Odisha High Court: ସିଜିମାଳି ଖଣିକୁ ରାସ୍ତା ନିର୍ମାଣ ମାମଲା: ଯୁଗ୍ମ ଯାଞ୍ଚ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

1 day ago 4
ARTICLE AD BOX

କଟକ: ରାୟଗଡ଼ାଜିଲ୍ଲା ସିଜିମାଳି ବକ୍ସାଇଟ ଖଣି ଅଞ୍ଚଳର କଣ୍ଟାମାଳ ଓ ଅନ୍ୟ ଗ୍ରାମର ଅନୁସୂଚିତ ଜନଜାତି ଗ୍ରାମବସୀଙ୍କ ଉପରେ ପୁଲିସର ଅତ୍ୟାଚାର ଅଭିଯୋଗର ବିଚାରବିଭାଗୀୟ ତଦନ୍ତ ପାଇଁ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ରାୟଗଡ଼ା ଏସପି, ଡିଏସପି, କଣ୍ଟାମାଳ ଓ ଶାଗବାରିରର ସରପଞ୍ଚଙ୍କ ସହିତ ମିଳିତ ଭାବେ ଘଟଣାସ୍ଥଳର ଯାଞ୍ଚ (ଜଏଣ୍ଟ ସ୍ପଟ ଭେରିଫି‌କେସନ) କରି ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ତିନି ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାଖ ଗାଁ ଗୁଡ଼ିକରେ ‌ଯେପରି କୌଣସି ହିଂସା ନ ଘଟେ ତାହା ସୁନିଶ୍ଚିତ କରିବାକୁ ପୁଲିସ ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଗ୍ରାମବାସୀ ଯେପରି ଆଇନକୁ ନିଜ ହାତକୁ ନ ନେବେ ତାହା ଆବେଦନକାରୀ ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର ୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୁ‌ଷୋତ୍ତମ ହିକାକା ଓ ଅନ୍ୟ ୭ଜଣଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଅନୁସୂଚିତ ଜନଜାତିଙ୍କ ଉପରେ ଅତ୍ୟାଚାର

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ମାର୍ଚ୍ଚ ୧୦ରେ ପୁଲିସ ଅନୁସୂଚିତ ଜନଜାତି ବର୍ଗର ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରିଥିଲା। ପୁଲିସ ୧୦ଜଣ ମହିଳାଙ୍କ ସମେତ ୨୧ଜଣଙ୍କୁ ଗିରଫ କରିଥିଲା। ଘରେ ଗ୍ରାମବାସୀ ଶୋଇଥିବା ବେଳେ ସେମାନଙ୍କ ଘରର କବାଟ ଭାଙ୍ଗି ପୁଲିସ ଚଢାଉ କରିଥିଲା। ଘର ଭଙ୍ଗାରୁଜା କରାଯାଇଥିଲା। ଗ୍ରାମବାସୀଙ୍କ ବିରୋଧରେ ବହୁ ମାମଲା ଅନଲଫୁଲ ଆକ୍ଟିଭିଟିଜ (ପ୍ରିଭେନସନ) ଆଇନ, ୧୯୬୭ରେ ରୁଜୁ କରାଯାଇଥିଲା ଓ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। କାରଣ ସଂକ୍ରାନ୍ତରେ ଅବଗତ ନ କରି ୧୯ ବର୍ଷିୟା ଗର୍ଭବତୀ ମହିଳା ଓ ନବଜାତ ଶିଶୁ ଥିବା ମହିଳାଙ୍କୁ ଅଟକ ରଖି ନିର୍ଯାତନା ଦିଆଯାଇଥିଲା। ସିଜିମାଳି ବକ୍ସାଇଟ ଖଣିକୁ ସଂଯୋଗ ରାସ୍ତା ନିର୍ମାଣ ସଂପର୍କିତ ସରକାରୀ ନିଷ୍ପତ୍ତିକୁ ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଭା‌ବେ ବିରୋଧ କରୁଥିବା ବେଳେ ପୁଲିସର ବର୍ବରତା ଗ୍ରହଣୀୟ ନୁହେଁ। ଏହା ସମ୍ବିଧାନ ପ୍ରଦାନ କରିଥିବା ମାନବିକ ଓ ମୌଳିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇ ଘଟଣାର ବିଚାରବିଭାଗୀୟ ତଦନ୍ତ ଆବଶ୍ୟକ ବୋଲି କୁହାଯାଇଥିଲା। ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଅଦାଲତଙ୍କ ପକ୍ଷରୁ ଜାରି ଏନବିଡବ୍ଲୁ କାର୍ଯ୍ୟକରୀ କରିବାକୁ ପୁଲିସ ଯାଇଥିଲା। ପୁଲିସ ଅଧିକାରୀ ଦାୟିତ୍ବ ନିର୍ବାହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ୫୮ଜଣ ପୁଲିସ ଏହି ଘଟଣା‌ରେ ଆହତ ହୋଇଥିଲେ। ସାମୁହିକ ପ୍ରତିରୋଧ କରାଯାଇଥିଲା। ଗ୍ରାମବାସୀ ଆଇନ ନିଜ ହାତକୁ ନେଇଥିଲେ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

Mayurbhanj: ଆଜି ମୟୂରଭଞ୍ଜର ସମସ୍ତ ସ୍କୁଲ୍ ଛୁଟି: ବିଦ୍ୟାଳୟରେ ଉପସ୍ଥିତ ରହିବେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ

ମାମଲାର ବିବରଣୀରୁ ପ୍ରକାଶ ଯେ ସିଜିମାଳି ବକ୍ସାଇଟ ଖଣିକୁ ସଂଯୋଗ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖା ଦେଇଥିଲା। ରାତି ଅଧରେ କଣ୍ଟାମାଳ ଗ୍ରାମକୁ ପୁଲିସ ଓ ଅର୍ଦ୍ଧସାମରିକ ବଳ ଘେରି ଯାଇଥିଲେ। ଘରେ ଗ୍ରାମବାସୀ ଶୋଇଥିବା ବେଳେ ସେମାନଙ୍କ ଘରର କବାଟ ଭାଙ୍ଗି ଦିଆଯିବା ସହିତ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ସହିତ ପଥର ସେମାନଙ୍କ ଘର ଉପରକୁ ପକାଯାଇଥିଲା। ଏହି ବର୍ବର ଘଟଣାରେ ବହୁ ଗ୍ରାମବାସୀ ଆହତ ହୋଇଥିଲେ ଓ ସେମାନଙ୍କ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କ ଘର, ଗାଡ଼ି ଭାଙ୍ଗି ଯାଇଥିଲା। ସିଜିମାଳି ଖଣିକୁ ରାସ୍ତା ନିର୍ମାଣକୁ ବିରୋଧ କରୁଥିବାରୁ କଣ୍ଟାମାଳ ଓ ଅନ୍ୟ ଗ୍ରାମର ବାସିନ୍ଦାଙ୍କ ଉପରେ ଏପରି ଆକ୍ରମଣ ହୋଇଥିବା ଆବେଦନରେ ଦର୍ଶାଯାଇଛି। ପରିବେଶ ପ୍ରଭାବ ଆକଳନ ଚିଠା ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ଅଞ୍ଚଳର ୧୦କି.ମି. ପରିଧି ଭିତରେ ୯୮ଟି ଗ୍ରାମ ରହିଛି ଯେଉଁଠି ୭ହଜାର ଘର ରହିଛି। ଏହି ସବୁ ଗ୍ରାମର ୨୮ହଜାର ଲୋକଙ୍କ ମଧ୍ୟରୁ ୧୮ହଜାର ଅନୁସୂଚିତ ଜନଜାତି, ୫ହଜାର ଅନୁସୂଚିତ ଜାତି ବର୍ଗର। ଜୀବନ ଜୀବିକା ପାଇଁ ଏହି ଗ୍ରାମବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ, କୃଷି ଉପରେ ମୁଖ୍ୟତ ନିର୍ଭର କରିନ୍ତି। ତେଣୁ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ପ୍ରତିବାଦ କରୁଥିଲେ। କିନ୍ତୁ ଗ୍ରାମବାସୀଙ୍କୁ ଦମନ କରିବାକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ, ପୁଲିସ ଏପରି ରାତି ଅଧିଆ ବେଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବୋଲି ଅଭିଯୋଗ ହୋଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.