Panchuka: ପଞ୍ଚୁକ କାହିଁକି ପାଳନ କରାଯାଏ? ଜାଣନ୍ତୁ ଏହାର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ

26 minutes ago 1
ARTICLE AD BOX

ଓଡ଼ିଶାର ଧାର୍ମିକ ପରମ୍ପରା ଓ ସଂସ୍କୃତିରେ କାର୍ତ୍ତିକ ମାସର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ଏହି ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ। ବଡ଼ ଏକାଦଶୀ ବା ଦେବୋତ୍ଥାନ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହା ପାଳନ କରାଯାଏ। ଏହି ସମୟରେ ଭକ୍ତମାନେ ଭଗବାନ ବିଷ୍ଣୁ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆରାଧନା କରିବା ସହ ବ୍ରତ, ଉପବାସ ଓ ସାତ୍ତ୍ୱିକ ଜୀବନଯାପନ କରନ୍ତି। ପଞ୍ଚୁକକୁ ଭୀଷ୍ମ ପଞ୍ଚକ ଓ ବଗ ପଞ୍ଚକ ନାମରେ ମଧ୍ୟ ଜଣାଯାଏ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେଉଁମାନେ ପୂରା କାର୍ତ୍ତିକ ମାସ ହବିଷ ବ୍ରତ ପାଳନ କରିପାରନ୍ତି ନାହିଁ, ସେମାନେ ଏହି ଶେଷ ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମ୍ପୂର୍ଣ୍ଣ ମାସର ପୁଣ୍ୟ ଫଳ ପାଇଥାନ୍ତି। ମହାଭାରତର ପୌରାଣିକ କଥା ଅନୁସାରେ, ଶରଶଯ୍ୟାରେ ଥିବା ପିତାମହ ଭୀଷ୍ମ ଏହି ପାଞ୍ଚ ଦିନ ପାଣ୍ଡବ ଓ ଶ୍ରୀକୃଷ୍ଣଙ୍କୁ ରାଜଧର୍ମ, ମୋକ୍ଷଧର୍ମ ଓ ଦାନଧର୍ମ ବିଷୟରେ ଉପଦେଶ ଦେଇଥିଲେ। ତେଣୁ ଏହାକୁ ଭୀଷ୍ମ ପଞ୍ଚକ କୁହାଯାଏ।

ତୁଳସୀ ବିବାହ ଓ ବିଶେଷ ପୂଜାର୍ଚ୍ଚନା
ବିଶ୍ୱାସ ରହିଛି ଯେ, ଚାରି ମାସର ଯୋଗନିଦ୍ରା ପରେ ବଡ଼ ଏକାଦଶୀ ଦିନ ଭଗବାନ ବିଷ୍ଣୁ ଜାଗ୍ରତ ହୁଅନ୍ତି। ଏହି ଅବସରରେ ତୁଳସୀ ଚଉରା ନିକଟରେ ମୁରୁଜ ପକାଇ ତୁଳସୀ ବିବାହ ଓ ବିଶେଷ ପୂଜାର୍ଚ୍ଚନା କରାଯାଏ। ଅନ୍ୟପଟେ, ଏହି ପାଞ୍ଚ ଦିନରେ ଆମିଷ, ପିଆଜ ଓ ରସୁଣ ତ୍ୟାଗ କରି ସାତ୍ତ୍ୱିକ ଆହାର ଗ୍ରହଣ କରିବାର ପରମ୍ପରା ରହିଛି। କୁହାଯାଏ ଏହି ପାଞ୍ଚଦିନ ବଗ ମଧ୍ୟ ଆମିଷ ଖାଆନ୍ତିନାହିଁ। ଏହି କାରଣରୁ ଏହାକୁ ବଗ ପଞ୍ଚକ ମଧ୍ୟ କୁହାଯାଏ।

ପଞ୍ଚୁକ ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଞ୍ଚଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୁଏ। ଯଥା- ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡ଼ା ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବା ସୁନାବେଶ। ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହୋଇଥାଏ।

Sabarimala: ଭକ୍ତଙ୍କ ପାଇଁ ଖୁସି ଖବର: ଡାକ ସେବା ମାଧ୍ୟମରେ ଘରେ ପହଞ୍ଚିବ ସାବରୀମାଳା ପ୍ରସାଦ

ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ଲୋକମାନେ ନଦୀ ଓ ପୋଖରୀରେ ଡଙ୍ଗା ଭସାଇ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାର ସ୍ମୃତିକୁ ମନେ ପକାନ୍ତି। ଏହିପରି ଭାବେ ପଞ୍ଚୁକ ଓଡ଼ିଶାର ଧାର୍ମିକ ଆସ୍ଥା, ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.