ARTICLE AD BOX
ଭୁବନେଶ୍ୱର: ପ୍ରତିଦିନ ଜଳଖିଆରେ ପରଟା, ପୋହା କିମ୍ବା ଉପମା ଖାଇ ଯଦି ଆପଣ ବିରକ୍ତ ହୋଇପଡ଼ିଛନ୍ତି, ତେବେ ଜଳଖିଆରେ ଆଣିପାରିବେ ଏକ ଭିନ୍ନ ସ୍ୱାଦ। ତାଜା ମେଥି ପତ୍ର ଓ କଞ୍ଚାଲଙ୍କାରେ ପ୍ରସ୍ତୁତ ଗୁଜରାଟୀ ଷ୍ଟାଇଲ୍ ମେଥି ଥେପଲା ଏକ ସ୍ୱାଦିଷ୍ଟ ବିକଳ୍ପ। ଏହାକୁ ଘରେ ସହଜରେ ପ୍ରସ୍ତୁତ କରିହେବ। ପିଲାମାନଙ୍କ ସ୍କୁଲ ଟିଫିନ୍ ଓ ଯାତ୍ରା ସମୟରେ ମଧ୍ୟ ଏହା ନେଇପାରିବେ। ମେଥିରେ ସାମାନ୍ୟ ପିତା ସ୍ୱାଦ ଥିବାରୁ ଅନେକ ପିଲା ଏହା ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ଅଟାରେ ଦହି, ବେସନ ଓ ତିଳ ମିଶାଇ ଥେପଲା ପ୍ରସ୍ତୁତ କଲେ ଏହା ନରମ ହେବା ସହିତ ମେଥିର ପିତା ସ୍ୱାଦ ମଧ୍ୟ କମ୍ ଅନୁଭବ ହୋଇଥାଏ।
ଆବଶ୍ୟକ ସାମଗ୍ରୀ
୨ କପ୍ ଗହମ ଅଟା, ୧ କପ୍ କଟା ତାଜା ମେଥି ପତ୍ର, ୨ ବଡ଼ ଚାମଚ ବେସନ, ୩ ବଡ଼ ଚାମଚ ତାଜା ଦହି, ୧ ବଡ଼ ଚାମଚ ଅଦା-କଞ୍ଚାଲଙ୍କା ପେଷ୍ଟ, ୧ ବଡ଼ ଚାମଚ ଧଳା ତିଳ, ୧/୨ ଛୋଟ ଚାମଚ ଜୁଆଣ, ୧/୨ ଛୋଟ ଚାମଚ ହଳଦୀ ଗୁଣ୍ଡ, ୧/୨ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ୧/୪ ଛୋଟ ଚାମଚ ହେଙ୍ଗୁ, ୨ ବଡ଼ ଚାମଚ ତେଲ, ସେକିବା ପାଇଁ ଆବଶ୍ୟକ ଅନୁସାରେ ତେଲ କିମ୍ବା ଘିଅ, ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ମେଥି ପତ୍ରକୁ ଭଲ ଭାବରେ ୨-୩ ଥର ପାଣିରେ ଧୋଇ ଭଲରେ ସଫା କରନ୍ତୁ। ଏହାକୁ ଶୁଖାଇ କାଟି ରଖନ୍ତୁ। ଏବେ ଏକ ପାତ୍ରରେ ଗହମ ଅଟା, ବେସନ, କଟା ମେଥି, ତିଳ, ଜୁଆଣ, ହଳଦୀ, କାଶ୍ମୀରୀ ଲଙ୍କା ଗୁଣ୍ଡ, ହେଙ୍ଗ, ଅଦା-କଞ୍ଚାଲଙ୍କା ପେଷ୍ଟ ଓ ଲୁଣ ମିଶାନ୍ତୁ। ଏଥିରେ ୨ ବଡ଼ ଚାମଚ ତେଲ ଓ ଦହି ଦେଇ ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାନ୍ତୁ। ମେଥି ଓ ଦହିରେ ଆର୍ଦ୍ରତା ଥିବାରୁ ପ୍ରଥମେ ପାଣି ନଦେଇ ଅଟା ଚକଟନ୍ତୁ। ଆବଶ୍ୟକ ହେଲେ ଅଳ୍ପ ଅଳ୍ପ କରି ପାଣି ଦେଇ ଅଟା ଚକଟନ୍ତୁ। ଅଟା ଉପରେ ସାମାନ୍ୟ ତେଲ ଲଗାଇ ୧୦ ମିନିଟ୍ ଘୋଡ଼ାଇ ରଖନ୍ତୁ। ପରେ ଅଟାରୁ ଛୋଟ ଛୋଟ ଗୋଲ ତିଆରି କରି ରୁଟି ଭଳି ବେଲନ୍ତୁ। ଏହାପରେ ଗରମ ତାୱାରେ ଥେପଲାକୁ ପକାନ୍ତୁ। ଉଭୟ ପଟେ ଆବଶ୍ୟକ ଅନୁସାରେ ତେଲ କିମ୍ବା ଘିଅ ଲଗାଇ ହାଲୁକା ଭାବରେ ଚାପ ଦେଇ ସେକନ୍ତୁ। ଥେପଲାକୁ ଅଧିକ ସମୟ ଧୀମା ଆଞ୍ଚରେ ସେକିବା ଉଚିତ୍ ନୁହେଁ, ନଚେତ ଏହା ଟାଣ ହେଇଯାଏ।
Health News: ସ୍ବାସ୍ଥ୍ୟ ସମ୍ବାଦ: ପଲିଫେଜିଆ
ଏହିପରି ପ୍ରସ୍ତୁତ ହୋଇଯିବ ଗରମାଗରମ ମେଥି-ଲଙ୍କା ଥେପଲା। ଏହାକୁ ଆମ୍ବ କିମ୍ବା ଲେମ୍ବୁ ଆଚାର, ଦହି କିମ୍ବା ମସଲା ଚା’ ସହିତ ଖାଇପାରିବେ। ଜଳଖିଆ ସହିତ ପିଲାମାନଙ୍କ ଟିଫିନ୍ ଓ ଯାତ୍ରା ସମୟ ପାଇଁ ମଧ୍ୟ ଏହା ଏକ ସୁବିଧାଜନକ ଖାଦ୍ୟ।

54 minutes ago
2


