ARTICLE AD BOX
ରାଞ୍ଚି: ଝାଡ଼ଖଣ୍ଡରେ ଜେପିଏସ୍ସି-ଜେଏସ୍ଏସ୍ସି ପରୀକ୍ଷାରେ କଥିତ ଅନିୟମିତତାର ତଦନ୍ତ ଓ ନିଯୁକ୍ତି ବ୍ୟବସ୍ଥାରେ ସଂସ୍କାର ଦାବିରେ ଚାଲିଥିବା ଛାତ୍ର ଓ ଚାକିରି ଆଶାୟୀଙ୍କ ଆନ୍ଦୋଳନ ରବିବାର ୨୩ତମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ରାଞ୍ଚିରେ ଅନଶନରେ ବସିଥିବା ଛାତ୍ର ଆନ୍ଦୋଳନକାରୀ ପ୍ରେମ ନାୟକ ସରକାରଙ୍କ ଉପରେ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। ଦୀର୍ଘ ୧୩ ଦିନର ଅନଶନ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବା, ଶୁକ୍ରବାର ତାଙ୍କୁ ଜ୍ୱର ହୋଇଥିବା ଓ ତାଙ୍କ ବଞ୍ଚିବା ସମ୍ଭାବନା କମ୍ ଥିବା ସେ କହିଛନ୍ତି।
ଆନ୍ଦୋଳନକାରୀମାନେ ଅଗଷ୍ଟ ୨୦ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ ଘେରାଉ କରିବାକୁ ଘୋଷଣା କରିଛନ୍ତି। ଏଥର ପ୍ରଥମଥର ପାଇଁ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ପ୍ରସଙ୍ଗରେ ସୋରେନଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି। ତେବେ ଘେରାଉ ପରିବର୍ତ୍ତେ ‘ଜେଲ୍ ଭରୋ ଆନ୍ଦୋଳନ’ ଅଧିକ ଉପଯୁକ୍ତ ହେବ ବୋଲି ପ୍ରେମ ନାୟକ ମତ ଦେଇଛନ୍ତି। ସ୍କୁଲ ଓ କଲେଜ ବନ୍ଦ କରିବା ଭଳି ପଦକ୍ଷେପ ନେବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଜେପିଏସ୍ସି-ଜେଏସ୍ଏସ୍ସି ରିଫର୍ମସ୍ ମଞ୍ଚ ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷା ଏବଂ ୧୧ଶରୁ ୧୩ଶ ଜେପିଏସ୍ସି ପରୀକ୍ଷା ବାତିଲ କରିବା ସହ ଅନିୟମିତତାର ସିବିଆଇ ତଦନ୍ତ ଦାବି କରିଛି।
ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି: ଏକମାସ ଭିତରେ ରାଜ୍ୟରୁ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା
ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରି ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି। ଏହି ଆନ୍ଦୋଳନରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ମେଣ୍ଟ ଉପରେ ମଧ୍ୟ ଛାତ୍ରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜେପିଏସ୍ସି-ଜେଏସ୍ଏସ୍ସି ରିଫର୍ମସ୍ ମଞ୍ଚର ନେତା ରବୀନ୍ଦ୍ର ପାସୱାନ କହିଛନ୍ତି, ଅଗଷ୍ଟ ୨୦ରେ ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଉ କରାଯିବ। ମୁଖ୍ୟମନ୍ତ୍ରୀ ଦାବି ନ ଶୁଣିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ସରକାରରୁ ସମର୍ଥନ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।
୧୫ ଅଗଷ୍ଟରେ ଆନ୍ଦୋଳନକାରୀମାନେ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମ୍ରୁ ଆଲବର୍ଟ ଏକ୍କା ଚୌକ ପର୍ଯ୍ୟନ୍ତ ‘ତିରଙ୍ଗା ଯାତ୍ରା’ କରିଥିଲେ। ଏଥିରେ ହଜାର ହଜାର ଛାତ୍ର ଓ ଚାକିରି ଆଶାୟୀ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଅନଶନରେ ଥିବା ଜେଏଲ୍କେଏମ୍ ନେତା ଦେବେନ୍ଦ୍ରନାଥ ମାହାତୋ ପୁଲିସ ତାଙ୍କୁ ହସ୍ପିଟାଲରୁ ବାହାରି ଯାତ୍ରାରେ ଯୋଗଦେବାକୁ ଦେଇନଥିବା ଅଭିଯୋଗ କରିଛନ୍ତି।

1 hour ago
2


