ARTICLE AD BOX
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ଦିଲ୍ଲୀ ପୁଲିସ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। ପ୍ରତିବାଦ ସ୍ଥଳରେ ଆନ୍ଦୋଳନକାରୀଙ୍କ ସହ ପୁଲିସର ମାତ୍ରାଧିକ ବଳ ପ୍ରୟୋଗ ଏବଂ ଦୁର୍ବ୍ୟବହାର ଅଭିଯୋଗ ସାମ୍ନାକୁ ଆସିବା ପରେ ନୂଆଦିଲ୍ଲୀ ଅଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ମୁତୟନ ଥିବା ସମସ୍ତ ସୁରକ୍ଷା କର୍ମୀଙ୍କ ପାଇଁ ‘ବଡି କ୍ୟାମେରା’ ବାଧ୍ୟତାମୂଳକ କରାଯାଇଛି। ଭାରତୀୟ ନିର୍ବାଚନ କମିସନ କାର୍ଯ୍ୟାଳୟ ଏବଂ ଯନ୍ତର ମନ୍ତର ଆଦି ସ୍ଥାନରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଦାୟିତ୍ୱରେ ଥିବା ଆଗଧାଡ଼ିର ପୁଲିସ ଅଧିକାରୀଙ୍କୁ ଏହି କ୍ୟାମେରା ପ୍ରଦାନ କରାଯାଇଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।
ଏହି ସ୍ୱତନ୍ତ୍ର ବଡି କ୍ୟାମେରାଗୁଡ଼ିକ ମାଧ୍ୟମରେ ପ୍ରତିବାଦ ସ୍ଥଳରେ ପୁଲିସ କର୍ମଚାରୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହେଉଥିବା ପ୍ରତ୍ୟେକ କଥାବାର୍ତ୍ତା ତଥା ଗତିବିଧିର ପ୍ରତ୍ୟକ୍ଷ ଭିଡିଓ ରେକର୍ଡିଂ ବା ‘ରିଅଲ-ଟାଇମ୍’ ଭିଡିଓ ପ୍ରସ୍ତୁତ କରାଯାଇପାରିବ। ପରବର୍ତ୍ତୀ ସମୟରେ ପୁଲିସର କାର୍ଯ୍ୟଶୈଳୀ କିମ୍ବା ମିଥ୍ୟା ଅଭିଯୋଗର ଯାଞ୍ଚ ସମୟରେ ଏହି ରେକର୍ଡିଂକୁ ଅଦାଲତ ସମ୍ମୁଖରେ ଏକ ଦୃଢ଼ ସାକ୍ଷ୍ୟ ବା ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ। ରାଜଧାନୀରେ ନିର୍ବାଚନ କମିସନଙ୍କ ବିରୋଧରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ କରାଯାଉଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ, ସେଣ୍ଟ୍ରାଲ ଦିଲ୍ଲୀ ଏବଂ ନର୍ଥ ଦିଲ୍ଲୀ ଜିଲ୍ଲାରେ ବ୍ୟାପକ ସାମରିକ ଫୋର୍ସ ଏବଂ ବହୁସ୍ତରୀୟ ବାରିକେଡ୍ ମୁତୟନ କରାଯାଇଛି।
ଗତ ଅକ୍ଟୋବର ୨ ତାରିଖରେ ଯନ୍ତର ମନ୍ତର ଠାରେ ଘଟିଥିବା ପ୍ରତିବାଦ ସମୟରେ ତିନିଜଣ ମହିଳା ସାମ୍ବାଦିକାଙ୍କ ସହ ପୁଲିସ କର୍ମଚାରୀମାନେ ଅସଦାଚରଣ ଓ ଯୌନ ନିର୍ଯାତନା ଦେଇଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଜଣେ ସାମ୍ବାଦିକା ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ସିଧାସଳଖ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ, ସମ୍ପୂର୍ଣ୍ଣ ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ଏହି ସମସ୍ତ ଅଭିଯୋଗକୁ କ୍ରାଇମବ୍ରାଞ୍ଚ ଶାଖାକୁ ହସ୍ତାନ୍ତର କରିଛି। ଏଭଳି ସ୍ଥିତିରେ ପୁଲିସ ପକ୍ଷରୁ ବଡି କ୍ୟାମେରା ବ୍ୟବହାର କରିବା ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି।
SIR update: ୬ ରାଜ୍ୟରେ ଏସ୍ଆଇଆର୍ ଶେଷ: ଗୁଜରାଟରୁ ସର୍ବାଧିକ ୬୮ ଲକ୍ଷ ଭୋଟର ତାଲିକାରୁ କଟିଲେ

41 minutes ago
1


