ARTICLE AD BOX
ନୂଆଦିଲ୍ଲୀ: ଫ୍ଲାଏଦୁବାଇର ଏକ ଯାତ୍ରୀବାହୀ ବିମାନରେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)। ଏହି ଘଟଣାରେ ବିମାନ ଅପହରଣ ନିରୋଧୀ ଆଇନ, ୨୦୧୬ ଏବଂ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ), ୧୯୬୭ର ବିଭିନ୍ନ ଧାରା ଲାଗୁ କରାଯାଇଛି। ଅକ୍ଟୋବର ୯ରେ ଏହି ମାମଲା ରୁଜୁ ହୋଇଥିବା ବେଳେ ଘଟଣା ପଛରେ ବଡ଼ ଷଡ଼୍ଯନ୍ତ୍ର ରହିଛି କି ନାହିଁ, ତାହାର ତଦନ୍ତ କରିବାକୁ କେନ୍ଦ୍ର ସରକାର ଏନ୍ଆଇଏକୁ ନିର୍ଦ୍ଦେଶ ଦେଇଛନ୍ତି।
ସେପ୍ଟେମ୍ବର ୩୦ରେ ଦୁବାଇରୁ ଇସ୍ରାଏଲର ତେଲ୍ ଅଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇର ଏଫ୍ଜେଡ୍ ୧୦୭୩ ବିମାନରେ ଏହି ଘଟଣା ଘଟିଥିଲା। ବିମାନରେ ୧୭୪ ଜଣ ଯାତ୍ରୀ ଓ ୬ ଜଣ କର୍ମଚାରୀ ଥିଲେ। ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଇସ୍ରାଏଲୀ ଥିବା ଜଣାପଡ଼ିଛି। ଭାରତୀୟ ନାଗରିକ କ୍ୟାପ୍ଟେନ୍ ମାଚ୍ଛର ବିମାନ ଚଳାଉଥିବା ବେଳେ ଓମାନର ସହକାରୀ ପାଇଲଟ୍ ହମାମ୍ ଅଲ୍-ହମାମି ମଧ୍ୟ କକ୍ପିଟ୍ରେ ଥିଲେ। ଏନ୍ଆଇଏର ଏଫ୍ଆଇଆର୍ ଅନୁଯାୟୀ, ସେଦିନ ସକାଳ ୭ଟା ୫ ମିନିଟ୍ରେ ବିମାନଟି ଦୁବାଇରୁ ଉଡ଼ାଣ ଆରମ୍ଭ କରିଥିଲା। ସକାଳ ପ୍ରାୟ ୯ଟା ୨୧ ମିନିଟ୍ରେ ଜୋର୍ଡାନ୍-ସାଉଦି ଆରବ ସୀମା ନିକଟରେ ଉଡ଼ୁଥିବା ବେଳେ ବିମାନଟି ହଠାତ୍ ଦ୍ରୁତ ଗତିରେ ତଳକୁ ଖସିଥିଲା ଏବଂ ସାଉଦି ଆରବ ଆକାଶସୀମାକୁ ଫେରିଥିଲା।
ମାଚ୍ଛରଙ୍କୁ ଛୁରିରେ ଆକ୍ରମଣ
ଅଭିଯୋଗ ଅନୁସାରେ, ସହକାରୀ ପାଇଲଟ୍ କ୍ୟାପ୍ଟେନ୍ ମାଚ୍ଛରଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ବିମାନକୁ ଅପହରଣ କରିବା କିମ୍ବା ତାହାକୁ ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଯାତ୍ରୀଙ୍କ ବୟାନରୁ ସନ୍ଦେହ କରାଯାଇଛି। ଏହି ଆକ୍ରମଣରେ ମାଚ୍ଛରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତା’ ସତ୍ତ୍ବେ ସେ ଲଢ଼େଇ କରି କକ୍ପିଟ୍ ଦରଜା ଖୋଲିବା ପରେ ଅନ୍ୟ ଯାତ୍ରୀ ଓ ବିମାନ କର୍ମଚାରୀମାନେ ଅଭିଯୁକ୍ତ ସହକାରୀ ପାଇଲଟ୍ଙ୍କୁ କାବୁ କରିଥିଲେ।
ବିମାନର ସୁରକ୍ଷିତ ଅବତରଣ
ବିମାନରେ ଥିବା ଅନ୍ୟ ପାଇଲଟ୍ମାନେ ନିୟନ୍ତ୍ରଣ ହାତକୁ ନେଇ ସକାଳ ୧୦ଟା ୪୫ ମିନିଟ୍ରେ ଉତ୍ତର-ପଶ୍ଚିମ ସାଉଦି ଆରବର ତାବୁକ୍ସ୍ଥିତ ପ୍ରିନ୍ସ ସୁଲତାନ ବିନ୍ ଅବଦୁଲ ଅଜିଜ୍ ବିମାନବନ୍ଦରରେ ବିମାନର ସୁରକ୍ଷିତ ଅବତରଣ କରାଇଥିଲେ। ଅବତରଣ ପରେ ସାଉଦି କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଘଟଣାର ଗୁରୁତ୍ୱ ଓ ଏହାର ଜାତୀୟ-ଅନ୍ତର୍ଜାତୀୟ ପ୍ରଭାବକୁ ଦୃଷ୍ଟିରେ ରଖି ତଦନ୍ତ ଦାୟିତ୍ୱ ଏନ୍ଆଇଏକୁ ଦିଆଯାଇଛି। ଅଭିଯୁକ୍ତ ଏକାକୀ ଏହି ଘଟଣା ଘଟାଇଥିଲେ ନା ଏହା ପଛରେ ଅନ୍ୟ କୌଣସି ସଂଗଠନ ବା ଲୋକଙ୍କ ସମ୍ପୃକ୍ତି ରହିଛି, ତାହା ତଦନ୍ତର ମୁଖ୍ୟ ପ୍ରସଙ୍ଗ ହେବ। ଏଥିପାଇଁ ଅନ୍ୟ ଦେଶର ତଦନ୍ତକାରୀ ସଂସ୍ଥା ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହଯୋଗ ନିଆଯାଇପାରେ।

56 minutes ago
1


