ARTICLE AD BOX
କାଳିଆପାଣି: ସୁକିନ୍ଦା ତହସିଲ ଦୁଧୁଯୋରୀ ପଞ୍ଚାୟତ କଞ୍ଚିଚୁଆସ୍ଥିତ ରାମକୀ କମ୍ପାନି ଦ୍ବାରା ପରିଚାଳିତ ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରୁ ନିର୍ଗତ ବର୍ଜ୍ୟ ଓ ବିଷାକ୍ତ ପାଣିର ପାର୍ଶ୍ବ ପ୍ରତିକ୍ରିୟାରୁ ୧୦ ହଜାରରୁ ଅଧିକ ସଂଖ୍ୟାରେ ବଡ଼ ଅର୍ଜୁନ ଗଛ ମରିଯାଇଛି। ଟସର ଅମଳକ୍ଷମ ଯୋଗ୍ୟ ଥିବା ୧୪ ରୁ ୧୫ ବର୍ଷ ବୟସର ଏହିସବୁ ମଲାଗଛ ଭରା ଜଙ୍ଗଲର ଦୟନୀୟ ଦୃଶ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏଥିରେ ସୁକିନ୍ଦା ଟସର ସମବାୟ ସମିତିର ଅଂଶୀଦାର ଥିବା ୩୫୦ ଜଣ ଚାଷୀ ବିଶେଷ ପ୍ରଭାବିତ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ପ୍ରସଙ୍ଗକୁ ନେଇ ଏଠାରେ ବର୍ଷକୁ ୩ ଥର ଟସର ଅମଳକରି ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଆସୁଥିବା କେନ୍ଦୁଢିପ, ମଙ୍ଗଳପୁର, କଞ୍ଚିଚୁଆ, ହରିଡ଼ାବାହାଳି, ଭାଲୁକି, ଦଲକି ଓ ପୁରୁଣାପାଣି ଗାଁର ଟସର ଚାଷୀଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପ୍ରତିବାଦ ସ୍ବରୂପ ସୁକିନ୍ଦା ଟସର ସମବାୟ ସମିତି ପକ୍ଷରୁ କ୍ଷତିପୂରଣ ଦାବିରେ କାରଖାନା ସମ୍ମୁଖରେ ଆଜି ୨ ଶହରୁ ଅଧିକ ଚାଷୀ ଗଣଧାରଣା ଦେଇ ଆନ୍ଦୋଳନ କରିଥିଲେ। ସଭାପତି ବୈକୁଣ୍ଠ ମହାନ୍ତ, ଉପସଭାପତି ଉମା ମହାନ୍ତ, ନରେନ୍ଦ୍ର କୁମାର ମହାନ୍ତ, ରମେଶ ମହାନ୍ତ, ନନ୍ଦ କିଶୋର ତିରିଆ, ପରମେଶ୍ବର ଦେହୁରୀ, ବଂଶୀଧର ଦେହୁରୀ, ସସ୍ମିତା ମହାନ୍ତ, ମିନାକ୍ଷୀ ମହାନ୍ତ, ଗୀତା ମହାନ୍ତ, ରିତା ମହାନ୍ତ ପ୍ରମୁଖ କମ୍ପାନିର ତ୍ରୁଟିପୂର୍ଣ୍ଣ ପରିଚାଳନା ବ୍ୟବସ୍ଥାକୁ ଇଙ୍ଗିତ କରି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଥିଲେ। ଯଥାଶୀଘ୍ର ବ୍ୟାପକ ବନୀକରଣ ମାଧ୍ୟମରେ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଓ ଗଛ ଅମଳକ୍ଷମ ହେବା ପର୍ଯ୍ୟନ୍ତ ପ୍ରଭାବିତ ଚାଷୀମାନଙ୍କୁ ବାର୍ଷିକ ଦେଢ଼ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଥିଲା।
କମ୍ପାନିର ତ୍ରୁଟିପୂର୍ଣ୍ଣ ପରିଚାଳନା ବ୍ୟବସ୍ଥା ପାଇଁ ପାରିପାର୍ଶ୍ବିକ ଅଞ୍ଚଳବାସୀଙ୍କ ଜୀବନପ୍ରତି ବିପଦ ଘନେଇ ଆସୁଥିବା ସହ ସ୍ଥାନୀୟ ଟସର ଚାଷୀଙ୍କ ପାଇଁ କାରଖାନା ବ୍ୟାପକ କ୍ଷତିର କାରଣ ହୋଇଥିବା ସାଧାରଣରେ ଅଭିଯୋଗ କରାଯାଇଥିଲା।
ରାମକି କାରଖାନାରୁ ନିର୍ଗତ ବିଷାକ୍ତ ବର୍ଜ୍ୟ ପ୍ରଭାବରୁ ଶହଶହ ବଡ଼ଗଛ ଓ ଏକର ଏକର ଘାସ ମରି ଯାଇଥିବା ଦେଖିବାକୁ ମିଳିଛି। ପାର୍ଶ୍ବସ୍ଥ ଗ୍ରାମବାସୀ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ସହ ଅଧିକାଂଶ ଲୋକ କିଡ୍ନି ସଂକ୍ରମଣର ଶିକାର ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ବର୍ଜ୍ୟବସ୍ତୁ ଓ ବିଷାକ୍ତ ପାଣି ପ୍ରଭାବରୁ ଭୂତଳ ଜଳ ପ୍ରଦୂଷଣ ହେଉଥିବା ଅଭିଯୋଗ ଆଧାରରେ ଗୁରୁବାର ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍ପିସିବି) ଓ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଇଥିଲା। ଓଏସ୍ପିସିବି ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁଙ୍କ ନେତୃତ୍ୱରେ ବିଭାଗୀୟ ସ୍ବତନ୍ତ୍ର ତଥ୍ୟ ଅନୁସନ୍ଧାନକାରୀ ଦଳ ପାରିପାର୍ଶ୍ବିକ ଅଞ୍ଚଳର ବିଭିନ୍ନ ଜଳଉତ୍ସରୁ ୨୨ ଗୋଟି ଜଳ ନମୂନା ସଂଗ୍ରହ କରିଥିଲେ। ପ୍ରସଙ୍ଗକୁ ନେଇ ଗତକାଲି ପ୍ରଭାବିତ ଅଞ୍ଚଳବାସୀ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ସ୍ଥାନୀୟ ବିଧାୟକ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିଥିଲେ।

41 minutes ago
1


