ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ଘରୋଇ ଓ ସରକାରୀ ନର୍ସିଂ କଲେଜ ଓ ପ୍ରଶିକ୍ଷଣ ଅନୁଷ୍ଠାନ ଗୁଡ଼ିକରେ ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ନର୍ସିଂ କଲେଜ୍ ଏବଂ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି (ବୁଧବାର) ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଉଚ୍ଚମାନର ନର୍ସିଂ ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳିବାପାଇଁ ସମସ୍ତ ଅନୁଷ୍ଠାନରେ ନିର୍ଦ୍ଧାରିତ ମାନଦଣ୍ଡର କଡ଼ାକଡ଼ି ପାଳନ ଅତ୍ୟନ୍ତ ଆବଶ୍ୟକ। ଶିକ୍ଷାର ଗୁଣବତ୍ତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଶିକ୍ଷଣର ମାନକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ ସହିତ କୌଣସି ପ୍ରକାରର ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ।
ସମସ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ଜିଲ୍ଲାର ସମସ୍ତ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନର ନିରପେକ୍ଷ ଏବଂ ବ୍ୟାପକ ଯାଞ୍ଚ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଗଠିତ ଜିଲ୍ଲାସ୍ତରୀୟ ଯାଞ୍ଚ ଦଳ ମାଧ୍ୟମରେ ଏହି ଯାଞ୍ଚ କରାଯିବ। ଏଥିସହ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ମଧ୍ୟ ଏହି ଯାଞ୍ଚ ଦଳର ସଦସ୍ୟ ଭାବେ ସାମିଲ କରିବାକୁ କହିଥିଳେ। ସମସ୍ତ ଜିଲ୍ଲାପାଳଙ୍କୁ ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ସେମାନଙ୍କର ଯାଞ୍ଚ ରିପୋର୍ଟ ମେଡିକାଲ୍ ଶିକ୍ଷା ଓ ପ୍ରଶିକ୍ଷଣ (ଡିଏମଇଟି) ନିକଟରେ ଦାଖଲ କରିବାକୁ ମନ୍ତ୍ରୀ କହିଛନ୍ତି। କୌଣସି ପ୍ରକାରର ଅନିୟମିତତା ଦେଖାଗଲେ, ସେହି ତ୍ରୁଟିପୂର୍ଣ୍ଣ ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଘରୋଇ ନର୍ସିଂ କଲେଜ ଅନୁମୋଦନରେ କେଳେଙ୍କାରୀ: ଯାଞ୍ଚରେ ଧରାପଡ଼ିଲା ୫ଟି କଲେଜ
ସେହିପରି ବର୍ଷାଦିନ ଏବଂ ରଥଯାତ୍ରା ସମୟରେ ଜଳବାହିତ ଓ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବଢ଼ୁଥିବାରୁ 'ଷ୍ଟପ୍ ଡାଇରିଆ କ୍ୟାମ୍ପେନ' ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଡାଇରିଆ, ଡେଙ୍ଗୁ, ଚିକେନଗୁନିଆ, ମ୍ୟାଲେରିଆ ଆଦି ସମ୍ବନ୍ଧରେ ବ୍ୟାପକ ଜନ ସଚେତନତା ବିଷୟରେ ସେ ସମୀକ୍ଷା କରିଥିଲେ । ଗତ ଜୁନ୍ ୧୬ତାରିଖ ରୁ ଚଳିତ ମାସ ୩୧ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଜରିଆରେ ପାନୀୟ ଜଳର ଉତ୍ସଗୁଡ଼ିକୁ ବିଶୋଧନ କରିବା ସହ ତୃଣମୂଳ ସ୍ତରରେ ଆଶା ଦିଦି ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଜିଙ୍କ୍ ବଟିକା ଓ ଓଆରଏସ ବଣ୍ଟନ କରି ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଅସ୍ବାଥି ଏସ୍, ବିଭାଗର ସମସ୍ତ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ।

1 hour ago
1

