ARTICLE AD BOX
ନୂଆଦିଲ୍ଲୀ:ବ୍ୟାଙ୍କ, ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟ ଭଳି ଶତାଧିକ ସେବା ଏବେ ମୋବାଇଲ୍ ଫୋନ୍ରେ ଉପଲବ୍ଧ ହୋଇପାରିଛି ବୋଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମ୍ସି) ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଲେ, ମୋବାଇଲ୍ ଆଉ କେବଳ ଗପ ହେବା ଓ ଚାଟ୍ କରିବା ଭିତରେ ସୀମିତ ନାହିଁ। ସାଧାରଣ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଏହା ସବୁଠୁ ବଡ଼ ମାଧ୍ୟମରେ ପରିଣତ ହୋଇଛି। ଭାଷା ଓ ଦୂରତାର ପ୍ରତିବନ୍ଧକ ଶେଷ ହୋଇଛି। ଲୋକମାନଙ୍କୁ ଆଉ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ୁନାହିଁ କିମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁନି।
ସମୟ ଓ ଟଙ୍କା ଉଭୟ ସଞ୍ଚୟ ହୋଇପାରୁଛି
ଫଳରେ ସେମାନଙ୍କ ଉଭୟ ସମୟ ଓ ଟଙ୍କା ଉଭୟ ସଞ୍ଚୟ ହୋଇପାରୁଛି। ମୋବାଇଲ୍ ଫୋନ୍ର ଲାଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରାଯାଉଛି। ଏହାଦ୍ବାରା ୫ ଲକ୍ଷ କୋଟି ଟଙ୍କା ବାଟମାରଣା ହେବାରୁ ବନ୍ଦ ହୋଇଯାଇଛି। ଯେଉଁମାନଙ୍କ ହାତକୁ ସେହି ଟଙ୍କା ଯିବାର ଥିଲା ସେମାନେ ମୋଦୀକୁ ପସନ୍ଦ କରୁନାହାନ୍ତି। ସେମାନେ ଯେତେ ଚିତ୍କାର କଲେ ମଧ୍ୟ ଲୋକଙ୍କ ହିତରେ କାମ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।
ସେ ଜଣେ ସ୍ବାଧୀନ ଆତ୍ମା ଥିଲେ
ଏହି ଅବସରରେ ସେ ଆଜି ଦେହାନ୍ତ ହୋଇଥିବା ବଲିଉଡ୍ ଅଭିନେତା ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୋଦୀ ତାଙ୍କ ବିଷୟରେ କହିଥିଲେ, ସେ ଜଣେ ଚମତ୍କାର କଳାକାର ଥିଲେ ଯିଏ ବିଭିନ୍ନ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ତାଙ୍କ ଜାତୀୟ ଭାବନାକୁ ପ୍ରଶଂସା କରି ସେ କହିଥିଲେ, ସେ ଜଣେ ସ୍ବାଧୀନ ଆତ୍ମା ଥିଲେ। ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ତ୍ରିରଙ୍ଗାର ସମ୍ମାନ ଓ ଗୌରବ ପାଇଁ ସମର୍ପିତ ଥିଲା। ସେ ଜଣେ ସିନେମା ବିପ୍ଳବୀ ଥିଲେ। ତାଙ୍କ ତୀକ୍ଷ୍ଣ ସଂଳାପ ଓ ଶକ୍ତିଶାଳୀ ନିରବତା ସାମାଜିକ କୁସଂସ୍କାର ଓ ରାଷ୍ଟ୍ରବିରୋଧୀ ଉପାଦାନଗୁଡ଼ିକ ବିରୋଧରେ ନିରନ୍ତର ପ୍ରହାର କରୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Elon Musk: ମସ୍କଙ୍କ ଅଭିଯୋଗକୁ ସରକାରଙ୍କ ଖଣ୍ଡନ: ଷ୍ଟାର୍ଲିଙ୍କକୁ ଅଟକାଯାଉନାହିଁ
ଇଣ୍ଡିଆନ ମୋବାଇଲ୍ କଂଗ୍ରେସର ଏହି ଦଶମ ସଂସ୍କରଣରେ ୫ଜି, ୬ଜି, ଏଆଇ, କ୍ବାଣ୍ଟମ୍ କମ୍ପ୍ୟୁଟିଂ ଓ ସେମିକଣ୍ଡକ୍ଟର ଉପରେ ଗୁରୁତ୍ବାରୋପ କରାଯାଇଛି। ଏଥିରେ ୧୦୦ରୁ ଅଧିକ ଦେଶ, ୬୦୦ରୁ ଅଧିକ ଷ୍ଟାର୍ଟଅପ୍, ୫୦୦ରୁ ଅଧିକ ପ୍ରଦର୍ଶନକାରୀ ଭାଗ ନେଇଛନ୍ତି।

1 hour ago
1


