ARTICLE AD BOX
ନୂଆଦିଲ୍ଲୀ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ନିଖୋଜ ଲୋକଙ୍କ ମୃତଦେହ ଚିହ୍ନଟ କରିବାରେ ସହାୟତା ପାଇଁ କେନ୍ଦ୍ର ସରକାର ଭାରତରେ ଡିଏନ୍ଏ ପ୍ରୋଫାଇଲିଂ ସୁବିଧା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଦେଶ ମନ୍ତ୍ରଣାଳୟ (ଏମ୍ଇଏ) ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଏହି ବ୍ୟବସ୍ଥା ଅନୁସାରେ ନେପାଳରେ ନିଖୋଜ ଥିବା ବ୍ୟକ୍ତିଙ୍କ ଭାରତରେ ରହୁଥିବା ସମ୍ପର୍କୀୟଙ୍କଠାରୁ ନମୁନା ସଂଗ୍ରହ କରାଯିବ। ଏଥିରେ ବାପା-ମା’, ସନ୍ତାନ ଓ ଭାଇ-ଭଉଣୀଙ୍କ ନମୁନା ନିଆଯାଇ ଡିଏନ୍ଏ ପ୍ରୋଫାଇଲ୍ ପ୍ରସ୍ତୁତ କରାଯିବ। ଭାରତର କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର (ସିଏଫ୍ଏସ୍ଏଲ୍), ରାଜ୍ୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର (ଏସ୍ଏଫ୍ଏସ୍ଏଲ୍), ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ) ଏବଂ ଡିଏନ୍ଏ ପ୍ରୋଫାଇଲିଂ ସୁବିଧା ଥିବା ଅନ୍ୟ ଏନ୍ଏବିଏଲ୍-ମାନ୍ୟତାପ୍ରାପ୍ତ ପରୀକ୍ଷାଗାରରେ ଏହି ପ୍ରକ୍ରିୟା କରାଯାଇପାରିବ।
Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା
ବନ୍ୟା ମୃତକଙ୍କ ଚିହ୍ନଟ ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ପ୍ରକ୍ରିୟା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ନେପାଳ ପୁଲିସର ପରାମର୍ଶ ଅନୁସାରେ ‘ଅଟୋସୋମାଲ୍ ଏସ୍ଟିଆର୍’ ପଦ୍ଧତିରେ ଡିଏନ୍ଏ ପ୍ରୋଫାଇଲିଂ କରିବାକୁ କୁହାଯାଇଛି। ପ୍ରସ୍ତୁତ ଡିଏନ୍ଏ ପ୍ରୋଫାଇଲ୍ ଓ ଆବଶ୍ୟକ ପ୍ରାରମ୍ଭିକ ତଥ୍ୟ ନେପାଳ ପୁଲିସକୁ ଇ-ମେଲ୍ ଯୋଗେ ପଠାଯିବ। ସେଠାରେ ଅଚିହ୍ନା ମୃତଦେହରୁ ମିଳିଥିବା ଡିଏନ୍ଏ ସହ ଏହାର ତୁଳନା କରାଯିବ। ସମନ୍ୱୟ ଓ ସହାୟତା ପାଇଁ ଡିଏନ୍ଏ ପ୍ରୋଫାଇଲ୍ର ଏକ ନକଲ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯାଇପାରିବ। ଏହି ପ୍ରକ୍ରିୟା ପାଇଁ ଡିଏନ୍ଏ ପରୀକ୍ଷା ସୁବିଧା ଥିବା ସରକାରୀ ପରୀକ୍ଷାଗାରର ତାଲିକା ଏମ୍ଇଏ ପ୍ରକାଶ କରିଛି। ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଦିଆଯାଇଛି।

1 hour ago
1


