ARTICLE AD BOX
ପଟ୍ଟାମୁଣ୍ଡାଇ (ଜଗନ୍ନାଥ ଆଚାର୍ଯ୍ୟ): ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଛରା ଗ୍ରାମରେ ୧୦ ମାସ ପୂର୍ବେ ଘଟିଥିବା ଏକ ଏସିଡ ଆକ୍ରମଣ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଦ୍ୟାଧର ପୃଷ୍ଟି ବାଛରା ଗ୍ରାମର ଅଭିଯୁକ୍ତ ବିଜୟ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି।
Acid attack: ମହିଳାଙ୍କ ଏସିଡ୍ ମାଡ଼, ଯୁବକଙ୍କ ଆଖି ନଷ୍ଟ
କୋର୍ଟ ନିଜ ରାୟରେ ଆସାମୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦେଢ ଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦୟ ହେଲେ ଦୋଷୀକୁ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ୧୪ଜଣ ସାକ୍ଷୀଙ୍କ ବୟାନ, ବିଭିନ୍ନ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୪(୧)ରେ ଦୋଷୀ ସାବ୍ୟସ୍ତ କରାଯାଇଛି।
Acid Attack: ଏସିଡ୍ ମାଡ଼ରେ ଜୀବନ ହାରିଥିଲେ ପୀଡିତା, ଫାଶୀଦଣ୍ଡ ପାଇଲା ଦୋଷୀ
ମାମଲାର ବିବରଣୀରୁ ପ୍ରକାଶ, ବାଛରା ଗ୍ରାମର ଟୁକୁନା ସାହୁ ଓ ଆସାମୀ ବିଜୟ ସାହୁଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା। ଚଳିତ ବର୍ଷ ଜାନୁୟାରି ୧୨ ତାରିଖରେ ଟୁକୁନା ସାହୁ, ପୁଅ ରବୀନ୍ଦ୍ର ସାହୁ ତାଙ୍କ ଘରେ କାମ କରୁଥିବା ସମୟରେ ବିଜୟ ହାତରେ ଗ୍ଲୋବ୍ ପିନ୍ଧି ଏକ ବାଲତିରେ ଏସିଡ ଆଣି ରବୀନ୍ଦ୍ରଙ୍କ ଉପରେ ଏସିଡକୁ ଢାଳିଦେଇଥିଲେ। ରବୀନ୍ଦ୍ରଙ୍କ ମା ଟୁକୁନା ପାଟି କରିବାରୁ ବାଲତିରେ ଥିବା ବଳକା ଏସିଡ ତାଙ୍କ ଉପରେ ଛାଟି ଦେଇଥିଲେ। ରବୀନ୍ଦ୍ର ଜୀବନ ବିକଳରେ ନଳକୂପ ପାଖକୁ ଯାଇ ପାଣି ଢାଳିହେବା ସମୟରେ ବିଜୟ ଫାରସା ଧରି ଅଭିଯୁକ୍ତ ମାରିବାକୁ ଆସିଥିଲେ। ତେବେ ମା ଓ ସ୍ତ୍ରୀ ପାଟି କରିବାରୁ ଅଭିଯୁକ୍ତ ବିଜୟ ସେଠାରୁ ପଳାଇ ଯାଇଥିଲେ। ରବୀନ୍ଦ୍ର ଓ ତାଙ୍କ ମାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ଘଟଣାକୁ ନେଇ ରବୀନ୍ଦ୍ରଙ୍କ ସ୍ତ୍ରୀ ସନ୍ତୋଷିନୀ ମହନ୍ତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଥାନାରେ ନଂ ୧୬/୨୦୨୬ ରେ ଏକ ମାମଲା ରୁଜ୍ଜୁ କରିଥିଲା। ଏହି କେସର ତଦନ୍ତକାରୀ ଅଫିସର ଭାବେ ତତ୍କାଳୀନ ମଡେଲ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କୁ ଦିଆଯାଇଥିଲା। ଏହି ମାମଲାକୁ ଡେପୁଟି ଡ଼ାଇରେକ୍ଟର ପ୍ରସିକୁସନ କେନ୍ଦ୍ରାପଡା ସସ୍ମିତା ମହାପାତ୍ରଙ୍କ ତତ୍ୱାବଧାନ ରେ ସରକାରଙ୍କ ତରଫରୁ କ୍ୟାଡର ଆଡିସନାଲ ପିପି ସରୋଜ କୁମାର ମଲ୍ଲିକ ଓ ଆସୋସିଏଟ ଓକିଲ ଭବାନୀ ଶଙ୍କର ପଣ୍ଡା ମାମଲା ପରିଚାଳନା କରୁଥିଲେ ।

59 minutes ago
1


