୍ଗପୁରଗଡ଼ ପରିବର୍ତ୍ତିତ ସୁନ୍ଦରଗଡ଼ ମହାରାଜା ପୁରୀ ରଥଯାତ୍ରା ଦର୍ଶନ କରିବା ପରେ ସୁନ୍ଦରଗଡ଼ରେ ଜଗନ୍ନାଥଙ୍କ ପୂଜା କରିବାକୁ ମନସ୍ଥ କରିଥିଲେ।

 ଏହା ପରେ ରାଜବାଟୀ ସମ୍ମୁଖରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ସହ ଆରମ୍ଭ କରିଥିଲେ ରଥଯାତ୍ରା। ପରବର୍ତ୍ତୀ ସମୟରେ ବିଭିନ୍ନ ଗାଁ ଜମିଦାର ବା ଗୌନ୍ତିଆ ମଧ୍ୟ ରାଜାଙ୍କ ଅନୁମତି ନେଇ ନିଜ ନିଜ ଗାଁରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ରଥଯାତ୍ରା କରିଥିଲେ। ତେବେ ବିଧି ଅନୁସାରେ, କେବଳ ରାଜା ହିଁ ଠାକୁରଙ୍କ ରଥରେ ଛେରାପହରା କରିବାକୁ ଥିବାରୁ ଏକା ଦିନରେ ଗାଁ ଗାଁରେ ହେଉଥିବା ରଥଯାତ୍ରାରେ ରାଜାଙ୍କ ଉପସ୍ଥିତି ସମ୍ଭବ ନଥିଲା। ତେଣୁ ରାଜାଙ୍କ ଉପସ୍ଥିତି ପାଇଁ ଦିନେ ଛାଡ଼ି ଦିନେ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି କରିଥିଲେ ଗାଁ ଜମିଦାର ଓ ଗ୍ରାମବାସୀ। ରାଜା ବି ସେ ସବୁ ରଥଯାତ୍ରାରେ ସାମିଲ ହେଲେ। ପରବର୍ତ୍ତୀ ସମୟରେ ରାଜାଙ୍କ ବଦଳରେ ଗାଁ ଜମିଦାରମାନେ ଛେରାପହଁରା କଲେ। କିନ୍ତୁ ସେହି ପରମ୍ପରା ଅପରିବର୍ତ୍ତିତ ରହିଛି। ଏବେ ବି ରଥଯାତ୍ରା ଓ ବାହୁଡ଼ା ୧୮ ଦିନ ଧରି ଚାଲୁଥିବା ବେଳେ ୧୫ ଦିନ ସାରା ସୁନ୍ଦରଗଡ଼ ରଥମୟ, ଜଗନ୍ନାଥମୟ ହୋଇଯାଏ। ଯାତ୍ରା ବା ଉତ୍ସବ ପ୍ରିୟ ଆଦିବାସୀ ଅଞ୍ଚଳରେ ଏପରି ଏକ ଭିନ୍ନ ପରମ୍ପରାର ରଥଯାତ୍ରା ଜିଲ୍ଲା ଓ ଜିଲ୍ଲା ବାହାରର ଲୋକଙ୍କୁ ଆକର୍ଷିତ କରିଆସୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.