ARTICLE AD BOX
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ଓ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ (ଆଇସା)ର ଆନ୍ଦୋଳନକୁ ନେଇ ଜାତୀୟ ରାଜଧାନୀରେ ଏକ ଅଭୂତପୂର୍ବ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଦ୍ୱାରା ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ସମୟରେ ଭୋଟର ପରିଚୟ ପତ୍ର ତାଲିକାରେ ହୋଇଥିବା ବ୍ୟାପକ ହେରଫେର ଏବଂ ଫର୍ମ ୬ରେ ପରିବର୍ତ୍ତନ ବିରୋଧରେ ଶନିବାର ପ୍ରତିବାଦ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ସରକାର ସବୁ ସୀମା ଅତିକ୍ରମ କରିଥିବା ଅଭିଯୋଗ ଆଣି ବିରୋଧୀ ଦଳ ନେତାମାନେ କେନ୍ଦ୍ରକୁ ନିଶାଣ କରିଛନ୍ତି। କେନ୍ଦ୍ର ସରକାର ବିରୋଧୀ ସ୍ୱରକୁ ଚପାଇବା ପାଇଁ ପୁଲିସ ପ୍ରଶାସନ ମାଧ୍ୟମରେ ଦମନଲୀଳା ଚଳାଇଥିବାରୁ ଏହା ବିରୋଧରେ ବଡ଼ ଧରଣର ଓ ବ୍ୟାପକ ଆନ୍ଦୋଳନ ପାଇଁ ଇଣ୍ଡି ମେଣ୍ଟ ପ୍ରସ୍ତୁତ ହେଉଛି।
ଦିଲ୍ଲୀକୁ ଏକ ପୁଲିସ ଦୁର୍ଗରେ ପରିଣତ କରି ଗାଣତାନ୍ତ୍ରିକ ପ୍ରକ୍ରିୟାରେ ହେଉଥିବା ଆନ୍ଦୋଳନକୁ ଦମନ କରିବା କଦାପି ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ, ଆପ୍, ବାମଦଳ ଓ ଟିଏମ୍ସି ନେତାମାନେ ଚେତାବନୀ ଦେଇଛନ୍ତି। ପୂର୍ବରୁ ପେପର ପେପର୍ ଲିକ୍ ଆନ୍ଦୋଳନ ସମୟରେ ହୋଇଥିବା ବ୍ୟାପକ ବିକ୍ଷୋଭ ଯୋଗୁ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେହିଭଳି ସ୍ଥିତି ପୁନର୍ବାର ସୃଷ୍ଟି ହେବା ଆଶଙ୍କାରେ କେନ୍ଦ୍ର ସରକାର ସମଗ୍ର ରାଜଧାନୀରେ କଠୋର କଟକଣା ଲଗାଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଉଲ୍ଲଂଘନ କରିଥିବାରୁ ଏହା ବିରୋଧରେ ସୁପ୍ରିମ୍କୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଆସନ୍ତାକାଲି ଏ ବାବଦରେ ଶୁଣାଣି ହେବ। ସୁରକ୍ଷା ଦୃଷ୍ଟିରୁ ସହରର ୪୦ରୁ ଅଧିକ ମେଟ୍ରୋ ଷ୍ଟେସନ ବନ୍ଦ ରହିବା ସହ ୨୫୦ରୁ ଅଧିକ ଟ୍ରେନ ବାତିଲ କରାଯାଇଛି। ସାରା କେନ୍ଦ୍ରୀୟ ଦିଲ୍ଲୀରେ ବିଏନ୍ଏସ୍ଏସ୍ର ଧାରା ୧୬୩ ଲାଗୁ ହେବା ସହ ମୋବାଇଲ ଇଣ୍ଟରନେଟ୍ ସ୍ଥଗିତ ରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି
ଦିଲ୍ଲୀ ପୁଲିସ, ସାମରିକ ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ପ୍ରାୟ ୨୫ ହଜାରରୁ ଅଧିକ ଯବାନ ସାରା ସହରକୁ ସିଲ୍ କରି ଆଜି ଏକ ସାମରିକ ଦୁର୍ଗରେ ପରିଣତ କରିବା ଘଟଣା ସବୁ ମହଲକୁ ବିସ୍ମିତ କରିଛି। ଚାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ୪,୦୦୦ରୁ ଅଧିକ ପ୍ରତିବାଦକାରୀଙ୍କୁ ଅଟକ ରଖାଯିବା ସତ୍ତ୍ବେ ଯୁବଗୋଷ୍ଠୀ ଶତାଧିକ ସ୍ଥାନରେ ପ୍ରତିବାଦ କରିବା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ସରକାର ଆନ୍ଦୋଳନକୁ ଭୟ କରି ଏହାକୁ ଭଣ୍ଡୁର କରିବା ପାଇଁ ସମସ୍ତ ଚାପ କୌଶଳ ପ୍ରୟୋଗ କରୁଥିଲେ ଏହା ଦବିବାର ପ୍ରଶ୍ନ ନାହିଁ ବୋଲି ବିରୋଧୀ ଦଳ ନେତାମାନେ ଚେତାବନୀ ଦେଇଛନ୍ତି। ସିଇସିଙ୍କୁ ସୁରକ୍ଷା ଦେବାପାଇଁ ସରକାରଙ୍କ ଏଭଳି ଆଭିମୁଖ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେମାନେ ମତ ରଖିଛନ୍ତି।
Supreme Court: ଏସ୍ଆଇଆର୍ରେ ବାଧା ସୃଷ୍ଟି କରିବାକୁ ଦିଆଯିବନି: ସୁପ୍ରିମକୋର୍ଟ
ଏହି ବ୍ୟାପକ ପ୍ରତିବନ୍ଧକ ମଧ୍ୟରେ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସଂଯୋଜକ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଜବରଦସ୍ତ ଅଟକ ରଖିବା ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମୁଖ୍ୟ ଆୟୋଜକମାନଙ୍କୁ ଯନ୍ତର ମନ୍ତରରେ ପହଞ୍ଚାଇ ନଦେବା ପାଇଁ ପୁଲିସର ଏହି ରଣନୀତିକୁ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ, ସିଜେପିର ଆଗଧାଡ଼ିର ଅଧିକାଂଶ ନେତାଙ୍କୁ ଅଟକ ରଖାଯିବା ପରେ ଦଳର ଅନ୍ୟତମ ନେତା ଅଜିଙ୍କ୍ୟ ଶିନ୍ଦେ ଏବେ ଆନ୍ଦୋଳନର ମଙ୍ଗ ଧରିଛନ୍ତି।
ଯନ୍ତର ମନ୍ତରରେ କଡ଼ା କଟକଣା ଯୋଗୁଁ ଆନ୍ଦୋଳନକାରୀମାନେ ‘ଦିଲ୍ଲୀ ହାଟ୍’ ଅଭିମୁଖେ ମାର୍ଚ୍ଚ କରୁଥିବା ବେଳେ ବରିଷ୍ଠ ମାନବାଧିକାର କର୍ମୀ ଯୋଗେନ୍ଦ୍ର ଯାଦବ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଆଇସା ନେତ୍ରୀ ନେହା ବୋରାଙ୍କୁ ପୁଲିସ ଯେଭଳି ଭାବେ ଅଟକ ରଖିଲା ତାହାକୁ ବିଭିନ୍ନ ସଂଗଠନ ନିନ୍ଦା କରିଛ୍ତି। ବାଙ୍ଗଲା ସାହିବ ଗୁରୁଦ୍ୱାର ନିକଟରୁ ଏସଏଫଆଇ ନେତାଙ୍କ ସମେତ ପ୍ରାୟ ୪୦୦ରୁ ଅଧିକ ଛାତ୍ର ଓ ଯୁବ ଆଇନଜୀବୀଙ୍କୁ ଅଟକ ରଖାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବାରୁ ସେମାନଙ୍କ ସୁରକ୍ଷା ଓ ମୁକ୍ତି ପାଇଁ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ବିଭିନ୍ନ ଛାତ୍ର ସଂଗଠନର ନେତାମାନଙ୍କୁ ପୁଲିସ ଯେଭଳି ଟାର୍ଗେଟ୍ କରି ଅଟକ ରଖିବା ପ୍ରକ୍ରିୟା ଆରମ୍ଭ କରିଥିଲା ତାହା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏକ ଯୋଜନାବଦ୍ଧ ପ୍ରୟାସ ବୋଲି କୁହାଯାଇଛି।
ରାଜଧାନୀରେ ବିରୋଧୀ ଦଳର ପ୍ରମୁଖ ନେତାମାନଙ୍କୁ ସମ୍ପୂର୍ଣ୍ଣ ନଜରବନ୍ଦୀ ଓ ଅଟକ କରାଯାଇଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ତାଙ୍କ ଦିଲ୍ଲୀ ବାସଭବନ ବାହାରୁ ଡେରେକ୍ ଓ’ବ୍ରାଏନ୍, ଡୋଲ ସେନ୍, ସାକେତ ଗୋଖଲେ ଏବଂ ପ୍ରତିମା ମଣ୍ଡଳଙ୍କ ସହ ପୁଲିସ ଅଟକ ରଖବା ପରେ ଏହାକୁ ବିରୋଧ କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯନ୍ତର ମନ୍ତର ଅଭିମୁଖେ ଯିବା ବେଳେ ଅଟକ ରଖାଯାଇଥିଲା। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଯନ୍ତର ମନ୍ତର ରୋଡ୍ରେ ଥିବା କେରଳ ହାଉସ୍ ନିକଟରୁ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ କେ ଏନ୍ ବାଲଗୋପାଳଙ୍କ ସହ ଗିରଫ କରାଯାଇଛି। ଏହାସହ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ଏମ୍ଏ ବେବି, ବୃନ୍ଦା କାରାତ, କେକେ ଶୈଳଜା ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ମଧ୍ୟ ପୁଲିସ ଅଟକ ରଖି ଚ୍ଛତ୍ରସାଲ ଷ୍ଟାଡିୟମ ପଠାଇ ଦେଇଛି।
ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଏହି ଦମନଲୀଳାକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକଛତ୍ରବାଦୀ ଶାସନ ମଧ୍ୟରେ ବାସ କରୁଛୁ। ବିମାନ ଭିତରୁ କକ୍ରୋଚ୍ ଜନତା ପାର୍ଟିର ନେତାଙ୍କୁ ଗିରଫ କରିବା ସରକାରଙ୍କ ଚରମ ଭୟକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ମୋଦୀ କେବଳ ‘ଭୋଟ ଚୋରି’ ମାଧ୍ୟମରେ ନିର୍ବାଚନ ଜିତିଛନ୍ତି ଏବଂ ଏବେ ଗଣତନ୍ତ୍ରକୁ ହତ୍ୟା କରି ନିଜର ଜାଲିଆତିକୁ ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି। ଜ୍ଞାନେଶ କୁମାରଙ୍କ ସହ ମୋଦୀଙ୍କୁ ମଧ୍ୟ ହଟିବାକୁ ପଡ଼ିବ ବୋଲି ସେ କହିଛନ୍ତି। କେଜ୍ରିୱାଲଙ୍କ ବାସଭବନ ବାହାରେ ସୁରକ୍ଷା ବୃଦ୍ଧି କରାଯିବା ସହ ଆପ୍ର ଜାତୀୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି।

1 hour ago
1


