ARTICLE AD BOX
ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ୱାମୀ ପେଟ୍ରୋଲ ଢାଳି ଜାଳି ଦେବା ପରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୁଲିସ କହିଛି। ପୂଜା ନାମକ ଏହି ମହିଳା ଜଣଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା ଓ ମଙ୍ଗଳବାର ତାଙ୍କୁ ଚିକିତ୍ସା ପାଇଁ ବିକାନେରର ଏକ ବଡ଼ ହସ୍ପିଟାଲକୁ ନିଆଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୁଲିସ କହିଛି ଯେ, ମହିଳାଙ୍କ ସ୍ୱାମୀ, ୪୦ ବର୍ଷୀୟ ସୁଲତାନ ରାମ ମଧ୍ୟ ଏହି ଘଟଣାରେ ଆହତ ହୋଇଛି ଓ ଜିଲ୍ଲା ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଛି। ଶ୍ରୀଗଙ୍ଗାନଗରର ସର୍କଲ ଅଫିସର ବିଷ୍ଣୁ କୁମାର ଖତ୍ରୀ କହିଛନ୍ତି ଯେ, ଘଟଣାଟି ସୋମବାର ରାତି ପ୍ରାୟ ୨ଟା ୩୦ ସମୟରେ ଘଟିଥିଲା। ଅଭିଯୋଗ ଅନୁଯାୟୀ, ପୂଜା ତାଙ୍କ ସ୍ୱାମୀଙ୍କ ସହ ବାରମ୍ବାର ବିବାଦ ପରେ ପ୍ରାୟ ତିନି ମାସ ହେଲା ତାଙ୍କ ବାପାମାଆଙ୍କ ଘରେ ଆସି ରହୁଥିଲେ। ସୋମବାର ରାତିରେ ସୁଲତାନ ରାମ ଛାତ ଦେଇ ଶ୍ବଶୁର ଘରେ ପ୍ରବେଶ କରି ପୂଜା ଶୋଇଥିବା କୋଠରୀକୁ ଯାଇ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ତା’ପରେ ସେ ଏକ ମୋଟରସାଇକେଲରେ ଖସି ପଳାଇ ଯାଇଥିଲା।
ବୃଦ୍ଧଙ୍କୁ ୧୦ କୋଟି ଠକେଇ ମାମଲାରେ ‘ରିଲ୍ ଷ୍ଟାର’ ଗିରଫ
ପରିବାର ଲୋକ ଚିତ୍କାର ଶୁଣି ପୂଜାଙ୍କ ନିକଟରେ ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଥିଲେ। ପୂଜାଙ୍କୁ ଚିିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ପରେ ବିକାନେର୍ର ପିବିଏମ୍ ହସ୍ପିଟାଲକୁ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ କହିଛି ଦମ୍ପତି ୧୫ ବର୍ଷ ତଳେ ବିବାହ କରିଥିଲେ ଓ ସେମାନଙ୍କର ତିନିଜଣ ଝିଅ ଅଛନ୍ତି। ପୂଜାଙ୍କ ଘର ଲୋକ ଅଭିଯୋଗ କରିଛନ୍ତି ଯେ, ସୁଲତାନ ରାମ ପତ୍ନୀର ପରକିୟା ସମ୍ପର୍କ ଥିବା ସନ୍ଦେହରେ ମାଡ଼ପିଟ୍ କରୁଥିଲା। ପୁଲିସ ଘଟଣାସ୍ଥଳରୁ ଅପରାଧରେ ବ୍ୟବହୃତ ହୋଇଥିବା ଅଭିଯୋଗରେ ଏକ ପାଞ୍ଚ ଲିଟର ପେଟ୍ରୋଲ କ୍ୟାନ ଜବତ କରିଛି। ମହିଳାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ, ସଦର ପୁଲିସ ଷ୍ଟେସନରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା। ପୂଜାଙ୍କ ମୃତ୍ୟୁ ପରେ ହତ୍ୟା ମାମଲାର ତଦନ୍ତ ହେବ ବୋଲି ପୁଲିସ କହିଛି।

7 hours ago
2


