ARTICLE AD BOX
ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ଏବଂ ସାମ୍ବିଧାନିକ ଅସଙ୍ଗତି ଅଭିଯୋଗ ନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଶାସକ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଗାଣତନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ‘ହାଇଜାକ୍’ ବା ଅପହରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ବେଆଇନ କାର୍ଯ୍ୟ ପାଇଁ ଦାୟୀ ଥିବା କୌଣସି ବି ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଆଦୌ ଛଡ଼ାଯିବ ନାହିଁ ଏବଂ ସମସ୍ତଙ୍କୁ ଉତ୍ତରଦାୟୀ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମଙ୍ଗଳବାର ସଂସଦ ଭବନରୁ ନିର୍ବାଚନ କମିସନ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ‘ଇଣ୍ଡି’ ମେଣ୍ଟର ପ୍ରତିବାଦ ମାର୍ଚ୍ଚକୁ ଦିଲ୍ଲୀ ପୁଲିସ ନୀତି ଆୟୋଗ ନିକଟରେ ଅଟକାଇବା ପରେ ରାହୁଲ ଗାନ୍ଧୀ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିଥିଲେ। ସଂସଦରୁ ପଦଯାତ୍ରାରେ ଆସିଥିବା ବିରୋଧୀ ସାଂସଦଙ୍କୁ ମୁଖ୍ୟ ନିର୍ବାଚନ କମିସନର କେଉଁ କାରଣ ପାଇଁ ସାକ୍ଷାତ କରୁନାହାନ୍ତି ତାହା ସ୍ପଷ୍ଟ କରାଯିବା ଆବଶ୍ୟକ। ପୁଲିସ ବଳ ପ୍ରୟୋଗ କରି ସାଂସଦମାନଙ୍କୁ ଅଟକାଇବା ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ମିଳୁଥିବା ଧମକ ସମ୍ପୂର୍ଣ୍ଣ ଅଗାଣତନ୍ତ୍ରିକ ବୋଲି ସେ ଦର୍ଶାଇଛନ୍ତି।
ରାହୁଲ ଗାନ୍ଧୀ ସିଧାସଳଖ ଅଭିଯୋଗ ଲଗାଇଛନ୍ତି ଯେ, ସିଇସି ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ମୋହନ ଭାଗବତଙ୍କୁ ନିର୍ବାଚନ ପ୍ରକ୍ରିୟା ହାଇଜାକ୍ କରିବାରେ ବେଆଇନ ସହାୟତା କରିଛନ୍ତି, ଯାହା ଦେଶର ଗଣତନ୍ତ୍ରକୁ ଧ୍ୱଂସ କରିଦେଇଛି। ଦେଶ ଏବଂ ସମ୍ବିଧାନ ସହ କରାଯାଇଥିବା ଏହି ବ୍ୟବସ୍ଥା ଏକ ପ୍ରକାର ‘ଦେଶଦ୍ରୋହ’ ସଦୃଶ ଅଟେ। ତେଣୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଅମିତ ଶାହ ହୁଅନ୍ତୁ, ମୋହନ ଭାଗବତ ହୁଅନ୍ତୁ କିମ୍ବା ଜ୍ଞାନେଶ କୁମାର- ଏହି ସାମ୍ବିଧାନିକ ଅପରାଧ ପାଇଁ କାହାକୁ ବି କ୍ଷମା କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

58 minutes ago
1


