ARTICLE AD BOX
କୋଲକାତା : କୋଲକାତାର ନୀଳରତନ ସିରକାର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ନର୍ସଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି । ହସ୍ପିଟାଲର ଏକ ଟଏଲେଟ୍ ଭିତରୁ ତାଙ୍କ ମୃତଦେହ ମିଳିଛି । କବାଟ ଭିତରୁ ବନ୍ଦ ଥିବାରୁ ପୁଲିସ କବାଟ ଭାଙ୍ଗି ନର୍ସ୍ଙ୍କ ମୃତଦେହ ବାହାରକୁ କାଢ଼ିଛି । ମୃତ ନର୍ସଙ୍କ ନାଁ ହେଉଛି ରୁପାଲି ବର୍ମନ । ତାଙ୍କ ବୟସ ୩୦ ।
ମିଳିଥିବା ସୂଚନାନୁଯାୟୀ ରୁପାଲି ଦୀର୍ଘ ସମୟ ଧରି ଟଏଲେଟ୍ରୁ ନବାହାରିବାରୁ ସହକର୍ମୀମାନେ ତାଙ୍କୁ ବାରମ୍ବାର ଡାକିଥିଲେ । କିନ୍ତୁ କିଛି ଉତ୍ତର ନମିଳିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଭାଙ୍ଗି ତାଙ୍କୁ ଅଚେତ ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖିଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଡାକ୍ତର ଦେଖିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।
Rain Havoc ଲଗାଣ ବର୍ଷା: ମୋରଡ଼ା ବ୍ଲକ୍ ୬ ଟି ପଞ୍ଚାୟତରେ ବନ୍ୟାସ୍ଥିତି
ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନର୍ସ ଜଣକ ବୁଧବାର ରାତିରେ ଡ୍ୟୁଟିରେ ଥିଲେ । ତାଙ୍କ ଡ୍ୟୁଟି ରାତି ୮ଟାରୁ ଆରମ୍ଭ ହୋଇଥିଲା । ଗାଇନେକୋଲୋଗି ବିଭାଗର ହାଇ ଡିପେଣ୍ଡେନ୍ସି ୟୁନିଟ୍ (ଏଚ୍ଡିୟୁ) ର ନର୍ସିଂ ଷ୍ଟେସନରେ ଡ୍ୟୁଟିରେ ଯୋଗଦେବା ପରେ ସେ ଜଣେ ରୋଗୀଙ୍କର ଚିକିତ୍ସା କରିଥିଲେ । ଏହାପରେ ସେ ଏଚ୍ଡିୟୁ ଟଏଲେଟ୍କୁ ଯାଇଥିଲେ, ଯେଉଁଠାରୁ ପରେ ତାଙ୍କ ମୃତଦେହ ମିଳିଥିଲା । ଟଏଲେଟ୍ ବାହାରେ ଏକ ସିସି କ୍ୟାମେରା ଲାଗିଛି ।
ପୁଲିସ ସୂତ୍ର ଅନୁଯାୟୀ, ଘଟଣାଟି ସିସିଟିଭି ଫୁଟେଜ୍ରେ ରେକର୍ଡ ହୋଇଛି ଏବଂ ପୁଲିସ ଏହି ଫୁଟେଜ୍ ଜବତ କରିଛି । ପୁଲିସ ସୂତ୍ର ଅନୁଯାୟୀ, ନର୍ସ ଜଣକ ରାତି ୧୦ଟା ୨୦ ମିନିଟ୍ରେ ଟଏଲେଟ୍ ଭିତରକୁ ଯାଇଥିଲେ । କିଛି ସମୟ ପରେ ସେ ନଫେରିବାରୁ ରାତି ୧୦ଟା ୨୭ ମିନିଟ୍ରେ ସହକର୍ମୀମାନେ ତାଙ୍କୁ ଡାକିବା ଆରମ୍ଭ କରିଥିଲେ । କିନ୍ତୁ ଭିତରୁ କୌଣସି ଉତ୍ତର ନମିଳିବାରୁ ସେମାନେ ଚିନ୍ତିତ ହୋଇପଡ଼ିଥିଲେ । ଶେଷରେ ଟଏଲେଟ୍ କବାଟ ଭଙ୍ଗାଯାଇଥିଲା । ଭିତରେ ନର୍ସଙ୍କୁ ଅଚେତ ଅବସ୍ଥାରେ ଭୂମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ ବୋଲି ପୁଲିସ କହିଛି । ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏକ ପୃଥକ ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ଏବଂ ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

3 hours ago
1


