ARTICLE AD BOX
କଟକ: ପୁରୀରଥଯାତ୍ରା ଜୁଲାଇ ୧୬ରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥର ଜଳ, ସ୍ଥଳ ଓ ଆକାଶମାର୍ଗରୁ କଡ଼ା ନଜର ରଖାଯିବ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଲାଗି ଆକାଶମାର୍ଗରେ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥାକୁ ସକ୍ରିୟ କରାଯିବ। ସେଭଳି କୌଣସି ଗତିବିଧି ଦେଖିବାକୁ ମିଳିଲେ ଏହାକୁ ନଷ୍ଟ କରିଦିଆଯିବ ବୋଲି ମଙ୍ଗଳବାର ଅପରାହ୍ଣରେ କଟକ ପୁଲିସ ମୁଖ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।
Rathayatra: ରଥ ଅଙ୍ଗ ବିୟରିଂ କାର୍ଯ୍ୟ କରେ ‘ପନ୍ଦାରି’
ପୁଲିସ ଡିଜି ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ପୁଲିସ, ରେଳ ସୁରକ୍ଷା ବଳ ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଉତ୍ତମ ସମନ୍ୱୟ ରକ୍ଷା କରି ମିଳିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଜଳ, ସ୍ଥଳ ଏବଂ ଆକାଶମାର୍ଗରୁ ନଜର ରଖିବା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହା ସହ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ସମୁଦ୍ର ମଧ୍ୟରେ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ ଓ ଓଡ଼ିଶା ପୁଲିସ ସାମୁଦ୍ରିକ ଥାନାର ମିଳିତ ପାଟ୍ରୋଲିଂ ବ୍ୟବସ୍ଥା ସହିତ ଜାହାଜରେ କ୍ୟୁଆର୍ଟି ମୁତୟନ, ଆକାଶମାର୍ଗରୁ ଆକ୍ରମଣକୁ ପ୍ରତିହତ ପାଇଁ ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଣ୍ଟି-ସାବୋଟାଜ୍ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହିତ ସନ୍ଦେହଜନକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ।
ଆକାଶ ମାର୍ଗରେ ବେଆଇନ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ। ଏହାସହ ଯେକୌଣସି ଜରୁରିକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ନିଫର୍ ଡଗ୍ ଟିମ୍କୁ ସର୍ବଦା ହାଇ-ଆଲର୍ଟରେ ରଖାଯିବା ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ଏହାସହ ମନ୍ଦିର ନିକଟରେ ରକ୍ଷକ ଯାନ, କେ-୯ ସ୍କ୍ୱାଡ୍, ଏନ୍ଏସ୍ଜି ତାଲିମପ୍ରାପ୍ତ ଏସ୍ଓଜି ଓ ଏସ୍ଟିୟୁ ଟିମ୍ ମୁତୟନ, ଦଳାଚକଟା ପରି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ପୁଲିସ ଫୋର୍ସଙ୍କ ରହଣି ପାଇଁ ଆବଶ୍ୟକ ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ୍ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ତୁରନ୍ତ ସମସ୍ୟାର ସମାଧାନ ଏବଂ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ।
Rathayatra: ଲାଗିଲା ଲୀଳାମୟଙ୍କ ଲୀଳା: ଗଢ଼ା ହେଉଥିଲା ୬ ରଥ
ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ତୃଣମୂଳସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ପରିସ୍ଥିତିରେ ଯେପରି ତ୍ରୁଟିବିଚ୍ୟୁତି ନ ଘଟେ, ସେଥିପାଇଁ ପ୍ରତ୍ୟେକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଡିଜି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ନିର୍ଦ୍ଦେଶକ (ଏସଆଇବି) ରାଜେଶ ସୁବର୍ଣ୍ଣ, ଏଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଏଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜି (ଏସ୍ଏପି) ରାଜେଶ କୁମାର, ଆଇଜିପି (ସିଆର୍ପିଏଫ୍) ଅମିତେନ୍ଦ୍ରନାଥ ସିହ୍ନା, ଆଇଜିପି (ଅପରେସନ୍) ଡକ୍ଟର ଦୀପକ କୁମାର, ଆଇଜିପି (ଆର୍ପିଏଫ୍) ଆଲୋକ ଭୋରା ଉପସ୍ଥିତ ଥିଲେ। ଆଇଜି (କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାୟକ, ପୁରୀ ଏସ୍ପି ପ୍ରତୀକ ସିଂ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

1 hour ago
1


