ARTICLE AD BOX
କଟକ: ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନଥିଲେ ମଧ୍ୟ ଉପଜିଲ୍ଲାପାଳ ପଥର ଖଣି ଲିଜ ବାତିଲ ଭଳି ନିର୍ଦ୍ଦେଶ ପ୍ରଦାନ କରୁଥିବା ଘଟଣାକୁ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସଂଶୋଧିତ ନିୟମାବଳୀ ଏହି କ୍ଷମତା ଖଣି ଅଧିକାରୀଙ୍କ ନିକଟରେ ନ୍ୟସ୍ତ କରିଛି। ଏଭଳି ସ୍ଥିତିରେ ଉପଜିଲ୍ଲାପାଳଙ୍କ ଏ ସଂପର୍କିତ ନିର୍ଦ୍ଦେଶ ବେଆଇନ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରେ ପୁରୀ ଶ୍ରୀଜଗନ୍ନାଥଙ୍କ ପଥର ଖଣିର ଲିଜ ବାତିଲ କରି ଉପଜିଲ୍ଲାପାଳ ପ୍ରଦାନ କରିଥିବା ୨୦୨୫, ନଭେମ୍ବର ୨୯ର ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ରେକର୍ଡରେ ଥିବା ତଥ୍ୟ ଓ ଦସ୍ତାବିଜ ଆଧାରରେ ଏହି ପ୍ରସଂଗରେ ଆଇନ ଅନୁସାରେ ତିନି ସପ୍ତାହ ଭିତରେ ସ୍ବାଧୀନ ନିଷ୍ପତ୍ତି ନେବାକୁ ଖୋର୍ଦ୍ଧା ଖଣି ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ଏସ.ପାଢୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ପଥର ଖଣି ରହିଛି
ମାମଲାର ବିବରଣୀରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ପଥର ଖଣି ରହିଛି। ଏହି ଖଣିର ପରିଚାଳନା ଲିଜ ସୂତ୍ରରେ ଆବେଦନକାରୀଙ୍କୁ ମିଳିଥିଲା। ୨୦୨୫, ନଭେମ୍ବର ୨୯ରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପପ୍ରଶାସକ (ରାଜସ୍ବ) ତଥା ଉପଜିଲ୍ଲାପାଳ ଆବେଦନକାରୀଙ୍କ ଖଣି ଲିଜ ଚୁକ୍ତିକୁ ବାତିଲ କରିଥିଲେ। ଏହି ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ଯେ ଖଣି ଲିଜ ପ୍ରଦାନ ପାଇଁ ଉପଜିଲ୍ଲାପାଳ ୨୦୧୧ରେ ପ୍ରାଧିକୃତ ଅଧିକାରୀ ଥିଲେ। ୨୦୧୬ରେ ନୂଆ ନିୟମାବଳୀ ଆସିଥିଲା। ଏ ସଂପର୍କିତ କ୍ଷମତା ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ଓଏମଏମସି ନିୟମାବଳୀରେ ୨୦୨୨ରେ ସଂଶୋଧନ ହୋଇଥିଲା ଓ ତହିସିଲଦାରଙ୍କ ଠାରୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ସ ଲିଜି ବାତିଲ ଓ ଅନ୍ୟାନ୍ୟ କେତେକ କ୍ଷମତା କାଢି ନିଆଯାଇ ଖଣି ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସଂଶୋଧିତ ନିୟମାବଳୀ ନେଇ ୨୦୨୨, ଡିସେମ୍ବର ୨୭ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ବର୍ତ୍ତମାନ ବଳବତ୍ତର ରହିଥିବା ନିୟମାବଳୀ ଅନୁସାରେ ପଥର ଖଣି ଲିଜ ବାତିଲ ପାଇଁ ଉପଜିଲ୍ଲାପାଳଙ୍କ କ୍ଷମତା ନାହିଁ। କ୍ଷମତା ପରିସର ବାହାରକୁ ଯାଇ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବେଆଇନ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।
Auto Accident: ସ୍ୱାଧୀନତା ଦିବସ ପାଳନ ପାଇଁ ଯାଉଥିବା ବେଳେ ଓଲଟିଲା ଅଟୋ: ଗାଡ଼ି ଚାଳକ ଗୁରୁତର, ୬ ଛାତ୍ରଛାତ୍ରୀ ଆହତ

5 hours ago
3


