ARTICLE AD BOX
ଥିରୁଅନନ୍ତପୁରମ:କେରଳର ନେୟାଟିନକାରା ନିକଟସ୍ଥ ନିମ୍ସ ମେଡିସିଟି ବେସରକାରୀ ହସ୍ପିଟାଲରେ ଜଣେ ନଅ ବର୍ଷର ଶିଶୁକନ୍ୟାଙ୍କ ପେଟରୁ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରାୟ ୧ କିଲୋଗ୍ରାମ ଓଜନର କେଶ ବା ଚୁଟି ବାହାର କରାଯାଇଛି। ଶିଶୁଟି ''ରାପୁଞ୍ଜେଲ ସିଣ୍ଡ୍ରୋମ'' ନାମକ ଏକ ଅତ୍ୟନ୍ତ ବିରଳ ରୋଗରେ ପୀଡ଼ିତ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ସିଣ୍ଡ୍ରୋମରେ ପେଟରେ ଚୁଟି ଜମା ହୋଇ ଏକ ସକ୍ତ ପିଣ୍ଡ (ଟ୍ରାଇକୋବେଜୋଆର) ରୂପ ନେବା ସହ ତାହା କ୍ଷୁଦ୍ରାନ୍ତ୍ର ପର୍ଯ୍ୟନ୍ତ ବ୍ୟାପିଯାଇଥାଏ।
ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି
ତେବେ ପେଟବିନ୍ଧା ଓ ବାନ୍ତି ସମସ୍ୟା ନେଇ ଶିଶୁଟିକୁ ହସ୍ପିଟାଲକୁ ଅଣାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷା ନିରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ, ସିଟି ସ୍କାନରୁ ପେଟ ଭିତରେ ଗୁରୁତର ବ୍ଲକେଜ୍ ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଏଣ୍ଡୋସ୍କୋପି କରାଯିବା ପରେ ପାକସ୍ଥଳୀ ଓ କ୍ଷୁଦ୍ରାନ୍ତ୍ରରେ ଚୁଟିର ଏକ ବଡ଼ ଗୁଚ୍ଛ ଥିବା ସ୍ପଷ୍ଟ ହୋଇଥିଲା। ପୀଡ଼ିତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରାଯାଇ ପେଟରୁ ସମ୍ପୂର୍ଣ୍ଣ ଚୁଟି ବାହାର କରାଯାଇଛି। ପିଡିଆଟ୍ରିକ୍ ସର୍ଜରୀ ବିଭାଗର ସିନିୟର କନସଲ୍ଟାଣ୍ଟ ଡାକ୍ତର ବିଜୁ ଆଇ ଜି ନାୟାରଙ୍କ ନେତୃତ୍ୱରେ ଡାକ୍ତର ରାଜେନ୍ଦ୍ରନ୍ ଏସ୍, ଡାକ୍ତର ନିହାର୍, ଡାକ୍ତର ଇଜାସ୍, ଡାକ୍ତର ହସିନା ଏବଂ ନର୍ସିଂ ଷ୍ଟାଫ୍ ଶ୍ରୀକୁଟ୍ଟୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଏହି ସଫଳ ସର୍ଜରୀ କରିଛନ୍ତି। ସର୍ଜରୀ ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ଖାଦ୍ୟ ଗ୍ରହଣ କରିବା ସହ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛି। ମେଡିକାଲ ବିଜ୍ଞାନ ଅନୁଯାୟୀ, ବାରମ୍ବାର ନିଜ ଚୁଟି ଛିଣ୍ଡାଇ ଖାଇବାର ଅଭ୍ୟାସ ଯୋଗୁଁ ''ଟ୍ରାଇକୋବେଜୋଆର'' ବା ଚୁଟିର ପିଣ୍ଡ ସୃଷ୍ଟି ହୋଇଥାଏ।
ଚୁଟି ମାନବ ଶରୀରରେ ହଜମ ହୋଇପାରୁ ନଥିବାରୁ ଏହା ପାକସ୍ଥଳୀରେ ଜମା ହୋଇ କ୍ରମଶଃ ଏକ ଶକ୍ତ ପିଣ୍ଡରେ ପରିଣତ ହୁଏ ଏବଂ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ବିଶ୍ୱବ୍ୟାପୀ ଏହି ବିରଳ ''ରାପୁଞ୍ଜେଲ ସିଣ୍ଡ୍ରୋମ''ର ୧୦୦ରୁ ବି କମ୍ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ମୁଖ୍ୟତଃ କିଶୋରୀମାନଙ୍କଠାରେ ଦେଖିବାକୁ ମିଳିଥାଏ।

44 minutes ago
2


