Pellet Gun: ପେଲେଟ୍‌ ଗନ୍‌ରେ ଭିଡ଼ ନିୟନ୍ତ୍ରଣ: ଭାରତରେ କ’ଣ ରହିଛି ଆଇନ?

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ଜୁଲାଇ ୨୦ରେ ହୋଇଥିବା ଛାତ୍ର ବିକ୍ଷୋଭ ପରେ ପେଲେଟ୍‌ ଗନ୍‌ ବ୍ୟବହାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ବିକ୍ଷୋଭକାରୀଙ୍କ ଉପରେ ପେଲେଟ୍‌ ଗନ୍‌ ବ୍ୟବହାର ହୋଇଥିବା ଅଭିଯୋଗ ଆସିଥିବାବେଳେ ଦିଲ୍ଲୀ ପୁଲିସ ଏହାକୁ ଖଣ୍ଡନ କରିଛି। ଏହି ପ୍ରସଙ୍ଗରେ ପେଲେଟ୍‌ ଗନ୍‌ର ବୈଧତା ଓ ଏହାର ବ୍ୟବହାର ସମ୍ପର୍କରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ଭାରତରେ ଭିଡ଼ ନିୟନ୍ତ୍ରଣ ପାଇଁ ପେଲେଟ୍‌ ଗନ୍‌ ବ୍ୟବହାର ଉପରେ କୌଣସି ସ୍ବତନ୍ତ୍ର ଆଇନ ନାହିଁ। ଏହାର ବ୍ୟବହାର ଅସ୍ତ୍ର ଆଇନ, ସମ୍ପୃକ୍ତ ନିୟମାବଳୀ, ସୁରକ୍ଷା ବାହିନୀର ମାନକ କାର୍ଯ୍ୟପ୍ରଣାଳୀ (ଏସ୍‌ଓପି) ଓ ସାମ୍ବିଧାନିକ ନୀତି ଅନୁଯାୟୀ ନିୟନ୍ତ୍ରିତ ହୁଏ। ନିୟମ ଅନୁସାରେ ପେଲେଟ୍‌ ଗନ୍‌କୁ ‘କମ୍‌ ପ୍ରାଣଘାତୀ’ ଅସ୍ତ୍ର ଭାବେ ଧରାଯାଏ ଏବଂ ଅନ୍ୟ ସମସ୍ତ ଭିଡ଼ ନିୟନ୍ତ୍ରଣ ଉପାୟ ବିଫଳ ହେଲେ ଶେଷ ବିକଳ୍ପ ଭାବେ ଏହା ବ୍ୟବହାର କରିବାକୁ କୁହାଯାଇଛି।
ପେଲେଟ୍‌ ଗନ୍‌ ସାଧାରଣତଃ ପମ୍ପ୍‌-ଆକ୍ସନ୍‌ ଶଟ୍‌ଗନ୍‌, ଯାହାର ଗୋଟିଏ କାର୍ଟ୍ରିଜ୍‌ରୁ ଶହ ଶହ କ୍ଷୁଦ୍ର ଧାତବ ପେଲେଟ୍‌ ବାହାରିଥାଏ। ଏହା ଗୋଟିଏ ବିସ୍ତୃତ ଅଞ୍ଚଳରେ ଛିଟିକି ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରିବା କଷ୍ଟକର ହୋଇଥାଏ। ଫଳରେ ଘଟଣାସ୍ଥଳରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଆହତ ହେବାର ଆଶଙ୍କା ରହିଥାଏ। ନିକଟ ଦୂରତାରୁ ଗୁଳି ଚାଳନା କଲେ ଗୁରୁତର ଆଘାତ, ଆଖି ନଷ୍ଟ ହେବା କିମ୍ବା ସ୍ଥାୟୀ ଦୃଷ୍ଟିଶକ୍ତି ହରାଇବାର ବିପଦ ବଢ଼ିଯାଏ।

୨୦୧୦ରେ ଜମ୍ମୁ-କାଶ୍ମୀରରେ ପଥରମାଡ଼ ଘଟଣାକୁ ଦମନ କରିବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌) ପ୍ରଥମେ ପେଲେଟ୍‌ ଗନ୍‌ ବ୍ୟବହାର କରିଥିଲା। ୨୦୧୬ରେ ବ୍ୟାପକ ବିକ୍ଷୋଭ ସମୟରେ ଏହାର ବ୍ୟବହାର ହଜାର ହଜାର ଲୋକଙ୍କୁ ଆହତ କରିଥିଲା ଏବଂ ଅନେକଙ୍କ ଆଖିରେ ଗୁରୁତର କ୍ଷତି ପହଞ୍ଚିଥିଲା। ଏହା ପରେ ସୁପ୍ରିମ୍‌କୋର୍ଟ ମଧ୍ୟ ସୁରକ୍ଷା ବାହିନୀକୁ ସତର୍କତାର ସହ ଏହି ଅସ୍ତ୍ର ବ୍ୟବହାର କରିବାକୁ କହିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ ଯେ, ପେଲେଟ୍‌ ଗନ୍‌କୁ କେବଳ ଶେଷ ବିକଳ୍ପ ଭାବେ ବ୍ୟବହାର କରାଯିବ।
ମାନବାଧିକାର ସଂଗଠନଗୁଡ଼ିକ ପେଲେଟ୍‌ ଗନ୍‌ ଉପରେ ଦୀର୍ଘ ଦିନ ଧରି ଆପତ୍ତି ଉଠାଇଆସୁଛନ୍ତି। ସେମାନଙ୍କ ମତରେ, ଏହାକୁ ‘କମ୍‌ ପ୍ରାଣଘାତୀ’ କୁହାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଅନେକ କ୍ଷେତ୍ରରେ ସ୍ଥାୟୀ ଶାରୀରିକ କ୍ଷତି ସୃଷ୍ଟି କରିପାରେ। ସେଥିପାଇଁ ଭିଡ଼ ନିୟନ୍ତ୍ରଣରେ ଅଧିକ ସୁରକ୍ଷିତ ଓ କମ୍‌ କ୍ଷତିକାରକ ବିକଳ୍ପ ବ୍ୟବହାର କରିବାକୁ ଦାବି ଜୋର ଧରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.