ARTICLE AD BOX
କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ଥାନା ଓଳିଆ ପଞ୍ଚାୟତ ଧଉରାସାହି ଗାଁରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) କାର୍ଯ୍ୟରେ କର୍ତ୍ତବ୍ୟରତ ବିଏଲ୍ଓ ତଥା ଶିକ୍ଷକ ଉପେନ୍ଦ୍ର ନାଥ ମଲ୍ଲିକ(୫୫) ଗତ ୯ ତାରିଖ ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସେ ସଂସାଇଲୋ କ୍ଲଷ୍ଟର ପାଟପୁର ସରକାରୀ ଉପ୍ରା ସ୍କୁଲରେ ସହକାରୀ ଶିକ୍ଷକ ଥିଲେ।
ଗତକାଲି ବିଳମ୍ବିତ ରାତି କଟକର ଏକ ଘରୋଇ ହସପିଟାଲ୍ରେ ତାଙ୍କର ଦେହାନ୍ତ ହୋଇଛି। ଶେଷଶଯ୍ୟା ପାଖରେ ପତ୍ନୀ ସବିତା ମଲ୍ଲିକ, ପୁଅ ଉମାକାନ୍ତ ଓ ଝିଅ ସୁପ୍ରିୟା ଉପସ୍ଥିତ ଥିଲେ। କଟକରେ ଆଜି ତାଙ୍କ ଶବ ବ୍ୟବଛେଦ କରାଯାଇଥିଲା। ସଂଧ୍ୟାରେ ତାଙ୍କ ମରଶରୀର ପୈତୃକ ଗାଁ ସୁକରଣ ପହଞ୍ଚିବା ପୂର୍ବରୁ ଅଭୟପୁର ଠାରେ ଶତାଧିକ ସହକର୍ମୀ, ଛାତ୍ର ସମାଜ ଓ ଶୁଭେଛୁ ତାଙ୍କ ଅନ୍ତିମ ଦର୍ଶନକରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ସରପଞ୍ଚ ସିଦ୍ଧେଶ୍ବର ସଏ, ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ନାରାୟଣ ଦାସ, ଏବିଇଓ ଗୋବର୍ଦ୍ଧନ ପ୍ରଧାନ, ପ୍ରୋମାଞ୍ଜଳି ନାୟକ ଓ ମାଣିକ ସଏ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ନିଜ ଗାଁରେ ବିଏଲ୍ଓ ଦାୟିତ୍ବରେ ଥିବା ସ୍ବର୍ଗତ ମଲ୍ଲିକ ଆନୁଷଙ୍ଗିକ କାଗଜାଦ୍ ଧରି ସେଦିନ ଧଉରାସାହିରେ ଏସ୍ଆଇଆର୍ କାମ କରୁଥିଲେ। ବାଇକ୍ରେ ଯିବା ସମୟରେ ହଠାତ୍ ରାସ୍ତା ଉପରକୁ ଏକ ଗାଈ ପଘା ଛିଣ୍ଡାଇ ମାଡ଼ି ଆସିଥିଲା। ଗାଈ ସହ ଧକ୍କାହୋଇ ସେ ସେଇଠି ବାଇକ୍ରୁ ଗାଁ ଦାଣ୍ଡରେ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ୧୦ ତାରିଖ ଦିନ ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ସେ ସଂଜ୍ଞାହୀନ ଥିଲେ। ଏସ୍ଆଇଆର୍ କାର୍ଯ୍ୟରେ ଅତ୍ୟଧିକ ଚାପଗ୍ରସ୍ତ ହୋଇ ରବିବାରରେ ସେ କାମ କରିବାକୁ ବାଧ୍ୟ ହୋଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଜଣେ ଶିକ୍ଷକଙ୍କୁ ପ୍ରଶାସନର ଏତାଦୃଶ ଅତିରିକ୍ତ ଚାପକୁ ନେଇ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନ୍ୟାୟ ଓ କ୍ଷତିପୂରଣ ଦାବିରେ ସ୍ବର୍ଗତ ମଲ୍ଲିକଙ୍କ ପାର୍ଥିବ ଶରୀରକୁ ବ୍ଲକ ଅଫିସ ସମ୍ମୁଖରେ ରଖି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ପାଇଁ ଶିକ୍ଷକ ସଂଘ ପକ୍ଷରୁ ଡାକରା ଦିଆଯାଇଛି।

1 hour ago
1
