Passenger Problems: ବାଗଡିହି ରେଳ ଷ୍ଟେସନରେ ଆଣ୍ଠୁଏ ପାଣି: ଯାତ୍ରୀଙ୍କ ଯାତାୟତରେ ଅସୁବିଧା

2 hours ago 1
ARTICLE AD BOX

ଲଇକେରା(ଭରତ ପାତ୍ର): ଯାତ୍ରୀ ସୁରକ୍ଷା ଓ ସୁବିଧାକୁ ନେଇ ରେଳ ବିଭାଗର ଦାୟିତ୍ୱ କେବଳ କାଗଜପତ୍ରରେ ସୀମିତ କି? ଝାରସୁଗୁଡ଼ା ଜିଲ୍ଲାର ବାଗଡିହି ରେଳ ଷ୍ଟେସନର ବର୍ତ୍ତମାନର ଚିତ୍ର ଏହି ପ୍ରଶ୍ନ ଉଠାଇଛି। ସାମାନ୍ୟ ୩୬.୨ ମିଲିମିଟର ବର୍ଷା ପରେ ଦୁଇ ନମ୍ବର ପ୍ଲାଟଫର୍ମକୁ ଯିବା ପାଇଁ ଯାତ୍ରୀମାନଙ୍କୁ ଆଣ୍ଠୁଏ ପାଣି ଭିତରେ ପଶି ଯିବାକୁ ପଡୁଛି। ଦୈନିକ ଶହଶହ ଯାତ୍ରୀଙ୍କ ଦୁର୍ଦ୍ଦଶା ସତ୍ତ୍ୱେ ରେଳ ବିଭାଗର ନିରବତା ଓ ଅବ୍ୟବସ୍ଥାକୁ ନେଇ ଜନଅସନ୍ତୋଷ ବଢ଼ୁଛି। ବାଗଡିହି ରେଳ ଷ୍ଟେସନରେ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାବେଳେ ଏକ ନମ୍ବର ପ୍ଲାଟଫର୍ମ ପାର୍ଶ୍ୱରେ ପ୍ରାୟ ଦୁଇରୁ ତିନି ଫୁଟ ଗଭୀର ଖୋଳାଯାଇଥିବା ସ୍ଥାନରେ ବର୍ଷା ପାଣି ଜମି ରହିଛି। ଆଶ୍ଚର୍ଯ୍ୟର ବିଷୟ, କାମ ଆରମ୍ଭ ପୂର୍ବରୁ ବର୍ଷା ପାଣି ନିଷ୍କାସନ କିମ୍ବା ଯାତ୍ରୀଙ୍କ ପାଇଁ ବିକଳ୍ପ ରାସ୍ତାର କୌଣସି ବ୍ୟବସ୍ଥା କରାଯାଇନଥିଲା। ଫଳରେ ଛୋଟ ପିଲା, ମହିଳା, ବୃଦ୍ଧ ଓ ଦିବ୍ୟାଙ୍ଗ ଯାତ୍ରୀମାନେ ଚରମ ହଇରାଣର ସମ୍ମୁଖୀନ ହେଉଛନ୍ତି।

ଯାତ୍ରୀଙ୍କ ସୁରକ୍ଷା ରେଳ ବିଭାଗର ପ୍ରଥମ କର୍ତ୍ତବ୍ୟ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯାତ୍ରୀଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରି କାମ ଚାଲିଛି। ସାମାନ୍ୟ ବର୍ଷାରେ ଯଦି ଏଭଳି ପରିସ୍ଥିତି ସୃଷ୍ଟି ହୁଏ, ତେବେ ପ୍ରବଳ ବର୍ଷା ସମୟରେ କଣ ଅବସ୍ଥା ହେବ, ତାହା ସହଜରେ ଅନୁମାନ କରାଯାଇପାରେ। କୌଣସି ଯାତ୍ରୀ ଦୁର୍ଘଟଣାର ଶିକାର ହେଲେ ତାହାର ଦାୟିତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ସମ୍ପ୍ରସାରଣ କାମ କଲେ ହେବ ନାହିଁ, ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ମଧ୍ୟ ରେଳ ବିଭାଗର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ବାଗଡିହି ଷ୍ଟେସନରେ ଦେଖାଯାଉଥିବା ଅବ୍ୟବସ୍ଥା ରେଳ ବିଭାଗର କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

Road Blocked: ତୁଷୁରା-ନୂଆପଡ଼ା ମୁଖ୍ୟ ରାସ୍ତାରେ ପଡ଼ିଲା ଗଛ, ଯାତାୟତ ଠପ୍

ଏ ସମ୍ପର୍କରେ ବାଗଡିହି ଷ୍ଟେସନ ମାଷ୍ଟର ଗୌରୀ ବେହେରା କହିଛନ୍ତି ଯେ, ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଠିକାଦାରଙ୍କୁ ଅବଗତ କରାଯାଇଛି ଏବଂ ଖୁବ୍ ଶୀଘ୍ର ପାଣି ନିଷ୍କାସନର ବ୍ୟବସ୍ଥା କରାଯିବ। ତେବେ ପ୍ରଶ୍ନ ଉଠୁଛି—ସମସ୍ୟା ସୃଷ୍ଟି ହେବା ପରେ ପଦକ୍ଷେପ ନେବା ପରିବର୍ତ୍ତେ, ଆଗରୁ ଆବଶ୍ୟକ ସତର୍କତା କାହିଁକି ନିଆଯାଇନଥିଲା? ଦୁର୍ଘଟଣା ଘଟିବା ପରେ ହିଁ କି ପ୍ରଶାସନ ଚେତିବ? ବର୍ଷା ଋତୁରେ ଏଭଳି ଅବ୍ୟବସ୍ଥା ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛି। ସ୍ଥାନୀୟ ଲୋକେ ତୁରନ୍ତ ପାଣି ନିଷ୍କାସନ, ସୁରକ୍ଷିତ ଚଳାଚଳ ବ୍ୟବସ୍ଥା ଏବଂ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀ ଓ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.