Newyork: ନ୍ୟୁୟର୍କରେ ପିଜା ଡେଲିଭରି ବେଳେ ପଞ୍ଜାବ ଯୁବକଙ୍କୁ ଗୁଳି: ୨୮ ବର୍ଷୀୟ ଗୁରଦୀପ ସିଂହଙ୍କ ମୃତ୍ୟୁ

1 hour ago 2
ARTICLE AD BOX

ୱାସିଂଟନ: ଆମେରିକାନ୍ୟୁୟର୍କ ସହରରେ ଶନିବାର ପିଜା ଡେଲିଭରି କରୁଥିବା ପଞ୍ଜାବର ୨୮ ବର୍ଷୀୟ ଯୁବକ ଗୁରଦୀପ ସିଂହଙ୍କୁ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛି। ଗୁରଦୀପ ପଞ୍ଜାବର କପୁରଥାଲା ଜିଲ୍ଲାର ଜବୋୱାଲ ଗାଁର ବାସିନ୍ଦା ଥିଲେ। ନ୍ୟୁୟର୍କର ରିଚମଣ୍ଡ ଷ୍ଟ୍ରିଟ୍‌ ଅଞ୍ଚଳରେ ପିଜା ପହଞ୍ଚାଇବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଘଟଣାଟି ଲୁଟ୍‌ ଉଦ୍ୟମରୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନ୍ୟୁୟର୍କ ପୁଲିସର ତଦନ୍ତ ପରେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଗୁରଦୀପ ପ୍ରାୟ ୧୩ ବର୍ଷ ପୂର୍ବେ ଋଣ କରି ଆମେରିକା ଯାଇଥିଲେ। ପରିବାରକୁ ଭଲ ଜୀବନ ଦେବା ଓ ବାପାମାଆଙ୍କ ଭବିଷ୍ୟତ ସୁଧାରିବା ଆଶାରେ ସେ ବିଦେଶ ଯାଇଥିଲେ। ତାଙ୍କ ବାପା ପ୍ୟାରା ଲାଲ କହିଛନ୍ତି, ଆମେରିକା ଯିବା ପାଇଁ ପରିବାର ଉପରେ ବଡ଼ ଋଣ ବୋଝ ପଡ଼ିଥିଲା। ସେଠାରେ ପହଞ୍ଚିବା ପରେ ମଧ୍ୟ ଗୁରଦୀପଙ୍କୁ ଅନେକ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ତଥାପି ସେ ଦିନରାତି ପରିଶ୍ରମ କରି ପରିବାରକୁ ସହାୟତା କରୁଥିଲେ। ଗୁରଦୀପ ପୂର୍ବରୁ ଏକ ଷ୍ଟୋରରେ କାମ କରୁଥିଲେ। ପରେ ପିଜା ଡେଲିଭରି କାମ ଆରମ୍ଭ କରିଥିଲେ। ଶନିବାର ଡେଲିଭରି ଦେବାକୁ ଯାଇଥିବା ବେଳେ ସେ ଆକ୍ରମଣର ଶିକାର ହୋଇଥିଲେ।

ଆହୁରି ପଢନ୍ତୁ : USA: ଆମେରିକାରେ ଲୁଟ୍‌ ବେଳେ ଭାରତୀୟ ବଂଶୋଦ୍ଭବ ଦୋକାନ ମାଲିକଙ୍କୁ ଗୁଳି: ଝିଅ ସାମ୍ନାରେ ବାପାର ମୃତ୍ୟୁ

ଅଜଣା ଆକ୍ରମଣକାରୀ ତାଙ୍କୁ ଗୁଳି କରିବା ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଗୁରଦୀପଙ୍କ ମୃତ୍ୟୁ ଖବର ଜବୋୱାଲ ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ସେ ଅବିବାହିତ ଥିଲେ ଏବଂ ତାଙ୍କ ପରିବାରରେ ବାପା ଓ ଜଣେ ଭାଇ ଅଛନ୍ତି। ପରିବାର ଗୁରଦୀପଙ୍କ ମୃତଦେହ ଶୀଘ୍ର ଭାରତ ଆଣିବା ପାଇଁ ପଞ୍ଜାବ ଓ ଭାରତ ସରକାରଙ୍କ ସହାୟତା ମାଗିଛି। ଏଥିସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଧରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା କର୍ତ୍ତୃପକ୍ଷଙ୍କୁ ମଧ୍ୟ ପରିବାର ଅନୁରୋଧ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.