Parliament: ଶୀତ ଅଧିବେଶନ ପୂର୍ବରୁ ସ୍ୱତନ୍ତ୍ର ସଂସଦ ଅଧିବେଶନ ପାଇଁ ବିଜେପିର ଉଦ୍ୟମ

54 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଗତ ଏପ୍ରିଲ୍‌ ମାସରେ ସଂସଦରେ ପରାଜୟର ସମ୍ମୁଖୀନ ହୋଇଥିବା ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କିତ ବିଧେୟକକୁ ପୁଣି ଆଗତ କରିବାକୁ କେନ୍ଦ୍ରର ବିଜେପି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶୀତକାଳୀନ ଅଧିବେଶନ ପୂର୍ବରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ବିଚାରବିମର୍ଶ ଚାଲିଛି। ଶୁକ୍ରବାର ଏ ସମ୍ପର୍କରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସନ୍ତା ଶୀତ ଅଧିବେଶନ ନଭେମ୍ବର ୩୦ କିମ୍ବା ଡିସେମ୍ବର ୪ରୁ ଆରମ୍ଭ ହୋଇପାରେ। ତେବେ ସ୍ୱତନ୍ତ୍ର ଅଧିବେଶନର ତାରିଖ ସରକାର ଏଯାଏଁ ଘୋଷଣା କରିନାହାନ୍ତି।
୨୦୨୬ ଏପ୍ରିଲ୍‌ରେ ସରକାର ଆଗତ କରିଥିବା ସମ୍ବିଧାନର ୧୩୧ତମ ସଂଶୋଧନ ବିଧେୟକର ଉଦ୍ଦେଶ୍ୟ ଥିଲା ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ପ୍ରକ୍ରିୟାକୁ ଆଗେଇ ନେବା। ଏଥିସହ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଓ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ପ୍ରସ୍ତାବ ମଧ୍ୟ ଜଡ଼ିତ ରହିଛି। ଏପ୍ରିଲ୍‌ରେ ଲୋକସଭାରେ ଏହି ବିଧେୟକ ସପକ୍ଷରେ ୨୯୮ଟି ଭୋଟ୍‌ ପଡ଼ିଥିବାବେଳେ ଆବଶ୍ୟକ ୩୫୨ଟି ଭୋଟ୍‌ ମିଳି ନ ଥିଲା।

ଆହୁରି ପଢନ୍ତୁ :Shooting in Manipur: ମଣିପୁରରେ ଦୁଇଟି କାର୍‌ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ୪ ମୃତ

ଏବେ ସରକାର ପୁଣିଥରେ ଆବଶ୍ୟକ ସମର୍ଥନ ଯୋଗାଡ଼ କରିବାକୁ ଉଦ୍ୟମ କରୁଛନ୍ତି। ବିଜେପି ସୂତ୍ର ଅନୁସାରେ, ଏନ୍‌ଡିଏର ଲୋକସଭାରେ ୩୨୦ ଓ ରାଜ୍ୟସଭାରେ ୧୫୫ ସଦସ୍ୟ ଅଛନ୍ତି। ସମସ୍ତ ସଦସ୍ୟ ଉପସ୍ଥିତ ରହି ଭୋଟ୍‌ ଦେଲେ ଦୁଇ-ତୃତୀୟାଂଶ ସମର୍ଥନ ପାଇଁ ଲୋକସଭାରେ ଆଉ ୪୦ ଓ ରାଜ୍ୟସଭାରେ ୬ଟି ଭୋଟ୍‌ ଆବଶ୍ୟକ। ତେବେ ଜଣେ ବରିଷ୍ଠ ବିଜେପି ନେତା ଦାବି କରିଛନ୍ତି ଯେ ଦଳର ଆକଳନ ଅନୁସାରେ ଆବଶ୍ୟକ ସଂଖ୍ୟାଠାରୁ ୧୫ଟି ଅଧିକ ଭୋଟ୍‌ ଯୋଗାଡ଼ ହୋଇପାରିବ।
ଏହି ଉଦ୍ୟମରେ ତାମିଲନାଡୁର ଡିଏମ୍‌କେ ଦଳର ସମର୍ଥନ ହାସଲ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ସଂସଦୀୟ ପ୍ରତିନିଧିତ୍ୱ ହ୍ରାସ ନ ପାଇବା ପାଇଁ ଡିଏମ୍‌କେ କେନ୍ଦ୍ର ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍‌ ବିଜୟ ମଧ୍ୟ ଏ ନେଇ ଆଇନଗତ ଗ୍ୟାରେଣ୍ଟି ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏପ୍ରିଲ୍‌ରେ ସମ୍ବିଧାନ ସଂଶୋଧନ ବିଧେୟକକୁ ବିରୋଧ କରିଥିବା ସମାଜବାଦୀ ପାର୍ଟିର ୩୭ ଜଣ ସାଂସଦଙ୍କ ସମର୍ଥନ ମିଳିବା ନେଇ ମଧ୍ୟ ଅନିଶ୍ଚିତତା ରହିଛି।

ଆହୁରି ପଢନ୍ତୁ :Odisha government preparations ନଭେମ୍ବର ୩ୟ ଓ ୪ର୍ଥ ସପ୍ତାହରେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସଚିବସ୍ତରୀୟ ପ୍ରସ୍ତୁତି ବୈଠକ

ଏହି ରାଜନୈତିକ ହିସାବନିକାଶ ମଧ୍ୟରେ ୨୦୨୭ରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ଗୁଜରାଟ ଓ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଶେଷକରି ୪୦୩ଟି ବିଧାନସଭା ଆସନ ଥିବା ଉତ୍ତରପ୍ରଦେଶ ଉପରେ ବିଜେପିର ନଜର ରହିଛି। ପଞ୍ଜାବରେ ପୂର୍ବତନ ସହଯୋଗୀ ଶିରୋମଣି ଅକାଳୀ ଦଳ ସହ ପୁଣି ମେଣ୍ଟ ଗଠନ ନେଇ ମଧ୍ୟ ଆଲୋଚନା ଚାଲିଛି। ୨୦୨୦ରେ କୃଷି ଆଇନକୁ ନେଇ ଉଭୟ ଦଳର ମେଣ୍ଟ ଭାଙ୍ଗିଥିଲା। ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ସହ ଅମିତ ଶାହଙ୍କ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲେ ମଧ୍ୟ ଏଯାଏଁ ଆନୁଷ୍ଠାନିକ ଭାବେ ସମାପ୍ତ ହୋଇନାହିଁ। ତେଣୁ ସ୍ୱତନ୍ତ୍ର ଅଧିବେଶନ ଡାକିବାର ସମ୍ଭାବନା ରହିଛି। କିନ୍ତୁ ସରକାର ଏହାକୁ ଶୀତକାଳୀନ ଅଧିବେଶନରେ ମଧ୍ୟ ଆଗତ କରିପାରନ୍ତି। ଏଯାଏଁ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.