Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ

2 hours ago 1
ARTICLE AD BOX

ଅଯୋଧ୍ୟା: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଭକ୍ତଙ୍କ ଦାନ ଚୋରି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଏହାର ପ୍ରାଥମିକ ରିପୋର୍ଟରେ ଅବିନାଶ ଶୁକ୍ଳାଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି। ରିପୋର୍ଟ ଅନୁସାରେ, ପ୍ରାୟ ୪୦ ଦିନ ଧରି ସଂଗଠିତ ଭାବେ ଦାନ ବାକ୍ସରୁ ଟଙ୍କା ଚୋରି କରାଯାଇଥିଲା ଏବଂ ଏଥିରେ ମୋଟ ୬ ଜଣଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି।

ଏସ୍ଆଇଟିର ତିନିଜଣିଆ ଦଳ ପ୍ରସ୍ତୁତ କରିଥିବା ଏହି ପ୍ରାଥମିକ ରିପୋର୍ଟକୁ ସୋମବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଅବିନାଶ ଶୁକ୍ଳା ଦାନ ଗଣନା କାର୍ଯ୍ୟରେ ନିୟୋଜିତ ଥିବାବେଳେ ଅନ୍ୟ କେତେକ ସହଯୋଗୀଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ନଗଦ ଟଙ୍କା ଚୋରି କରୁଥିଲେ।

ତଦନ୍ତକାରୀ ଦଳ ସିସିଟିଭି ଫୁଟେଜ୍, ନଗଦ ଗଣନା ସମୟର ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ କରିଛି। ସିସିଟିଭି ଫୁଟେଜ୍‌ରେ ବାରମ୍ବାର ଅବିନାଶ ଶୁକ୍ଳା ନଗଦ ଟଙ୍କାର ବଣ୍ଡଲ ଲୁଚାଇ ନେଉଥିବା ଦୃଶ୍ୟ ରେକର୍ଡ ହୋଇଥିବାରୁ ତାଙ୍କ ବିରୋଧରେ ଦୃଢ଼ ପ୍ରମାଣ ମିଳିଥିବା ଏସ୍ଆଇଟି କହିଛି। ଏହି ସମୟରେ ପ୍ରାୟ ୭୦ଟି ସନ୍ଦେହଜନକ ଘଟଣା ଚିହ୍ନଟ କରାଯାଇଛି।

ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରବେଶ ଦ୍ବାରରେ ଏହି ୪ଟି ସ୍ବତନ୍ତ୍ର ମୂର୍ତ୍ତିକୁ କରାଗଲା ସ୍ଥାପନା

ଏସ୍ଆଇଟି ତଦନ୍ତରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଓ ନଗଦ ପରିଚାଳନାରେ ଏକାଧିକ ତ୍ରୁଟି ଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ତେବେ ସୋସିଆଲ ମିଡିଆରେ ପ୍ରଚାରିତ ସୁନା କିମ୍ବା ରୂପା ଦାନ ସାମଗ୍ରୀ ଗାଏବ ହୋଇଥିବା ଅଭିଯୋଗକୁ ସମର୍ଥନ କରିବା ପାଇଁ ପ୍ରାଥମିକ ତଦନ୍ତରେ କୌଣସି ପ୍ରମାଣ ମିଳିନାହିଁ। ତଦନ୍ତ ବର୍ତ୍ତମାନ କେବଳ ନଗଦ ଦାନ ଚୋରି ଓ ସମ୍ପୃକ୍ତ ଆର୍ଥିକ ଅନିୟମିତତା ଉପରେ କେନ୍ଦ୍ରିତ ରହିଛି।

ଏହି ଘଟଣାରେ ପୂର୍ବରୁ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ରିପୋର୍ଟ ଆଧାରରେ ଏସ୍ଆଇଟି ଅଧିକ ପଚରାଉଚରା ଓ ପ୍ରମାଣ ସଂଗ୍ରହ କରୁଛି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଚୂଡ଼ାନ୍ତ ରିପୋର୍ଟ ସରକାର ଓ ଟ୍ରଷ୍ଟକୁ ଦିଆଯିବ। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଦାନ ଗଣନା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.