Plastic mark: ମନ୍ଥନ: ଆଧ୍ୟାତ୍ମିକ ଛାପ ନା ପ୍ଲାଷ୍ଟିକ ଚିହ୍ନ?

55 minutes ago 1
ARTICLE AD BOX

ଭାସ୍କର ପରିଛା

ତୀର୍ଥଯାତ୍ରା ସାଧାରଣତଃ ଆଧ୍ୟାତ୍ମିକ ଛାପଟିଏ ଛାଡ଼ିଯିବା କଥା, ପ୍ଲାଷ୍ଟିକର ଚିହ୍ନ ନୁହେଁ। କିନ୍ତୁ ଭାରତର ପବିତ୍ର ହିମାଳୟ ଏବେ ଧାର୍ମିକ ପର୍ଯ୍ୟଟନର ପରିବେଶଗତ ମୂଲ୍ୟ ଦେବା ଆରମ୍ଭ କରିଛି। ଏହା ଏକ ବିଡ଼ମ୍ବନା ବି ବାସ୍ତବତା ବି। ଲୋକେ ଶହ ଶହ କିଲୋମିଟର ଯାତ୍ରା କରୁଛନ୍ତି, ଅନେକ ସମୟରେ ଘଣ୍ଟା ଘଣ୍ଟା କିମ୍ବା ଦିନ ଦିନ ଚାଲି ଏହି ପବିତ୍ର ତୀର୍ଥରେ ପହଞ୍ଚୁଛନ୍ତି। କିନ୍ତୁ ପଛରେ ଛାଡ଼ି ଆସୁଛନ୍ତି ପ୍ଲାଷ୍ଟିକ ବୋତଲ, ଖାଦ୍ୟ ପ୍ୟାକେଟ, ବ୍ୟବହୃତ ପ୍ଲେଟ ଓ ଯାବତୀୟ ଆବର୍ଜନା।
କେଦାରନାଥ ନେଇ ସଦ୍ୟ ପ୍ରକାଶିତ ତଥ୍ୟ ଆମକୁ ସତର୍କ ଓ ବିଚଳିତ କରିବା କଥା। ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଏହି ତୀର୍ଥକ୍ଷେତ୍ରରୁ ପ୍ରାୟ ୫୦ ଟନ୍ ଆବର୍ଜନା ସଂଗ୍ରହ କରାଯାଇଛି। ୨୦୨୩ରୁ ୨୦୨୫ ଏହି ତିନି ବର୍ଷ ମଧ୍ୟରେ କେଦାରନାଥରେ ଜମା ହୋଇଥିବା ଆବର୍ଜନା ସର୍ବାଧିକ। ଏହା କେବଳ ଆବର୍ଜନା ପରିଚାଳନାର ସମସ୍ୟା ନୁହେଁ। ଏହା ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ପରିବେଶ ଅଞ୍ଚଳ ଭିତରେ ଅନ୍ୟତମ ହିମାଳୟ ଉପରେ ବଢ଼ୁଥିବା ତୀର୍ଥଯାତ୍ରୀଙ୍କ ଚାପର ଏକ ସ୍ପଷ୍ଟ ସଙ୍କେତ।
ଏହି ଚିନ୍ତାଜନକ ଚିତ୍ର ଭିତରେ ଆଶାର ଆଲୋକ ବି ଅଛି। ‘କ୍ୟାରି ମି ବ୍ୟାକ୍’ ଅଭିଯାନ ଅଧୀନରେ ପ୍ରାୟ ୫,୦୦୦ ତୀର୍ଥଯାତ୍ରୀ କେଦାରନାଥର ୧୮ କିଲୋମିଟର ଦୁର୍ଗମ ପଥ ଦେଇ ୧୨ ଟନ୍‌ରୁ ଅଧିକ ପ୍ଲାଷ୍ଟିକ ତଳକୁ ନେଇ ଆସିଛନ୍ତି। ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହା ଦ୍ବାରା ତୀର୍ଥଯାତ୍ରୀଙ୍କୁ କେବଳ ସୁବିଧା ଉପଭୋଗ କରୁଥିବା ପର୍ଯ୍ୟଟକ ଭାବେ ନୁହେଁ, ପରିବେଶ ସୁରକ୍ଷାର ଅଂଶୀଦାର ଭାବେ ମଧ୍ୟ ବିବେଚନା କରା ଯାଉଛି।।
କିନ୍ତୁ ସ୍ୱେଚ୍ଛାସେବୀ ଅଭିଯାନ କେବେ ବି ଦାୟିତ୍ୱବାନ ସରକାରୀ ନୀତିର ବିକଳ୍ପ ହୋଇପାରିବ ନାହିଁ। ଏଗୁଡ଼ିକ ଲୋକଙ୍କ ଆଚରଣ ବଦଳାଇପାରେ; କିନ୍ତୁ ଯେଉଁ ବ୍ୟବସ୍ଥା ସୀମିତ କ୍ଷମତା ଥିବା ପରିବେଶ ବ୍ୟବସ୍ଥା ଭିତରକୁ ବିପୁଳ ପରିମାଣର ଆବର୍ଜନାକୁ ପ୍ରବେଶ କରିବାକୁ ଦେଉଛି, ତାହାକୁ ସ୍ବେଚ୍ଛାସେବା ଅଭିଯାନ କଦାପି ସୁଧାରି ପାରିବ ନାହିଁ। କେଦାରନାଥ ଏହି ବଡ଼ ସମସ୍ୟାର କେବଳ ଗୋଟିଏ ଅଂଶ ମାତ୍ର।
ଚଳିତ ବର୍ଷର ଚାରିଧାମ ଯାତ୍ରାରେ ସେପ୍‌ଟେମ୍ବର ଶେଷ ସୁଦ୍ଧା ୮୦୦ ଟନ୍‌ରୁ ଅଧିକ ଆବର୍ଜନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ହେମକୁଣ୍ଡ ସାହିବ ଓ ଭ୍ୟାଲି ଅଫ୍ ଫ୍ଲାୱର୍ସ ଅଞ୍ଚଳର ଆବର୍ଜନାକୁ ମିଶାଇଲେ ଏହି ପରିମାଣ ୮୫୦ ଟନ୍ ଅତିକ୍ରମ କରିବ। ଆଚମ୍ବିତ କଲା ଭଳି କଥା ହେଉଛି ୩,୦୦୦ ମିଟରରୁ ଅଧିକ ଉଚ୍ଚତାରେ ମଧ୍ୟ ପ୍ଲାଷ୍ଟିକ ବୋତଲ, ଖାଦ୍ୟ ପ୍ୟାକେଟ ଓ ବ୍ୟବହୃତ ହୋଇ ସାରିଥିବା ପ୍ୟାକେଜିଂ ସାମଗ୍ରୀ ମିଳିଛି।
ଏହି ସବୁ ପରିସଂଖ୍ୟାନରୁ ଗୋଟିଏ କଥା ସ୍ପଷ୍ଟ। ସମତଳ ଅଞ୍ଚଳର ଉପଭୋଗ ସଂସ୍କୃତିକୁ ଆମେ ପାହାଡ଼ ଉପରକୁ ନେଇଯାଉଛୁ, କିନ୍ତୁ ପର୍ବତ ଶିଖରରେ ସୃଷ୍ଟି ହେଉଥିବା ଆବର୍ଜନା ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ଆମେ ସାଙ୍ଗରେ ନେଉନାହୁଁ।
ହିମାଳୟ କୌଣସି ସାଧାରଣ ପର୍ଯ୍ୟଟନସ୍ଥଳୀ ନୁହେଁ। ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପରିବେଶ ବ୍ୟବସ୍ଥା ବା ‘ଇକୋ ସିଷ୍ଟମ’। ଏହା ଦେଶର ପ୍ରମୁଖ ନଦୀଗୁଡ଼ିକର ଉତ୍ସ ଏବଂ ଏଠାକାର ପାହାଡ଼ିଆ ସମୁଦାୟମାନଙ୍କ ଜୀବନ ଓ ଜୀବିକା ଏହି ପରିବେଶ ସହ ଘନିଷ୍ଠ ଭାବେ ଜଡ଼ିତ। କହିବା ଅନାବଶ୍ୟକ ଯେ, ପାହାଡ଼ରେ ଯାହା ଘଟେ, ତାହା ସେହି ପାହାଡ଼ ମଧ୍ୟରେ ସୀମିତ ରହେ ନାହିଁ। ପାହାଡ଼ିଆ ଝରଣାର ପ୍ରଦୂଷଣ, ଜଙ୍ଗଲର ଅବକ୍ଷୟ ଓ ସ୍ଥାନୀୟ ପରିବେଶ ଉପରେ ଅତ୍ୟଧିକ ଚାପ ଏସବୁ ବହୁ ଦୂର ଓ ଦିନ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ।
ଏହାର ଅର୍ଥ ନୁହେଁ ଯେ ତୀର୍ଥଯାତ୍ରା ବନ୍ଦ କରାଯିବା ଉଚିତ। ଧାର୍ମିକ ପର୍ଯ୍ୟଟନକୁ ଅପରାଧୀ ଭାବେ ଦେଖିବା କଦାପି ଠିକ୍ ନୁହେଁ। ଭାରତର ପବିତ୍ର ଭୂଗୋଳ ଏହାର ସଭ୍ୟତା ଓ ସଂସ୍କୃତିର ଅଂଶ ବିଶେଷ। କେଦାରନାଥ, ବଦ୍ରିନାଥ, ଅମରନାଥ, ହେମକୁଣ୍ଡ ସାହିବ ଓ ଅସଂଖ୍ୟ ତୀର୍ଥକ୍ଷେତ୍ର ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରେ, କାରଣ ଧର୍ମ ଭାରତୀୟ ଜୀବନ ସହିତ ଓତପ୍ରୋତ ଭାବେ ଜଡ଼ିତ। ସୁତରାଂ, ଲୋକେ ତୀର୍ଥଯାତ୍ରା କରିବେ କି ନାହିଁ, ତାହା ପ୍ରଶ୍ନ ନୁହେଁ।। ପ୍ରଶ୍ନ ହେଉଛି, ଏହି ଯାତ୍ରାଗୁଡ଼ିକୁ କିପରି ଦାୟିତ୍ୱର ସହିତ ପରିଚାଳନା କରାଯାଇ ପାରିବ।
ଏ କ୍ଷେତ୍ରରେ କିଛି ଉତ୍ସାହଜନକ ଉଦାହରଣ ମଧ୍ୟ ରହିଛି। ଚଳିତ ବର୍ଷ ଅମରନାଥ ମାର୍ଗରେ ପୁନଃ-ବ୍ୟବହାରଯୋଗ୍ୟ ବାସନ ଓ ପାଣି ଭରିବା ବ୍ୟବସ୍ଥା ଯୋଗୁଁ ପ୍ରତି ତୀର୍ଥଯାତ୍ରୀ ପିଛା ଆବର୍ଜନା ୧୫ ପ୍ରତିଶତ କମିଥିବା କଥା କୁହାଯାଉଛି, ଯଦିଓ ତୀର୍ଥଯାତ୍ରୀଙ୍କ ସଂଖ୍ୟା ମାତ୍ର ୧୭ ପ୍ରତିଶତ ବଢ଼ିଥିଲା। ଏଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳୁଛି। ପରିବେଶ ସୁରକ୍ଷା ପାଇଁ ଲୋକଙ୍କ ତୀର୍ଥଯାତ୍ରା ବନ୍ଦ କରିବା ଆବଶ୍ୟକ ନୁହେଁ। ଲୋକେ କିପରି ଯାତ୍ରା କରିବେ ଓ କିପରି ତାହା ଉପଭୋଗ କରିବେ, ସେଥିପାଇଁ ବ୍ୟବସ୍ଥାକୁ ବଦଳାଇବା ଆବଶ୍ୟକ।
ପରିବେଶବିତ୍‌ମାନଙ୍କ କହିବ କଥା ଯେ ପ୍ରମୁଖ ତୀର୍ଥପଥଗୁଡ଼ିକରେ ପିଇବା ପାଣି ଭରିବା କେନ୍ଦ୍ର ବାଧ୍ୟତାମୂଳକ ହେବା ଉଚିତ। ନିରାପଦ ପାନୀୟ ଜଳ ସହଜରେ ମିଳିଲେ ତୀର୍ଥଯାତ୍ରୀମାନେ ବୋତଲ ଜଳ କିଣିବାକୁ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ। ସମ୍ଭବ ହେଲେ ଥରେ ବ୍ୟବହୃତ ବାସନ ପରିବର୍ତ୍ତେ ପୁନଃ ବ୍ୟବହାରଯୋଗ୍ୟ ବାସନ ବ୍ୟବହାର କରାଯିବା ଉଚିତ। ତୀର୍ଥ ଅଞ୍ଚଳରୁ ‘ସିଙ୍ଗଲ-ୟୁଜ’ ପ୍ଲାଷ୍ଟିକକୁ ପର୍ଯ୍ୟାୟକ୍ରମେ ହଟାଇବା ଦରକାର।
ବୋତଲ ଓ ପ୍ୟାକେଜିଂ ପାଇଁ ଜମା-ଫେରସ୍ତ ବ୍ୟବସ୍ଥା ମଧ୍ୟ ଏକ ପ୍ରଭାବଶାଳୀ ସମାଧାନ ବୋଲି କୁହାଯାଉଛି। ବୋତଲ କିଣିବା ବେଳେ ତୀର୍ଥଯାତ୍ରୀ ଯଦି ଅତିରିକ୍ତ ଜମାରାଶି ଦିଅନ୍ତି ଏବଂ ଖାଲି ବୋତଲ ଫେରାଇଲେ ସେହି ଅଧିକ ଜମା ଟଙ୍କା ଫେରିପାଆନ୍ତି, ତେବେ ବ୍ୟବହୃତ ପ୍ଲାଷ୍ଟିକକୁ ଫେରାଇ ଆଣିବା ପାଇଁ ସେମାନଙ୍କ ଭିତରେ ଉତ୍ସାହ ସୃଷ୍ଟି ହେବ।
ଆବର୍ଜନାକୁ ଉତ୍ସସ୍ଥଳରୁ ହିଁ ଅଲଗା କରିବା ଆବଶ୍ୟକ। ଜୈବ ଆବର୍ଜନା, ପୁନଃ-ଚକ୍ରୀକରଣଯୋଗ୍ୟ ବା ‘ରିସାଇକ୍ଲବଲ’ ଓ ପୁନଃ-ଚକ୍ରୀକରଣ ହୋଇପାରୁ ନ ଥିବା ଆବର୍ଜନା ବା ‘ନନ-ରିସାଇକ୍ଲବଲ’ ସାମଗ୍ରୀକୁ ଏକାଠି ପକାଯିବା ଉଚିତ ନୁହେଁ। ଉଚ୍ଚ ପାହାଡ଼ିଆ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଆବର୍ଜନା ସଂଗ୍ରହ ବ୍ୟବସ୍ଥା ଆବଶ୍ୟକ। ଯେଉଁଠି ପୁନଃ-ଚକ୍ରୀକରଣ କିମ୍ବା ‘କମ୍ପୋଷ୍ଟିଂ’ ସମ୍ଭବ, ସେଠାରେ ସ୍ଥାନୀୟ ଭାବେ ତାହା କରାଯିବା ଉଚିତ। ଯାହାର ସେଭଳି ପ୍ରକ୍ରିୟାକରଣ ସମ୍ଭବ ନୁହେଁ, ତାହାକୁ ସୁସଂଗଠିତ ଭାବେ ତଳକୁ ଆଣିବା ଦରକାର। କିନ୍ତୁ, ଏହି ଦାୟିତ୍ୱ କେବଳ ତୀର୍ଥଯାତ୍ରୀଙ୍କ ଉପରେ ଛାଡ଼ି ଦିଆଯାଇ ନ ପାରେ।
ତୀର୍ଥ ପଥରେ ବ୍ୟବସାୟ କରୁଥିବା ବିକ୍ରେତା, ହୋଟେଲ, ରେସ୍ତୋରାଁ, ପରିବହନ ସଂସ୍ଥା ଓ ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ସେମାନଙ୍କ ବ୍ୟବସାୟରୁ ସୃଷ୍ଟି ହେଉଥିବା ଆବର୍ଜନା ପାଇଁ ଦାୟୀ କରିବା ପାଇଁ ହେବ। ସରଳ ନୀତିଟି ହେଉଛି: ଯେଉଁମାନେ ପାହାଡ଼ିଆ ପରିବେଶ ଭିତରକୁ ପ୍ୟାକେଜିଂ ସାମଗ୍ରୀ ନେଇ ଆସନ୍ତି ଓ ସେଥିରୁ ଲାଭ କରନ୍ତି, ସେମାନେ ଆବର୍ଜନାକୁ ବାହାରକୁ ନେଇଯିବାର ଦାୟିତ୍ୱ ମଧ୍ୟ ବହନ କରିବା ଉଚିତ।
ଆଉ ଏକ କଠିନ, କିନ୍ତୁ ଅତ୍ୟନ୍ତ ଜରୁରି ପ୍ରଶ୍ନ ହେଉଛି ତୀର୍ଥଯାତ୍ରୀଙ୍କ ସଂଖ୍ୟା। ପର୍ଯ୍ୟଟକ ସଂଖ୍ୟା ବଢ଼ିଲେ ସରକାର ଖୁସି ହୁଅନ୍ତି, କାରଣ ତୀର୍ଥଯାତ୍ରା ହେତୁ ରୋଜଗାର, ବ୍ୟବସାୟ ଓ ସ୍ଥାନୀୟ ଆୟ ବି ବଢ଼େ। କିନ୍ତୁ ପରିବେଶ ସମ୍ବେଦନ ଅଞ୍ଚଳରେ ମାତ୍ରାଧିକତା ଭଲ ନୁହେଁ।
ପ୍ରତ୍ୟେକ ପାର୍ବତ୍ୟ ଅଞ୍ଚଳର ଏକ ସୀମିତ କ୍ଷମତା ରହିଛି। ପ୍ରତ୍ୟେକ ନଦୀ, ବସତି, ରାସ୍ତା, ନିଷ୍କାସନ ବ୍ୟବସ୍ଥା ଓ ଆବର୍ଜନା ପରିଚାଳନା ବ୍ୟବସ୍ଥାର ମଧ୍ୟ ଗୋଟିଏ ଗୋଟିଏ ସୀମା ରହିଛି। ତେଣୁ, କୌଣସି ତୀର୍ଥସ୍ଥଳ କିମ୍ବା ଯାତ୍ରାପଥରେ କେତେ ତୀର୍ଥଯାତ୍ରୀଙ୍କୁ ଅନୁମତି ଦିଆଯିବ, ତାହା ପରିବେଶ ଓ ଭିତ୍ତିଭୂମିର ବୈଜ୍ଞାନିକ ମୂଲ୍ୟାଙ୍କନ ଆଧାରରେ ନିର୍ଦ୍ଧାରିତ ହେବା ଦରକାର।
ଜଳବାୟୁ ପରିବର୍ତ୍ତନର ଯୁଗରେ ଏହା ଅଧିକ ଜରୁରି। ଆଗରୁ ହିଁ ହିମାଳୟ ବଦଳୁଥିବା ପାଣିପାଗ, ଅତ୍ୟଧିକ ବର୍ଷା, ଭୂସ୍ଖଳନ, ହିମ ତରଳିବାରେ ଅସ୍ଥିରତା ଓ ଅନ୍ୟାନ୍ୟ ପରିବେଶଗତ ଚାପର ସମ୍ମୁଖୀନ ହୋଇ ଅସିଛି। ଏହି ଦୁର୍ବଳ ସ୍ଥିତି ଉପରେ ଅନିୟନ୍ତ୍ରିତ ମାନବୀୟ ଚାପକୁ ଯୋଡ଼ିବା ଯେ ଏକ ବିପଜ୍ଜନକ ଜୁଆଖେଳ, ଏଥିରେ ଦ୍ବିମତ ନହିଁ।
ଏହି ପ୍ରସଙ୍ଗର ଏକ ନୈତିକ ଦିଗ ମଧ୍ୟ ରହିଛି। ତୀର୍ଥଯାତ୍ରା ପାରମ୍ପରିକ ଭାବେ ଶୃଙ୍ଖଳା, ସଂଯମ ଓ ସମ୍ମାନର ପ୍ରତୀକ। ଗୋଟିଏ ପବିତ୍ର ପାହାଡ଼ ଉପରକୁ ଯାଉଥିବା ତୀର୍ଥଯାତ୍ରୀ ଯଦି ଫେରିବା ବାଟରେ ଉପଭୋଗବାଦୀ ଜୀବନଶୈଳୀର ଆବର୍ଜନା ଛାଡ଼ି ଆସନ୍ତି, ତେବେ ଏହା ଏକ ବିରୋଧାଭାସ ଛଡ଼ା ଆଉ କିଛି ନୁହେଁ। ପ୍ରକୃତି ଓ ପରିବେଶ ପ୍ରତି ସମ୍ମାନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ଅଂଶ। ପବିତ୍ର ନଦୀ, ଜଙ୍ଗଲ, ବନଭୂମି ଓ ପାହାଡ଼ କେବଳ ପ୍ରାକୃତିକ ସମ୍ପଦ ନୁହନ୍ତି; ସେମାନେ ଆମ ସାଂସ୍କୃତିକ ଚେତନାର ଅଂଶ। ଅନ୍ୟ ଅର୍ଥରେ, ଆଧୁନିକ ତୀର୍ଥଯାତ୍ରା ପରିଚାଳନାରେ ଏହି ପରମ୍ପରାର ପ୍ରତିଫଳନ ଦେଖାଯିବା ଦରକାର। ଭକ୍ତି କେବେ ବି ପରିବେଶ ପ୍ରତି ଥିବା ଦାୟିତ୍ୱବୋଧରୁ ମଣିଷକୁ ମୁକ୍ତିର ଅଧିକାର ଦେଇନାହିଁ। ବରଂ ଏକ ପବିତ୍ର ପରିବେଶକୁ ସୁରକ୍ଷିତ ରଖିବାକୁ ଭକ୍ତିର ଏକ ରୂପ ଭାବେ ଦେଖିବା ଉଚିତ।
‘କ୍ୟାରି ମି ବ୍ୟାକ୍’ ଭଳି ଅଭିଯାନ ପ୍ରମାଣ କରୁଛି ଯେ ତୀର୍ଥଯାତ୍ରୀମାନେ ଏଥିରେ ଅଂଶୀଦାର ହେବାକୁ ପ୍ରସ୍ତୁତ। କିନ୍ତୁ ସମସ୍ତ ଦାୟିତ୍ୱ କେବଳ ବ୍ୟକ୍ତିଗତ ସଚେତନତା ଉପରେ ଛାଡ଼ି ଦିଆଯାଇ ପାରିବ ନାହିଁ। ସରକାରଙ୍କୁ ସିଙ୍ଗଲ-ୟୁଜ ପ୍ଲାଷ୍ଟିକ ନିୟନ୍ତ୍ରଣ କରିବାକୁ ହେବ; ପାଣି ଭରିବା ବ୍ୟବସ୍ଥା କରିବାକୁ ହେବ; ଆବର୍ଜନା ପୃଥକ୍‌କରଣକୁ ବାଧ୍ୟତାମୂଳକ କରିବାକୁ ହେବ; ବ୍ୟବସାୟୀଙ୍କୁ ଦାୟୀ କରିବାକୁ ହେବ ଏବଂ ପରିବେଶର ବିଜ୍ଞାନଭିତ୍ତିକ ବହନକ୍ଷମତା ଆଧାରରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବାକୁ ହେବ।
ଲକ୍ଷ୍ୟ କଦାପି ତୀର୍ଥଯାତ୍ରୀଙ୍କୁ ଚାରିଧାମ ଯାତ୍ରାରୁ ଦୂରେଇ ରଖିବା ନୁହେଁ। ଲକ୍ଷ୍ୟ ହେଉଛି ହିମାଳୟ ଯେପରି ଆଗାମୀ ଦିନରେ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିପାରିବ, ତାହା ସୁନିଶ୍ଚିତ କରିବା। ଆମେ ଏକ ତୀର୍ଥଯାତ୍ରା ପଛରେ ପ୍ରାର୍ଥନା, ସ୍ମୃତି ଓ ଶ୍ରଦ୍ଧା ଛାଡ଼ିଯିବା ସିନା ଟନ୍ ଟନ୍ ଆବର୍ଜନା ନୁହେଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ :୯୩୩୭୫୦୮୫୯୨

Read Entire Article
LEFT SIDEBAR AD

Hidden in mobile, Best for skyscrapers.