ARTICLE AD BOX
ନୂଆଦିଲ୍ଲୀ: ମ୍ୟାମାରରେ ଏକ ଯାତ୍ରୀବାହୀ ବିମାନ ଉପରେ ଫେବ୍ରୁଆରି ୨୦ରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଜଣେ ଆମେରିକୀୟ ଓ ୬ ଜଣ ୟୁକ୍ରେନୀୟ ନାଗରିକଙ୍କ ସମ୍ପୃକ୍ତି ଥିବା ଦାବି କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)। ଏହି ୭ ଜଣଙ୍କୁ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଷଡ଼୍ଯନ୍ତ୍ର ଅଭିଯୋଗରେ ମାର୍ଚ୍ଚରେ ଗିରଫ କରାଯାଇଥିଲା। ସେମାନେ ଏବେ ଦିଲ୍ଲୀର ତିହାର ଜେଲ୍ରେ ଅଛନ୍ତି।
ଏନ୍ଆଇଏ ଦିଲ୍ଲୀର ଏକ ଅଦାଲତରେ ଦାଖଲ କରିଥିବା ଆବେଦନରେ ଏହି ଦାବି କରିଛି। ଆମେରିକୀୟ ନାଗରିକ ମାଥ୍ୟୁ ଆରନ୍ ଭାନ୍ଡାଇକ୍ ଓ ୟୁକ୍ରେନୀୟ ନାଗରିକ ଭିକ୍ଟର କାମିନସ୍କିଙ୍କୁ ତିହାର ଜେଲ୍ରେ ଜେରା କରିବା ପାଇଁ ସଂସ୍ଥା ଅନୁମତି ମାଗିଥିଲା। ଅଗଷ୍ଟ ୩୧ରେ ଅଦାଲତ ଏହି ଅନୁମତି ଦେଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ୨ ଓ ୩ ତାରିଖ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଜେରା କରିବାକୁ ଅନୁମତି ମିଳିଥିଲା। ଏହି ମାମଲାରେ ସ୍ୱତନ୍ତ୍ର ଏନ୍ଆଇଏ ବିଚାରପତି ପ୍ରଶାନ୍ତ ଶର୍ମା ଶୁଣାଣି କରୁଛନ୍ତି।
ଏନ୍ଆଇଏ କହିଛି, କେତେକ ୟୁକ୍ରେନୀୟ ଓ ଜଣେ ଆମେରିକୀୟ ନାଗରିକଙ୍କ ମ୍ୟାମାରର ଏକ ବେସାମରିକ ବିମାନ ଉପରେ ଡ୍ରୋନ୍ ଆକ୍ରମଣରେ ସମ୍ପୃକ୍ତି ନେଇ କେନ୍ଦ୍ର ସରକାରଙ୍କୁ ବିଶ୍ୱସନୀୟ ସୂଚନା ମିଳିଥିଲା। ତଦନ୍ତ ବେଳେ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ୍ ଉପକରଣର ତଥ୍ୟ ଯାଞ୍ଚ କରିବା ପରେ ଚିତ୍ର, ଭିଡିଓ ଓ ଭଏସ୍ ନମୁନା ଆକାରରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏହି ତଥ୍ୟକୁ ଅଭିଯୁକ୍ତଙ୍କ ବୟାନ ସହ ମେଳ କରିବା ଓ ତଦନ୍ତକୁ ଆଗକୁ ନେବା ପାଇଁ ଜେରା ଆବଶ୍ୟକ ବୋଲି ସଂସ୍ଥା କହିଛି।
ଏନ୍ଆଇଏ ଅନୁସାରେ, ମାର୍ଚ୍ଚରେ ୭ ବିଦେଶୀଙ୍କୁ ଦେଶର ୩ଟି ସହରର ୩ଟି ବିମାନବନ୍ଦରରୁ ଗିରଫ କରାଯାଇଥିଲା। ମାର୍ଚ୍ଚ ୧୩ରେ କୋଲକାତା ବିମାନବନ୍ଦରରୁ ଭାନ୍ଡାଇକ୍ ଗିରଫ ହୋଇଥିଲେ। ଭିକ୍ଟର କାମିନସ୍କି, ପେଟ୍ରୋ ହୁର୍ବା, ତାରାସ୍ ସ୍ଲିଭିଆକ୍, ଇଭାନ୍ ସୁକ୍ମାନୋଭସ୍କି, ମାରିଆନ୍ ଷ୍ଟେଫାନକିଭ୍ ଓ ମାକ୍ସିମ୍ ହୋନଚାରୁକ୍ ନାମକ ୬ ୟୁକ୍ରେନୀୟଙ୍କୁ ଦିଲ୍ଲୀ ଓ ଲକ୍ଷ୍ନୌ ବିମାନବନ୍ଦରରୁ ଧରାଯାଇଥିଲା।
ଜବତ ଉପକରଣରୁ ମିଳିଛି ଚିତ୍ର, ଭିଡିଓ ଓ ଭଏସ୍ ନମୁନା
ଏନ୍ଆଇଏର ଅଭିଯୋଗ ଅନୁସାରେ, ୧୪ ଜଣ ୟୁକ୍ରେନୀୟ ବିଭିନ୍ନ ସମୟରେ ପର୍ଯ୍ୟଟକ ଭିସାରେ ଭାରତ ଆସି ଗୁଆହାଟୀ ଯାଇଥିଲେ। ସେଠାରୁ ସେମାନେ ଆବଶ୍ୟକ ରେଷ୍ଟ୍ରିକ୍ଟେଡ୍ ବା ପ୍ରୋଟେକ୍ଟେଡ୍ ଏରିଆ ପରମିଟ୍ ନ ନେଇ ମିଜୋରାମ ଯାଇଥିଲେ। ପରେ ସେମାନେ ବେଆଇନ ଭାବେ ମ୍ୟାମାର ଯାଇ ସେଠାକାର ସେନା ଶାସନ ବିରୋଧୀ ଜାତିଗତ ସଶସ୍ତ୍ର ଗୋଷ୍ଠୀଙ୍କୁ ଡ୍ରୋନ୍ ପରିଚାଳନା, ଡ୍ରୋନ୍ ଯୁଦ୍ଧ, ଡ୍ରୋନ୍ ତିଆରି ଓ ଜାମିଂ ପ୍ରଯୁକ୍ତି ତାଲିମ ଦେଇଥିବା ଏନ୍ଆଇଏ ଦାବି କରିଛି।
ଅଭିଯୁକ୍ତମାନେ ମାର୍ଚ୍ଚ ୧୪ରେ ପଟିଆଲା ହାଉସ୍ କୋର୍ଟର ସ୍ୱତନ୍ତ୍ର ଏନ୍ଆଇଏ ବିଚାରପତିଙ୍କ ନିକଟରେ ହାଜର ହୋଇଥିଲେ ଏବଂ ଏପ୍ରିଲ୍ ୬ରୁ ତିହାର ଜେଲ୍ରେ ଅଛନ୍ତି। ଏନ୍ଆଇଏ କହିଛି, ମ୍ୟାମାରରେ ଥିବା ଅନ୍ୟ ସନ୍ଦିଗ୍ଧ ଷଡ଼୍ଯନ୍ତ୍ରକାରୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ଓ ବୃହତ୍ ଷଡ଼୍ଯନ୍ତ୍ରର ପର୍ଦ୍ଦାଫାସ ପାଇଁ ଭାନ୍ଡାଇକ୍ ଓ କାମିନସ୍କିଙ୍କୁ ଜେରା କରାଯିବ।

38 minutes ago
1


