Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର

2 hours ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ୩ ନମ୍ବର ୱାର୍ଡ ରଗଡ଼ା ପନାସିଆ ଗାଁରେ ପାନୀୟଜଳ ସଂକଟ ଲାଗି ରହିଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ୧୨୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଥିବା ଏହି ଏହି ଗ‌ାଁରେ ଏବେ ସଚଳ ଥିବା ୨ଟି ନଳକୂଅ ଉପରେ ୫ ଶହରୁ ଅଧିକ ଲୋକ ନିର୍ଭର କରନ୍ତି। ଏଥିପାଇଁ ଅଧିକାଂଶ ସମୟ ସଂପୃକ୍ତ ନଳକୂଅ ପାଖରେ ମହିଳାମାନଙ୍କ ଭିଡ଼ ଦେଖାଯାଉଛି।

ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପ-୧ ରୁ ଗାଁକୁ ପାଇପ୍ ଲାଇନ ବିଛା ଯାଇଛି। ହେଲେ ବିନ୍ଦୁବିନ୍ଦୁ ହୋଇ ପାଣି ଝରୁଥିବାରୁ ଏହା ଆଦୌ ଭରସାଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀ ସ୍ପଷ୍ଟ ମତ ରଖନ୍ତି। ‌ସେହିପରି ସ୍ଥାନୀୟ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗାଁରେ ପ୍ରତିଷ୍ଠା କରାଯାଇଥିବା ସୌର ପାନୀୟଜଳ ପ୍ରକଳ୍ପ ୬ ମାସରୁ ଅଧିକ ଦିନ ଧରି ଅଚଳ ପଡ଼ିରହିଛି। କାଇରା ଗାଗରାଇଙ୍କ ଘର ପାଖ ନଳକୂଅ ଭଙ୍ଗା ଅବସ୍ଥାରେ ରହିଛି। ଜଗଦୀଶ ବଦରାଙ୍କ ଘର ପାଖ ନଳକୂଅରୁ ବହୁ ବିଳମ୍ବରେ ପାଣି ବାହାରୁଛି। ହ୍ୟାଣ୍ଡଲ ମାରିବା କଷ୍ଟ ହେଉଛି।

Drinking Water: ବିଶୁଦ୍ଧ ପାନୀୟଜଳ ଦାବିରେ ରାସ୍ତା ଅବରୋଧ

ସୁନାରାମ ଲୋହାର ଓ ରଥ ସଏଙ୍କ ଘର ପାଖାପାଖି ଥିବା ୨ଟି ଯାକ ନଳକୂଅରୁ ଗ୍ରାମବାସୀ ପିଇବା ପାଣି ସଂଗ୍ରହ କରୁଥିବା କୁହାଯାଉଛି। ସ୍ଥଳ ବିଶେଷରେ ପାଣିଭାର ବୋହି ମହିଳାଙ୍କୁ ପାଖାପାଖି ଅଧ କିଲୋମିଟର ଚାଲିବାକୁ ପଡ଼ୁଛି। ଜଳ ହିଁ ଜୀବନ ବୋଲି ସରକାର କହି ଆସୁଥିଲେ ହେଁ ଏହି ପାନୀୟଜଳ ଭଳି ମୌଳିକ ସମସ୍ୟା ଆମ ପାଇଁ ଦୁର୍ବିଷହ ବୋଲି ଟିକି ଲୋହାର, ବାଲେମା ବଦରା, ଲେସବତୀ ମହାକୁଡ଼, ଦ୍ରୁପତି ଲୋହାର, ସାପାନୀ ବଦରା, ନୁନି ଗାଗରାଇ, ତୁଳସୀ ଲୋହାର, ନିତିମା ବଦରା, ବୀରାଙ୍ଗ ସଏ, ବୈଜୟନ୍ତୀ ବଦରା, ସିନି ଦେଇ, ସୁରୁ ବଦରା, ସୁବାସୀ ପୂର୍ତ୍ତି, ମିନାକ୍ଷୀ ମୁଣ୍ଡା, ଜୟନ୍ତୀ ତିରିଆ ପ୍ରମୁଖ ମିଳିତ ବିବୃତି ରଖି କ୍ଷୋଭ ପ୍ରକାଶ କରିଥିଲେ। ଆମେ ଗରିବ ନିରୀହ ଆଦିବାସୀ ବୋଲି ସରକାର ଓ ସ୍ଥାନୀୟ ଖଣି କର୍ତ୍ତୃପକ୍ଷ ଆମକୁ ଖାଲି ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି ଏହି ମହିଳାମାନେ କହିଥିଲେ।

ଏ ସଂପର୍କରେ ୱାର୍ଡସଭ୍ୟ ମାଣିକ ମୁଣ୍ଡାଙ୍କୁ ପଚାରିବାରେ ମେଗା ପାନୀୟଜଳ ପ୍ରକଳ୍ପରୁ ବୁନ୍ଦେବୁନ୍ଦେ ହୋଇ ପାଣି ଝରୁଥିବାରୁ ଏହା କୋଉ କାମକୁ ନୁହେଁ ବୋଲି କହିଥିଲେ। ବିବାହ, ଶୁଦ୍ଧିକ୍ରିୟା ଓ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ପାଣି ଦରକାର ସ୍ଥଳେ ଆମେ ବହୁ ହଇରାଣ ହରକତ ହେଉଛୁ ବୋଲି ସେ କହିଥିଲେ। ରଗଡ଼ାର ନରେନ ହେମ୍ବ୍ରମ ଘର ଖୋଲାକୂଅ ଏବେ ବହୁ ଗଭୀର ‌‌ହୋଇଥିବା ଦର୍ଶାଇ ଦିନକୁ ଦିନ ସେହି ହାରରେ ଗାଁର ପିଇବାପାଣି ସମସ୍ୟା ଗମ୍ଭୀର ହେଉଥିବା ୱାର୍ଡସଭ୍ୟ ଶ୍ରୀ ମୁଣ୍ଡା ମତ ରଖିଥିଲେ। ସରପଞ୍ଚ ସଞ୍ଜୟ କୁମାର ପରିଡ଼ାଙ୍କୁ ପଚାରିବାରେ ନଳକୂଅ ଯନ୍ତ୍ରାଂଶ ଆଉ ମିଳୁନଥିବା ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା କରୁଥିବା କହନ୍ତି। ଏ ସଂପର୍କରେ ବ୍ଲକ ପାନୀୟଜଳ ବିଭାଗ ଯନ୍ତ୍ରୀ ଇଂ ଦଶରଥ ନାଏକଙ୍କୁ ପଚାରିବାରେ କାଙ୍କଡ଼ପାଳ ପଞ୍ଚାୟତର ମେଗା ପ୍ରକଳ୍ପର ବହୁ ଉପଭୋକ୍ତ ପାଇପ୍‌ ଲାଇନରୁ ପମ୍ପ୍ ଯୋଗେ ପାଣି ଉଠାଇ ଚାଷବାସ, ଲୁଗାସଫା ଓ ବାସନମଜା ଭଳି କାମ କରୁଥିବାରୁ ଶେଷମୁଣ୍ଡକୁ ପାଣି ପହଞ୍ଚୁନଥିବା କହିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.