ARTICLE AD BOX
କାଳିଆପାଣି (ରବି ନାରାୟଣ କର): ସାପ ସହ ଖେଳିବା ବିପଦକୁ ବରଣର କାରଣ ହୋଇଛି। ପଡ଼ିଆରେ ଛଡ଼ା ଯାଇଥିବା ଅଜଗରକୁ ଗୁଣ୍ଡି ଖୁଆଇବାକୁ ଯାଇ ସ୍ଥାନୀୟ ଯୁବକ ଭୀଷ୍ମ ନାଏକ ସାପ ଠାରୁ ଚୋଟ ଖାଇଥିବା ଅଭିଯୋଗ ହୋଇଛି। ସାପର ୨ ଦାନ୍ତ ତାଙ୍କ ହାତ ଆଙ୍ଗୁଠିରେ ଗଳି ଯାଇଥିବା ଦେଖାଯାଇଛି। ତାଙ୍କୁ ତୁରନ୍ତ ଜଣେ ସହକର୍ମୀ ବାଇକ୍ରେ ଓଏମ୍ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ଆଣିଥିଲେ। ଓଏମ୍ସି ଆମ୍ବୁଲାନ୍ସରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ସେ ସେଠାରେ ଚିକିତ୍ସାଧୀନ ଥିବା ବିଭାଗୀୟ ସୂଚନା ମିଳିଛି।
ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ କାଳିଆପାଣି ଚିରିଗୁଣିଆ ମାଝିସାହି ପାଖ ଡମଶାଳ ନାଳ ପାଖରୁ ଆଜି ଏକ ୮ ଫୁଟିଆ ଅଜଗର ଉଦ୍ଧାର କରାଯାଇଥିଲା। ପିଲାଏ ଏହାକୁ ଗାଁ ପଡ଼ିଆରେ ଛାଡ଼ି ଦେଇଥିଲେ। ବହୁ ସଂଖ୍ୟାରେ ଲୋକେ ଏହାକୁ ଦେଖୁଥିଲେ। ଏହି ସମୟରେ ଭୀଷ୍ମ ପହଞ୍ଚି ସାପ ପଛରେ ଗୋଡ଼ାଇ ତାକୁ ଗୁଣ୍ଡି ଖୁଆଇବାକୁ ଉଦ୍ୟମ କରିଥିଲେ। ଅଜଗର ଶକ୍ତ ଚୋଟ ପକାଇଥିଲା ବୋଲି ଗ୍ରାମବାସୀ କହନ୍ତି। ଖବରପାଇ ବନପାଳ ରାମ ତିରିଆ ସଦଳବଳ ସେଠାରେ ପହଞ୍ଚି ଅକ୍ଷତ ଅବସ୍ଥାରେ ଅଜଗରକୁ ଉଦ୍ଧାରକରି ତା’ର ପ୍ରାକୃତିକ ବାସସ୍ଥଳୀରେ ଛାଡ଼ିଥିବା ସୂଚନା ମିଳିଛି।

1 hour ago
1


