ARTICLE AD BOX
କଟକ (ଦିପ୍ତୀ ସାମଲ): ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦୁର୍ଘଟଣା ତାରିଖ ଠାରୁ ଧାର୍ଯ୍ୟ କ୍ଷତିପୂରଣ ରାଶି ଉପରେ ସୁଧ ପ୍ରଦାନ କରାଯିବ। ଦୁର୍ଘଟଣା ତାରିଖରୁ କ୍ଷତିପୂରଣ ରାଶି ପ୍ରଦାନ ପର୍ଯ୍ୟନ୍ତ ଅବଧି ପାଇଁ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ୍ଙ୍କ ଦ୍ବାରା ଧାର୍ଯ୍ୟ ବାର୍ଷିକ ସୁଧ ହାରରେ ପୀଡ଼ିତ ପରିବାର ଅର୍ଥ ପାଇବା ପାଇଁ ହକଦାର ବୋଲି ହାଇକୋର୍ଟ କହିଛନ୍ତି।
Highcourt: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗ, ହାଇକୋର୍ଟଙ୍କ ଜବାବ ତଲବ
ଭୁବନେଶ୍ବରସ୍ଥିତ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ୍ଙ୍କ ୨୦୨୫, ସେପ୍ଟେମ୍ବର ୧୯ର ରାୟରେ ହାଇକୋର୍ଟ ପରିବର୍ତ୍ତନ କରି କ୍ଷତିପୂରଣ ରାଶି ଉପରେ ଦୁର୍ଘଟଣା ତାରିଖ ୨୦୨୪, ଅଗଷ୍ଟ ୨୮ରୁ ସୁଧ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ଓ ଏହା ଉପରେ ୨୦୨୪, ଅଗଷ୍ଟ ୨୮ରୁ ସୁଧ ବାବଦ ଅର୍ଥ ପୀଡ଼ିତ ପରିବାର ସଦସ୍ୟଙ୍କ ନାମରେ ଅବିଳମ୍ବେ ଜମା କରିବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Odisha High Court : ସୁଲେଇପାଟ ଲୁହା ପଥର ଖଣି ଲିଜ ଅବଧି ବୃଦ୍ଧି ପ୍ରସଂଗ, ଆବେଦନ ଖାରଜ କଲେ ହାଇକୋର୍ଟ
ମାମଲାର ବିବରଣୀରୁ ପ୍ରକାଶ, ଭୁବନେଶ୍ବର-ପୁଡୁଚେରି ସୁପରଫାଷ୍ଟ ଟ୍ରେନ୍ରେ ଭୁବନେଶ୍ବରରୁ ଚେନ୍ନାଇ ଅଭିମୁଖେ ବୈଧ ଟିକେଟରେ ରାଧାଶ୍ୟାମ ବିନ୍ଧାଣି ଯାତ୍ରା କରୁଥିଲେ। ୨୦୨୪, ଅଗଷ୍ଟ ୨୮ରେ ଚଳାନ୍ତା ଟ୍ରେନ୍ରୁ ଖସିପଡ଼ି ରାଧାଶ୍ୟାମ୍ଙ୍କ ମୃତ୍ୟୁ ହୋଇଥିଲା। ପୀଡ଼ିତ ପରିବାର ତରଫରୁ କ୍ଷତିପୂରଣ ପାଇଁ ଟ୍ରିବ୍ୟୁନାଲ୍ରେ ମାମଲା ରୁଜୁ କରାଯାଇଥିଲା। ପୀଡ଼ିତ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ବାର୍ଷିକ ୯ପ୍ରତିଶତ ସୁଧ ସହିତ ପ୍ରଦାନ ପାଇଁ ଟ୍ରିବ୍ୟୁନାଲ୍ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ସାକ୍ଷୀ ହାଜିରା ତାରିଖ (୨୦୨୫, ଜୁଲାଇ ୨୪)ରୁ କ୍ଷତିପୂରଣ ରାଶି ପ୍ରଦାନ ପର୍ଯ୍ୟନ୍ତ ଅବଧି ପାଇଁ ୯ ପ୍ରତିଶତ ସୁଧ ପ୍ରଦାନ କରାଯିବ ବୋଲି ଟ୍ରିବ୍ୟୁନାଲ୍ଙ୍କ ୨୦୨୫, ସେପ୍ଟେମ୍ବର୍ ୧୯ର ରାୟରେ ଉଲ୍ଲେଖ କରାଯାଇଥିଲା। ରାୟରେ ଉଲ୍ଲେଖ ସୁଧ ହିସାବ ତାରିଖକୁ ଚାଲେଞ୍ଜ କରି ହାଇକୋର୍ଟରେ ପୀଡ଼ିତ ପରିବାର ତରଫରୁ ଏହି ମାମଲା ଦାୟର କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦୁର୍ଘଟଣା ତାରିଖରୁ କ୍ଷତିପୂରଣ ରାଶି ଉପରେ ସୁଧ ପାଇବାକୁ ପୀଡ଼ିତ ପରିବାର ହକଦାର ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

2 hours ago
2


