ARTICLE AD BOX
ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମିତୀର୍ଥ କ୍ଷେତ୍ର ଟ୍ରଷ୍ଟର ନବନିଯୁକ୍ତ ପ୍ରଥମ ସିଇଓ ଅବସରପ୍ରାପ୍ତ ଏୟାର୍ ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ରାମଭକ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ଲୋଡ଼ିଛନ୍ତି। ଟ୍ରଷ୍ଟର ପରିଚାଳନାରେ ନିକଟରେ ବଡ଼ ପରିବର୍ତ୍ତନ ପରେ ଶୁକ୍ରବାର ଅଯୋଧ୍ୟାର ବୈଦେହୀ ଭବନରେ ଅନୁଷ୍ଠିତ ପ୍ରଥମ ବୈଠକ ପରେ ସାମ୍ବାଦିକଙ୍କୁ ମିଶ୍ର କହିଛନ୍ତି ଯେ, ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ନୂଆ ରଣନୀତିର ପ୍ରଭାବ ଖୁବ୍ଶୀଘ୍ର ଦେଖାଯିବ।
ମିଶ୍ର କହିଛନ୍ତି, ରାମଭକ୍ତଙ୍କ ଆସ୍ଥା ଓ ଆଶୀର୍ବାଦ ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କିଛି ସମୟ ଦେବାକୁ ସେ ଭକ୍ତମାନଙ୍କୁ ଅନୁରୋଧ କରିବା ସହ ସେମାନଙ୍କ ଆଶୀର୍ବାଦ ଓ ବିଶ୍ୱାସ ସହ ଆଗକୁ ବଢ଼ିବେ ବୋଲି କହିଛନ୍ତି। ମନ୍ଦିରର କାର୍ଯ୍ୟପ୍ରଣାଳୀ ସହ ସେ ଏବେ ପରିଚିତ ହେଉଛନ୍ତି। ଟ୍ରଷ୍ଟର ସଦସ୍ୟମାନଙ୍କୁ ଭେଟିବା ଓ ରାମମନ୍ଦିର ପରିଦର୍ଶନ କରିବା ପରେ ସେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ଏହାର ଫଳ କିଛି ଦିନ ମଧ୍ୟରେ ଦୃଶ୍ୟମାନ ହେବ ବୋଲି ସେ କହିଛନ୍ତି।
ଆଗାମୀ ପର୍ବପର୍ବାଣି ପାଇଁ ପ୍ରସ୍ତୁତି ନେଇ ଆଲୋଚନା
ବୈଦେହୀ ଭବନରେ ହୋଇଥିବା ବୈଠକରେ ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟ ସହ ଜଡ଼ିତ ପକ୍ଷଙ୍କ ମଧ୍ୟରେ ସମନ୍ୱୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଭକ୍ତଙ୍କ ପାଇଁ ବ୍ୟବସ୍ଥା, ଟ୍ରଷ୍ଟର କାର୍ଯ୍ୟରେ ସ୍ୱଚ୍ଛତା, ସୁବିଧା ଓ ସୁରକ୍ଷା ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା। ଆଗାମୀ ପର୍ବପର୍ବାଣି ପାଇଁ ପ୍ରସ୍ତୁତି ନେଇ ବି ଆଲୋଚନା ହୋଇଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଗୋବିନ୍ଦ ଦେବ ଗିରି ଉପସ୍ଥିତ ଥିବାବେଳେ ଅନ୍ୟ କେତେକ ସଦସ୍ୟ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ଗଣମାଧ୍ୟମକୁ ମଧ୍ୟ ଜଣାଇ ଦିଆଯିବ ବୋଲି ମିଶ୍ର କହିଛନ୍ତି। ଗତ ବୁଧବାର ମିଶ୍ରଙ୍କୁ ଟ୍ରଷ୍ଟର ପ୍ରଥମ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା। ଗୋବିନ୍ଦ ଦେବ ଗିରିଙ୍କୁ ନୂଆ ସାଧାରଣ ସମ୍ପାଦକ ଏବଂ ଦିଲ୍ଲୀର ମହେଶ ଭଗଚନ୍ଦକାଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ଅଯୋଧ୍ୟାର ମଦନ ମୋହନ ପାଣ୍ଡେ, ଶିକୋହାବାଦର ଡାକ୍ତର ନିର୍ମଳା ଯାଦବ ଓ ଭଗଚନ୍ଦକାଙ୍କୁ ନୂଆ ଟ୍ରଷ୍ଟି ଭାବେ ସାମିଲ କରାଯାଇଛି। ନିର୍ମଳା ଯାଦବ ଟ୍ରଷ୍ଟର ପ୍ରଥମ ମହିଳା ସଦସ୍ୟ ହୋଇଛନ୍ତି।

48 minutes ago
1


