ARTICLE AD BOX
ଇସଲାମାବାଦ: ପାକିସ୍ତାନର ଲାହୋର ସହରରେ ବାୟୁ ପ୍ରଦୂଷଣ ଅତି ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏହି ସମୟରେ ଭାରତରେ ଦୀପାବଳି ଉତ୍ସବରେ ବାଣଫୁଟା ଯୋଗୁଁ ଲାହୋରର ବାୟୁ ପ୍ରଦୂଷିତ ହୋଇଥିବା ପାକିସ୍ତାନର ପଞ୍ଜାବ ପ୍ରଦେଶର ପରିବେଶ ମନ୍ତ୍ରୀ ମରିୟମ୍ ଔରଙ୍ଗଜେବ ଅଭିଯୋଗ କରିଥିଲେ। କିନ୍ତୁ ପାକିସ୍ତାନର ନିଜସ୍ୱ ବାୟୁ ପ୍ରଦୂଷଣ ଗବେଷଣା ସଂସ୍ଥା ପାକିସ୍ତାନ ଏୟାର୍ କ୍ୱାଲିଟି ଇନିସିଏଟିଭ୍ (ପିଏକ୍ୟୁଆଇ)ର ଏକ ରିପୋର୍ଟ ଏହି ଅଭିଯୋଗକୁ ସମର୍ଥନ କରିବା ଭଳି ପ୍ରମାଣ ଦେଇପାରି ନାହିଁ। ବରଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବ୍ୟାପକ ନଡ଼ାପୋଡ଼ି ଏହି ପ୍ରଦୂଷଣର ପ୍ରମୁଖ କାରଣ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ପିଏକ୍ୟୁଆଇର ରିପୋର୍ଟ ଅନୁସାରେ, ଅକ୍ଟୋବର ୧ରୁ ନଭେମ୍ବର ୯ ମଧ୍ୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଉପଗ୍ରହ ତଥ୍ୟ ଆଧାରରେ ୧୬,୭୧୪ଟି ସମ୍ଭାବ୍ୟ ନଡ଼ାପୋଡ଼ି ଘଟଣା ଚିହ୍ନଟ ହୋଇଛି। ଏହି ସମୟରେ ମୋଟ ୧୮,୮୨୫ଟି ଅଗ୍ନିକାଣ୍ଡ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୮୯ ପ୍ରତିଶତ ଘଟଣାକୁ ଫସଲ ଅବଶେଷ ପୋଡ଼ିବା ସହ ସମ୍ପୃକ୍ତ ବୋଲି ବର୍ଗୀକୃତ କରାଯାଇଛି। ଲାହୋରରେ ଏହି ସମୟରେ ସୂକ୍ଷ୍ମ ଧୂଳିକଣା ପିଏମ୍୨.୫ର ହାରାହାରି ମାତ୍ରା ଘନମିଟର ପ୍ରତି ୧୨୬ ମାଇକ୍ରୋଗ୍ରାମ୍ ରହିଥିଲା, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶିତ ମାତ୍ରାର ପ୍ରାୟ ୮ ଗୁଣ।
ନଭେମ୍ବର ୮ରେ ଭାରତରେ ଦୀପାବଳି ପାଳନ ପରେ ଲାହୋରର ପ୍ରଦୂଷଣ ବଢ଼ିଥିବା ଅଭିଯୋଗର ମଧ୍ୟ ଏହି ସଂସ୍ଥା ଯାଞ୍ଚ କରିଥିଲା। ରିପୋର୍ଟ ଅନୁସାରେ, ନଭେମ୍ବର ୮ ରାତିରୁ ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାହୋର, କସୁର ଓ ସିଆଲକୋଟ ଆଡ଼କୁ ଆସୁଥିବା ୪୮ଟି ବାୟୁପ୍ରବାହର ଗତିପଥ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୪୫ଟି ଗତିପଥ ପୂର୍ବ ୧୨ ଘଣ୍ଟା ମଧ୍ୟରେ ଭାରତୀୟ ଅଞ୍ଚଳ ଦେଇ ଆସିଥିଲା। ତେବେ ଏହା ମାତ୍ର ଭାରତରୁ ପ୍ରଦୂଷଣ ଆସିଥିବାର ପ୍ରମାଣ ନୁହେଁ। ବାଣଫୁଟା ଯୋଗୁଁ ଲାହୋରର ପ୍ରଦୂଷଣ ବଢ଼ିଥିବାର କୌଣସି ନିର୍ଣ୍ଣାୟକ ପ୍ରମାଣ ମିଳିନାହିଁ ବୋଲି ରିପୋର୍ଟରେ କୁହାଯାଇଛି।
Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ, ଏକ୍ୟୁଆଇ ୩୭୬ ଛୁଇଁଲା
ଏହା ସହିତ ସୀମାଠାରୁ ଦୂରରେ ଥିବା ଫୈସଲାବାଦ ଓ ମୁଲତାନ ଭଳି ସହରରେ ପିଏମ୍୨.୫ର ମାତ୍ରା ଲାହୋର ତୁଳନାରେ ଅଧିକ ଥିବା ଦେଖାଯାଇଛି। ଏହା ମଧ୍ୟ ସୀମାପାର ପ୍ରଦୂଷଣକୁ ଏକମାତ୍ର କାରଣ ଭାବେ ଗ୍ରହଣ କରିବାରେ ବାଧା ସୃଷ୍ଟି କରୁଛି। ତେବେ ପାଣିପାଗର ସ୍ଥିରତା ଓ ପବନର ମନ୍ଥର ଗତି ଯୋଗୁଁ ପ୍ରଦୂଷଣକାରୀ କଣିକା ବାୟୁମଣ୍ଡଳରେ ଜମା ହୋଇ ରହିବା ମଧ୍ୟ ଏହାର ଅନ୍ୟତମ କାରଣ। ସ୍ୱିଜରଲାଣ୍ଡର ଆଇକ୍ୟୁଏୟାର ସଂସ୍ଥାର ତଥ୍ୟ ଅନୁସାରେ, ଚଳିତ ସପ୍ତାହରେ ଲାହୋର ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ପ୍ରମୁଖ ସହର ଭାବେ ସ୍ଥାନ ପାଇଥିଲା। ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୫୯୦ରେ ପହଞ୍ଚିଥିବା ବେଳେ ଘଣ୍ଟାଭିତ୍ତିକ ଏକ ତଥ୍ୟରେ ଏହା ୬୪୭ ରେକର୍ଡ ହୋଇଥିଲା।

1 hour ago
1


