ARTICLE AD BOX
ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ଜୁନ୍ରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା, ଚଳିତ ଲଘୁଚାପ ବର୍ଷା ଏହାର ଏକପ୍ରକାର ଭରଣା କରିଛି। ଜୁଲାଇ ୧ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୯୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକ ହାର ୪୩.୭ ମିଲିମିଟର ତୁଳନାରେ ୧୧୫.୮% ଅଧିକ ରହିଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲେ ହେଁ କୌଣସି ସ୍ଥାନରେ ନଦୀର ଜଳସ୍ତର ସତର୍କ ସୂଚନା ସ୍ତରକୁ ଆସିନାହିଁ। ହେଲେ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ବଢ଼ୁଥିବାରୁ କ୍ଷମତାକୁ ଦେଖି ଜଳ ନିଷ୍କାସନ କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟରେ ହାରାହାରି ୨୪.୮ ମିଲିମିଟର ବର୍ଷା ହୋଇଛି। ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍ରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ହୋଇଛି। ରାଜ୍ୟର ୬ଟି ବ୍ଲକ୍ରେ ୧୦୦ ମିଲିମିଟରରୁ ଅଧିକ ଏବଂ ୩୮ଟି ବ୍ଲକ୍ ସହ ୩ଟି ସହରାଞ୍ଚଳର ୪ଟି କେନ୍ଦ୍ରରେ ୫୦ରୁ ୧୦୦ ମିଲିମିଟର ମଧ୍ୟରେ ବର୍ଷା ହୋଇଛି। ଗତ ୩୬ ଘଣ୍ଟାରେ ଚାନ୍ଦବାଲିରେ ୯୧ ମିଲିମିଟର ବର୍ଷା ହୋଇଥିବାବେଳେ କଟକରେ ୮୮.୬ ମିମି, ଭୁବନେଶ୍ବରରେ ୮୬.୬ ମିମି, ଗୋପାଳପୁରରେ ୧୦୮ ମିମି, ପୁରୀରେ ୭୬ ମିମି, ବାରିପଦାରେ ୧୦୪ ମିମି, କୋରାପୁଟରେ ୧୦୮ ମିମି, ସୁବର୍ଣ୍ଣପୁରରେ ୭୩.୪ ମିମି, ନୟାଗଡ଼ରେ ୮୯ ମିମି, ଛତ୍ରପୁରରେ ୧୩୮.୭ ମିମି, ଖୋର୍ଦ୍ଧାରେ ୮୮ ମିିମି ଏବଂ ଜଗତସିଂହପୁରେ ୭୯.୨ ମିମି ବର୍ଷା ହୋଇଛି। ବାକି ସ୍ଥାନରେ ଦିନତମାମ ଝିପିଝିପି ବର୍ଷା ଲାଗିରହିଛି। ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ଚାଷୀକୁଳ ଆଶ୍ବସ୍ତ ହୋଇଛନ୍ତି। ଟାଙ୍ଗରା ମାଟିରେ ବର୍ଷା ଜଳ ପଡ଼ିବା ପରେ ଏବେ ତଳି ରୋଇବାକୁ ଚାଷୀ ପ୍ରସ୍ତୁତି ଆରମ୍ଭ କରିଛି।
Rain for 8 days: ୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଯେପରି ଅଧିକ କ୍ଷତିଗ୍ରସ୍ତ ହେବନି ସେଥିପାଇଁ ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଅଧୀନସ୍ଥ ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର୍ ସମସ୍ତ ଜିଲ୍ଲା ଜରୁରିକାଳୀନ ପରିଚାଳନା କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ୨୪ ଘଣ୍ଟିଆ ପରିସ୍ଥିତିର ନିରୀକ୍ଷଣ କରୁଛି। ରେଡ୍, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ କଳକୁ ସଜାଗ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜଳବନ୍ଦି, ତଳିଆ ଅଞ୍ଚଳରେ ଜଳ ଜମା, ସହରାଞ୍ଚଳର ଅଣ୍ଡରପାସ୍ ବନ୍ଦ, କଚ୍ଚାରାସ୍ତା ଓ ଦୁର୍ବଳ ସଂରଚନାର କ୍ଷୟକ୍ଷତି, ଫସଲର ସମ୍ଭାବ୍ୟ କ୍ଷତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସେହିପରି ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା, ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଉପରେ ନଜର ରଖିବା ଏବଂ ସମସ୍ତ ପରାମର୍ଶକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଛି। ଆଜିଠାରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ନଯିବା ଲାଗି ପରାମର୍ଶ ଦିଆଯାଇଛି।

1 hour ago
1

