Odisha STA Cracks Down ଏଫ୍‌-ପି-ଆର୍‌ ନଥିଲେ ଜବତ ହେବ ଗାଡ଼ି

1 hour ago 1
ARTICLE AD BOX

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କଠୋର ହେଲା ଏସ୍‌ଟିଏ


ସବୁ କାଗଜପତ୍ର କରିସାରିଲା ପରେ ଗାଡ଼ି ମୁକୁଳାଇପାରିବେ ମାଲିକ


କଟକ (ଦିପ୍ତୀ ସାମଲ):  ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଗାଡ଼ିର ଫିଟ୍‌ନେସ୍‌ (ଏଫ୍‌), ପରମିଟ୍‌ (ପି), ରେଜିଷ୍ଟ୍ରେସନ୍‌ (ପଞ୍ଜୀକରଣ) ଆର୍‌ ନଥିଲେ ଗାଡ଼ି ଜବତ କରାଯିବ।  ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଗୁରୁତର ‎ତ୍ରୁଟି କରୁଥିବା ଗାଡ଼ିଗୁଡ଼ିକ ଉପରେ ଏବେ କେବଳ ଜରିମାନାରେ ସୀମିତ ରଖାଯିବନି, ଗାଡ଼ିଗୁଡ଼ିକୁ ଜବତ କରାଯିବ ବୋଲି ଆଜି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏ ସଂକ୍ରାନ୍ତରେ ସମସ୍ତ ଆର୍‌ଟିଓ, ଏଆର୍‌ଟିଓ ଓ ଏନ୍‌ଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ଅବଗତ କରାଇ ଦିଆଯାଇଛି।

Odisha High Court ହାଇକୋର୍ଟଙ୍କ ରାୟ; ଦୁର୍ଘଟଣା କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବ ହେଲେ ସୁଧ ଗଣିବେ

ଗତ ଏପ୍ରିଲ ପହିଲାରୁ ଜୁନ୍ ୩୦ ତାରିଖ ମଧ୍ୟରେ ହୋଇଥିବା ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟର ସମୀକ୍ଷାରୁ ‎ଜଣାପଡ଼ିଛି, ନିୟମ ଉଲ୍ଲଂଘନ କରି ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ମୋଟର ଯାନ ଆଇନର ‎ଧାରା ୧୯୨ ଅଧୀନରେ ଅନେକ ଚାଲାଣ ଜାରି ହୋଇଥିଲେ ସୁଦ୍ଧା ଧାରା ୨୦୭ ଅନୁଯାୟୀ ଗାଡ଼ି ଜବତ ସଂଖ୍ୟା କମ୍ ‎ରହିଛି। ଏହି ସମୟରେ ସାରା ରାଜ୍ୟରେ ୧ ଲକ୍ଷ ୬୪ ହଜାର ୮୮୨ ଚାଲାଣ ଜାରି ହୋଇଥିବା ବେଳେ ମାତ୍ର ୪୨୮ଟି ଗାଡ଼ି ଜବତ ‎ହୋଇଛି। କେବଳ ଚାଲାଣ ଜାରି କରି ଅଯୋଗ୍ୟ ଏବଂ ଅନୁପଯୁକ୍ତ ଗାଡ଼ିକୁ ଛାଡ଼ିଦେବା ଦ୍ୱାରା ସଡ଼କ ସୁରକ୍ଷା ଉଦ୍ଦେଶ୍ୟ ସାଧିତ ‎ହେଉନାହିଁ। ଏଭଳି ଅନୁପଯୁକ୍ତ ଗାଡ଼ିଗୁଡ଼ିକ ବିନା ସୁଧାରରେ ପୁଣି ଥରେ ରାସ୍ତାକୁ ଆସୁଛନ୍ତି ଏବଂ ଏମାନଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଯେଉଁଥିପାଇଁ ଏସ୍‌ଟିଏ ଏଣିକି ବିନା ପଞ୍ଜୀକରଣ, ଫିଟନେସ୍, ପରମିଟ୍‌ ବିନା ଚାଲୁଥିବା ଗାଡ଼ିଗୁଡ଼ିକ ଜବତ ପାଇଁ ପଦକ୍ଷେପ ଗ୍ରହଣ କରିବ। ଏଭଳି କୌଣସି ଗାଡ଼ିକୁ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ‎ଜବତ କଲେ କିମ୍ବା ନ କଲେ, ଉଭୟ କ୍ଷେତ୍ରରେ ସେମାନେ କାର୍ଯ୍ୟାନୁଷ୍ଠାନର ଉଚିତ କାରଣ ଦର୍ଶାଇବାକୁ ଏସ୍‌ଟିଏ କହିଛି। ଗାଡ଼ିମାଲିକ ସବୁ କାଗଜପତ୍ର ବୈଧ ବୋଲି ପ୍ରମାଣିତ କରିପାରିଲେ ଗାଡ଼ିକୁ ମୁକୁଳାଇ ନେଇପାରି‌ବେ। ରାଜ୍ୟରେ ‎ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରାଯିବା ସଙ୍ଗେ ସଙ୍ଗେ ବାହାନ ପୋର୍ଟାଲ୍‌ ଏବଂ ଇ-ଚାଲାଣ ଡ୍ୟାସ୍‌ବୋର୍ଡରେ ଆଲର୍ଟ ବ୍ୟବସ୍ଥାର ସହାୟତା ମଧ୍ୟ ନିଆଯାଉଛି।

Supreme Court: ସଡ଼କ ଦୁର୍ଘଟଣା ରୋକିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ପଦକ୍ଷେପ: ରାସ୍ତାକଡ଼ରେ ବେଆଇନ ନିର୍ମାଣ ଉଚ୍ଛେଦ ହେବ

ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ସଡ଼କ ଦୁର୍ଘଟଣା ହ୍ରାସକୁ ମିସନ୍‌ ଭାବରେ ଗ୍ରହଣ କରିବାକୁ ‎ସରକାରଙ୍କ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ଯୋଗୁଁ ନିରୀହ ଜୀବନ ଅକାଳରେ ଚାଲିଯାଉଛି। ବିନା ଫିଟ୍‌ନେସ୍‌ ଗାଡ଼ି ଯୋଗୁଁ ଦୁର୍ଘଟଣା ବଢ଼ୁଛି। ପୂର୍ବରୁ କେବଳ ଜରିମାନା ଜାରି ହେଉଥିବା ବେଳେ ପରେ ପଞ୍ଜୀକରଣ ରଦ୍ଦ ଭଳି ଆଭିମୁଖ୍ୟ ନିଆଯାଇଛି। ତେବେ ଏହି ବିନା ଫିଟ୍‌ନେସ୍‌ ଗାଡ଼ି ଚଳାଚଳ କ୍ଷେତ୍ରରେ ସୁଧାର ‎ଆଣିବା ପାଇଁ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣର ଆବଶ୍ୟକତା ରହିଛି। ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ନ ହେବାକୁ ସମସ୍ତ ସଡ଼କ ବ୍ୟବହାରକାରୀ ‎ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଏସ୍‌ଟିଏ ପକ୍ଷରୁ ଅନୁରୋଧ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.