protest: ସିଇସି ହଟାଓ ବିକ୍ଷୋଭ ଦିଲ୍ଲୀରେ ମହାସଂଗ୍ରାମ : ଚାରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ୪୦୦୦ ଅଟକ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ (ଆଇସା) ପକ୍ଷରୁ ଆହୂତ ଗଣ-ଆନ୍ଦୋଳନକୁ ନେଇ ଶନିବାର ରାଜଧାନୀ ଦିଲ୍ଲୀରେ ଅଭୂତପୂର୍ବ ରାଜନୈତିକ ସଂଗ୍ରାମ ଦେଖିବାକୁ ମିଳିଛି। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ଭୋଟର ପରିଚୟ ପତ୍ର ତାଲିକାରେ ବ୍ୟାପକ ଅସଙ୍ଗତି ଏବଂ ଫର୍ମ ୬ରେ ପରିବର୍ତ୍ତନକୁ ବିରୋଧ କରି ଏହି ବିକ୍ଷୋଭର ଡାକରା ଦିଆଯାଇଥିଲା। ତେବେ ଦିଲ୍ଲୀ ପୁଲିସ ଏହି ଆନ୍ଦୋଳନ ପାଇଁ ଅନୁମତି ପ୍ରଦାନ କରିନଥିବା ବେଳେ ସମଗ୍ର ନୂଆଦିଲ୍ଲୀ ଅଞ୍ଚଳରେ ବିଏନ୍‌ଏସଏସର ଧାରା ୧୬୩ ଲାଗୁ କରି ସାରା ସହରକୁ ଏକ ସୁରକ୍ଷିତ ଦୁର୍ଗରେ ପରିଣତ କରିବା ସହ ପ୍ରାୟ ୪ ହଜାର ଲୋକଙ୍କୁ ଅଟକ ରଖିଛି। 

ଆହୁରି ପଢନ୍ତୁ :Global Oil: ରୁଷ୍‌ରୁ ତେଲ କିଣିବ ଆମେରିକା, ଟ୍ରମ୍ପଙ୍କ ଘୋଷଣାକୁ ଜେଲେନସ୍କିଙ୍କ ସମାଲୋଚନା

ପୁଲିସ ପ୍ରଶାସନର ଏହି କଠୋର ଆଭିମୁଖ୍ୟ ଓ ଆଗୁଆ ଗିରଫଦାରୀ ଯୋଗୁଁ ସିଜେପିର ପ୍ରାଥମିକ ରଣନୀତି ବିଫଳ ହୋଇଛି। ଶନିବାର ସକାଳ ସମୟରୁ ହିଁ ଦିଲ୍ଲୀ ପୁଲିସ, ସିଏପିଏଫ୍‌, ବିଏସ୍‌ଏଫ୍‌ ଏବଂ ଆରଏଏଫ୍‌କୁ ମିଶାଇ ପ୍ରାୟ ୨୫ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରାଯାଇଥିଲା। ଗାଜିପୁର, ଟିକ୍ରି ଓ ଚିଲ୍ଲା ସମେତ ଦିଲ୍ଲୀର ସମସ୍ତ ପ୍ରମୁଖ ସୀମାକୁ ବାରିକେଡ୍ ଦ୍ୱାରା ସମ୍ପୂର୍ଣ୍ଣ ସିଲ୍ କରାଯାଇ ଗାଡ଼ିଗୁଡ଼ିକର ଯାଞ୍ଚ ଆରମ୍ଭ କରାଯାଇଥିଲା। ଏହି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସମନ୍ୱୟକାରୀ ସୌରଭ ଦାସ ଓ ଆଶୁତୋଷ ରାଙ୍କା ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଭିତରୁ ହିଁ ପୁଲିସର ଏକ ବରିଷ୍ଠ ଅଧିକାରୀଙ୍କ ଟିମ୍‌ ସେମାନଙ୍କୁ ଅଟକ ରଖିଥିଲା। ଅଟକ ପୂର୍ବରୁ ଦୀପକେ ବିମାନ ଭିତରୁ ଏକ ଭିଡିଓ ବାର୍ତ୍ତା ଲାଇଭ୍-ଷ୍ଟ୍ରିମିଂ କରି ତାଙ୍କ ଅନୁପସ୍ଥିତିରେ ଦଳର ସଂଗଠନ ପ୍ରଭାରୀ ଅଜିଙ୍କ୍ୟ ସିନ୍ଦେ ଆନ୍ଦୋଳନର ମଙ୍ଗ ଧରିବାକୁ କହିଥିଲେ। ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଯନ୍ତର ମନ୍ତରରେ ଏକତ୍ରିତ ହେବାକୁ ସିଜେପି ନେତାମାନେ ଆହ୍ବାନ ଦେଇଥିଲେ।

ଆହୁରି ପଢନ୍ତୁ :Solar Storm: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌରଝଡ଼, ଆଜି ପହଞ୍ଚିବା ସମ୍ଭାବନା

ପୁଲିସର ଏହି ପ୍ରତିଷେଧମୂଳକ କାର୍ଯ୍ୟାନୁଷ୍ଠାନ କେବଳ ବିମାନ ବନ୍ଦରରେ ସୀମିତ ନଥିଲା, ବରଂ ଗୁରୁଗ୍ରାମ ପୁଲିସ ସହାୟତାରେ ବିବାଦୀୟ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ତାଙ୍କ ବାସଭବନରୁ ଅଟକ ରଖାଯାଇଥିଲା। ଯନ୍ତର ମନ୍ତର ଏବଂ କନଟ୍ ପ୍ଲେସ ଅଞ୍ଚଳରେ ପୁଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ମିଣ୍ଟୋ ବ୍ରିଜ୍ ନିକଟରେ ସିପିଆଇ(ଏମ୍), ଆଇସା ଓ ଏଫ୍‌ଏଫଆଇ କର୍ମୀମାନେ ପ୍ରଥମ ସୁରକ୍ଷା ବଳୟ ଭାଙ୍ଗିବାକୁ ଚେଷ୍ଟା କରି ଗିରଫ ହୋଇଥିଲେ । ରାଜଧାନୀର ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା ମୂଳକ ବ୍ୟବସ୍ଥା ସ୍ୱରୂପ ୬୦୦ରୁ ଅଧିକ ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇଛି। ଯନ୍ତର ମନ୍ତର ନିକଟରୁ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ସାଧାରଣ ସମ୍ପାଦକ ଏମ୍ଏ ବେବି ଏବଂ ବୃନ୍ଦା କାରାତଙ୍କୁ ପୁଲିସ ଉଠାଇ ନେଇ ଏକ ଅସ୍ଥାୟୀ ଜେଲ୍‌ରେ ପରିଣତ ହୋଇଥିବା ଛତ୍ରସାଲ ଷ୍ଟାଡିୟମରେ ଅଟକ ରଖିଛି।

ଆହୁରି ପଢନ୍ତୁ :Delhi: ଟ୍ରେନ୍ ବାତିଲ, ଇଣ୍ଟରନେଟ୍ ସ୍ଥଗିତ, ୟୁପିଆଇ ଠପ୍‌ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ

ଆନ୍ଦୋଳନର ବ୍ୟାପକତାକୁ ଦେଖି ଦିଲ୍ଲୀ ପୁଲିସ ଦେଶର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ପିନାରାୟୀ ବିଜୟନ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ସାମିଲ ଅଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଉଥ୍ ଆଭେନ୍ୟୁ ବସ୍ ଷ୍ଟାଣ୍ଡ ନିକଟରେ ରାସ୍ତା ଉପରେ ଧାରଣାରେ ବସିଥିବା ବେଳେ ତାଙ୍କକୁ ଅଟକ ରଖି ଯେଉଁ ଥାନାକୁ ନିଆଯାଇଥିଲା, ସେ ସେହି ଥାନା ଭିତରେ ହିଁ ନିଜର ପ୍ରତିବାଦ ଧାରଣା ଦେଇଥିଲେ। ଯନ୍ତର ମନ୍ତରରେ କଡ଼ା କଟକଣା ଯୋଗୁଁ ଆଇସା ନେତ୍ରୀ ନେହା ବୋରା, ଯୋଗେନ୍ଦ୍ର ଯାଦବ ଏବଂ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ‘ଦିଲ୍ଲୀ ହାଟ୍’ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ଏହି ପ୍ରତିବାଦର ପ୍ରଭାବ ଦିଲ୍ଲୀ ବାହାରକୁ ମଧ୍ୟ ବ୍ୟାପିଛି। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରୁ ବିଶିଷ୍ଟ ସାମାଜିକ କର୍ମୀ ତୁଷାର ଗାନ୍ଧୀ ଏବଂ ଚଣ୍ଡିଗଡ଼ରୁ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ପୁଲିସ ଅଟକ ରଖିଛି। ସାଧାରଣ ଯାତ୍ରୀ ଏବଂ ପ୍ରତିବାଦକାରୀଙ୍କୁ ମିଶାଇ ଏପର୍ଯ୍ୟନ୍ତ ପ୍ରାୟ ୪,୦୦୦ ଅଧିକ ଅଟକ ଥିବା ଜଣାପଡ଼ିଛି।

ଆହୁରି ପଢନ୍ତୁ :Kiara Advani: ଦ୍ୱିତୀୟ ଥର ପାଇଁ ମା’ ହେବେ କିଆରା!

ଏହି ସମଗ୍ର ଘଟଣାକ୍ରମ ମଧ୍ୟରେ କନଟ୍ ପ୍ଲେସ ନିକଟରେ ପ୍ରତିବାଦ ଉଗ୍ର ରୂପ ଧାରଣ କରିଥିଲା। ଯନ୍ତର ମନ୍ତରଠାରୁ ଅଳ୍ପ ଦୂରରେ ଥିବା କନଟ୍ ପ୍ଲେସରେ ଏକତ୍ରିତ ହୋଇଥିବା ପ୍ରାୟ ୧୫୦ ଜଣ ପ୍ରତିବାଦକାରୀଙ୍କୁ ପୁଲିସ ତତ୍କାଳ ଅଟକ ରଖିଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ୫୦ ଜଣ ଆନ୍ଦୋଳନକାରୀ ପୁଲିସ ଉପରକୁ ପ୍ରବଳ ପଥରମାଡ଼ କରିଥିଲେ। ଏଥିରେ ଦୁଇ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ତତ୍କାଳ ସମସ୍ତ ୫୦ ଜଣଙ୍କୁ ଅଟକ ରଖିଥିଲା।ସୁରକ୍ଷା ଦୃଷ୍ଟିରୁ ସହରର ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବା ସହ ୨୧୦ରୁ ଅଧିକ ଟ୍ରେନ ବାତିଲ କରାଯାଇଛି ଏବଂ କେନ୍ଦ୍ରୀୟ ଦିଲ୍ଲୀରେ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି।

ଆହୁରି ପଢନ୍ତୁ :Train Cancellation: ଦିଲ୍ଲୀରେ ସିଜେପି ଆନ୍ଦୋଳନ ପାଇଁ ୭୫ଟି ଟ୍ରେନ୍‌ ବାତିଲ

 କନଟ୍ ପ୍ଲେସ୍ ମାର୍କେଟ୍ ବନ୍ଦ ଯୋଗୁଁ ବ୍ୟବସାୟୀଙ୍କର ପ୍ରାୟ ୨,୦୦୦ କୋଟି ଟଙ୍କାର କ୍ଷତି ହୋଇଛି।
ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜଧାନୀକୁ ପଣବନ୍ଦୀ କରି ହିଂସା ସୃଷ୍ଟି କରିବାକୁ ଚାହୁଥିବା ଅରାଜକତାବାଦୀମାନେ ଆଜି ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବିରୋଧୀଙ୍କ ଏହି ଫ୍ଲପ୍‌ ସୋ’ ଭିତରେ କଂଗ୍ରେସ ଓ ଆପ୍ ଆନ୍ଦୋଳନର ଶ୍ରେୟ ପାଇଁ ନିଜ ନିଜ ଭିତରେ ହିଁ ଲଢ଼େଇ ଚଳାଇଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ପଶ୍ଚିମବଙ୍ଗ ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ ମଧ୍ୟ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ରୋକିବା ପାଇଁ ଏକ ଦେଶବିରୋଧୀ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି। ଅପରପକ୍ଷରେ, ବିରୋଧୀ ଦଳଗୁଡ଼ିକ ଏହି ବ୍ୟାପକ ଦମନଲୀଳାକୁ ‘ସମ୍ପୂର୍ଣ୍ଣ ଏକଛତ୍ରବାଦ’ ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.