ARTICLE AD BOX
ଭୁବନେଶ୍ବର: ରାଜ୍ୟର ଅସ୍ମିତା ବହନ କରୁଥିବା ଐତିହ୍ୟ ଓ ସଂସ୍କୃତିର ମୁକସାକ୍ଷୀ ୩ହଜାର ରୁ ଅଧିକ ମନ୍ଦିର ଓ ସ୍ମାରକୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ପ୍ରତ୍ନତାତ୍ତ୍ବିକ ମହତ୍ବ ରହୁଥିବା ମନ୍ଦିର ଓ ସ୍କାରକୀଗୁଡ଼ିକର ଉପଯୁକ୍ତ ରକ୍ଷଣବେକ୍ଷଣ ହୋଇପାରୁନାହିଁ। ରାଜ୍ୟରେ ମାତ୍ର ୨୯୫ଟି କୀର୍ତ୍ତିରାଜିକୁ ରାଜ୍ୟ ଓ କେନ୍ଦ୍ର ସରକାର ସଂରକ୍ଷଣ ପାଇଁ ଗ୍ରହଣ କରିଛନ୍ତି। ସେଗୁଡ଼ିକର ମଧ୍ୟ ଉପଯୁକ୍ତ ସୁରକ୍ଷା ପ୍ରଦାନ କରାଯାଉନାହିଁ। ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଛି।
ରାଜ୍ୟର ମନ୍ଦିର ଓ ସ୍ମାରକୀର ସୁରକ୍ଷା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଓ ଅନୁଦାନ ସମ୍ପର୍କରେ ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ କରିଥିବା ପ୍ରଶ୍ନର ଉତ୍ତରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଦାନ କରିଥିବା ତଥ୍ୟ ରାଜ୍ୟର କୀର୍ତ୍ତିରାଜିର ସୁରକ୍ଷା ନେଇ ଉଦ୍ବେଗ ସୃଷ୍ଟି କରିଛି ।
ରାଜ୍ୟର ପ୍ରତ୍ନତାତ୍ତ୍ବିକା ମହତ୍ବ ରଖୁଥିବା ମନ୍ଦିର ଓ ସ୍ମାରକୀଗୁଡ଼ିକର ସୁରକ୍ଷା ପାଇଁ ଗତ ୫ବର୍ଷ ମଧ୍ୟରେ ପ୍ରଦାନ କରିଥିବା ଅନୁଦାନ ଓ ବ୍ୟୟବରାଦ ସମ୍ପର୍କରେ ଗ୍ରହଣ ପଦକ୍ଷେପ ଉପରେ ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତିଯେ ରାଜ୍ୟରେ ୩ହଜାରରୁ ଅଧିକ ମନ୍ଦିର ଓ ସ୍ମାରକୀ ପ୍ରତ୍ନତତ୍ତ୍ବିକ ମହତ୍ବ ବହନ କରୁଛି। ସେଥିମଧ୍ୟରୁ ୨୧୩ଟି ପ୍ରାଚୀନ କୀର୍ତ୍ତିରାଜିକୁ ରାଜ୍ୟ ସଂରକ୍ଷଣ ଘୋଷଣା କରିଥିବା ବେଳେ ୮୨ଟି କୀର୍ତ୍ତିରାଜିକୁ କେନ୍ଦ୍ରୀୟ ସଂରକ୍ଷଣ କୀର୍ତ୍ତିରାଜି ରୂପେ ଘୋଷଣା କରାଯାଇଛି।
ଚଳିତ ଆର୍ଥିକ ବର୍ଷରେ ସଂରକ୍ଷିତ କୀର୍ତ୍ତିରାଜି ପାଇଁ ୭କୋଟି ଟଙ୍କା ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ କୀର୍ତ୍ତିରାଜି ନିମନ୍ତେ ୧୩କୋଟି ଟଙ୍କା ବଣ୍ଟନ କରାଯାଇଛି। କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଆବଶ୍ୟକ ଅର୍ଥ ଯଥେଷ୍ଟ ହେଉନଥିବା ବେଳେ ଗତ ୫ବର୍ଷରେ ପ୍ରଦାନ କରାଯାଉଥିବା ଅନୁଦାନ ମଧ୍ୟ ବ୍ୟୟ ହୋଇପାରିନାହିଁ। ଏପରିକି ୨୦୨୪-୨୫ରେ ପ୍ରଦାନ କରାଯାଇଥିବା ୧୫କୋଟି ଟଙ୍କାରୁ ଗୋଟିଏ ଟଙ୍କା ମଧ୍ୟ ବ୍ୟୟ ହୋଇନାହିଁ। ସେହିପରି ୨୦୨୧-୨୨ରେ ପ୍ରଦାନ କରାଯାଇଥିବା ୧୦କୋଟି ୮ଲକ୍ଷ ୪୯ହଜାର ଟଙ୍କା ଅନୁଦାନରୁ ୯କୋଟି ୭୨ଲକ୍ଷ ୩୫ହଜାର ୩୫୫ଟଙ୍କା ବ୍ୟୟ ହୋଇଥିବା ବେଳେ ୨୦୨୨-୨୩ରେ ୧୩କୋଟି ଟଙ୍କାରୁ ୧୨କୋଟି ୮୭ଲକ୍ଷ ୯୬ହଜାର ୧୪୩ଟଙ୍କା ବ୍ୟୟ ହୋଇଛି।
ସେହିପରି ୨୦୨୩-୨୪ରେ ୧୭କୋଟି ଟଙ୍କା ଅନୁଦାନରୁ ୧୬କୋଟି ୮୫ଲକ୍ଷ ୩୨ହଜାର ୨୬୯ଟଙ୍କା ଏବଂ ୨୦୨୫-୨୬ରେ ୧୫କୋଟି ୯୦ଲକ୍ଷ ଟଙ୍କାରୁ ୧୧କୋଟି ୫୪ଲକ୍ଷ ୬୪ହଜାର ୨୮୧ଟଙ୍କା ବ୍ୟୟ ହୋଇଛି। ପ୍ରତି ବର୍ଷ କୋଟି କୋଟି ଟଙ୍କା ଅନୁଦାନ ବ୍ୟୟ ହୋଇପାରୁନଥିବା ବେଳେ ପ୍ରାଚୀନ କୀର୍ତ୍ତରାଜି ରକ୍ଷଣବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ଯାହାକୁ ନେଇ ଗବେଷକ ଓ ଐତିହାସିକମାନେ ବିଭିନ୍ନ ସମୟରେ ଉଦ୍ବେଗ ପ୍ରକାଶ କରୁଛନ୍ତି।

7 hours ago
3


