Neglect: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ଉନ୍ନତୀକରଣରେ ବିଳମ୍ୱ

10 hours ago 1
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ଉନ୍ନତୀକରଣ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତତ୍କାଳୀନ ୫ଟି ସଚିବ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ରାଇରଙ୍ଗପୁର ବ୍ଲକ୍ ଦାଣ୍ଡବୋଷ ଗ୍ରାମରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠକୁ ଯାଇଥିଲେ। ସମାଧିପୀଠର ବିକାଶ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସାନ୍ତାଳୀ ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଧିପୀଠର ଉନ୍ନତୀକରଣ କାର୍ଯ୍ୟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଦିଆ ଯାଇଥିଲା। 

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ୨୦୨୩ ମସିହା ମେ‘ ୬ ତାରିଖ ଦିନ ଦାଣ୍ଡବୋଷ ଗ୍ରାମରେ ବିଜେଡି ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶହଶହ ଲୋକଙ୍କର ଉପସ୍ଥିତିରେ ତତ୍କାଳୀନ ଓଡିଶା ସରକାରଙ୍କ କିଛି ମନ୍ତ୍ରୀ, ବିଧାୟକ ଯୋଗ ଦେଇଥିବା ବେଳେ ନବୀନ ପଟ୍ଟନାୟକ ଭାର୍ଚୁଆଲ ମାଧ୍ୟମରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠର ଉନ୍ନତୀକରଣ ଓ ଗ୍ରାମର ବିକାଶ ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଥିଲେ। ଉକ୍ତ ଅନୁଦାନ ରାଶିରେ ଦାଣ୍ଡବୋଷ ଗ୍ରାମର କପିଡୁଙ୍ଗରିଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠର ଉନ୍ନତିକରଣ ସହିତ ଏକ ଧ୍ୟାନ କେନ୍ଦ୍ର ପ୍ରତିଷ୍ଠା,କାପିଡୁଙ୍ଗରିରେ ପାଚେରୀ ନିର୍ମାଣ,ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣ,ଏକ ଅଡିଟୋରିୟମ, ଗବେଷଣା କେନ୍ଦ୍ର, ଶ୍ରଦ୍ଧାଳୁ ମାନଙ୍କ ପାଇଁ ଶୟନକକ୍ଷ,କାପିଡୁଙ୍ଗରିର ସୌନ୍ଦର୍ଯ୍ୟୀକରଣ, ସ୍ବାଗତ ତୋରଣ, ବିନ୍ଦୁ ଚନ୍ଦନ ବାହାଗାଳର ବିକାଶ, ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟୁତୀକରଣ କରିବା କାର୍ଯ୍ୟ ରହିଥିଲା। 

ତେବେ ସମାଧିପୀଠର ଉନ୍ନତୀକରଣ ନିମନ୍ତେ ୨୦୨୩ ମସିହା ନଭେମ୍ବର ୦୨ ତାରିଖ ଦିନ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ୨୦୨୪ ଅକ୍ଟୋବର ମାସ ସୁଦ୍ଧା କାର୍ଯ୍ୟ ସମାପନ ହେବାର ଥିଲା। ହେଲେ ଲଗାଣ ବର୍ଷା ଓ ଜମିଜମା ବିବାଦ ଯୋଗୁଁ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଜମିଜମା ସମସ୍ୟାର ସମାଧାନ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେଣୁ ସମାଧିପୀଠର ଉନ୍ନତୀକରଣରେ ଏକ ବର୍ଷ ବିଳମ୍ବ ହୋଇଛି। ୬କୋଟି ୮୫ ଲକ୍ଷ ୩୯ହଜାର ୧୦୫ ଟଙ୍କା ଅଟକଳ ବ୍ୟୟରେ ଅତି ସୁନ୍ଦର ଭାବରେ  ଅଡିଟୋରିୟମ, ଡର୍ମିଟୋରି, ଗଜୱା, ପାଚେରୀ, ମୁଖ୍ୟ ଗେଟ୍, ବଗିଚା ଓ ଧ୍ୟାନ କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ପାନୀୟ ଜଳ ବ୍ୟବସ୍ଥା ଓ ଶୌଚାଳୟ ମଧ୍ୟ ନିର୍ମାଣ କରା ଯାଇଛି। ବଳକା ରହିଥିବା ଅନୁଦାନ ରାଶିରେ ଜନ୍ମସ୍ଥଳୀ ଓ ସମାଧି ସ୍ଥଳୀର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଚୁନିୟାନ ମୁର୍ମୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଚଳିତ ବର୍ଷ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦାନ କରି ୫୦ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଛନ୍ତି। ଯେଉଁ ଅନୁଦାନ ରାଶିରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରଚିତ ସମସ୍ତ ପୁସ୍ତକ ଗୁଡିକୁ ଜନାଦୃତ କରାଇବା ପାଇଁ ବାରିପଦା ରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା, ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର - ସଂଗ୍ରହାଳୟ ଓ ପଣ୍ଡିତଙ୍କ କର୍ମ ଭୂମିଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ। 

ଆଲଚିକି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ପରିଦର୍ଶନ

ସଂକ୍ଷେପରେ ପଣ୍ଡିତ ରଘୁନାଥ ମୁର୍ମୁ 
ପଣ୍ଡିତ ରଘୁନାଥ ମୁର୍ମୁ, ସାରା ଦେଶରେ ଏକ ଜଣାଶୁଣା ନାମ। ସେ ୫ ମେ‘ ୧୯୦୫ ମସିହାରେ ମୟୂରଭଞ୍ଜ ଜିଲ୍ଲାର ଦାଣ୍ଡବୋଷ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦାଣ୍ଡବୋଷ ଗ୍ରାମ ନିକଟସ୍ଥ ଗମ୍ଭାରିଆ ଗ୍ରାମ ସ୍କୁଲରେ ସାତ ବର୍ଷ ବୟସରୁ ପାଠ ପଢା ଆରମ୍ଭ କରିଥିଲେ। ଛୋଟ ବେଳରୁ ତାଙ୍କ ମାତୃଭାଷା ପ୍ରତି ବିଶେଷ ଆଗ୍ରହ ରହିଥିଲା। ସେତେବେଳେ ଓଡ଼ିଆରେ ପାଠ ପଢ଼ା ହେଉଥିଲା ବେଳେ ସାନ୍ତାଳୀ ଭାଷାର କୌଣସି ଲିପି ନଥିଲା।  ନିଜ ମାତୃଭାଷାର ପ୍ରେମ ପାଇଁ ଶେଷରେ ୧୯୨୫ ମସିହାରେ ସାନ୍ତାଳୀ ବର୍ଣ୍ଣମାଳା ‘ଅଲଚିକି ଲିପି’ ପ୍ରସ୍ତୁତ କରିଥିଲେ। ତେଣୁ ତାଙ୍କୁ ଅଲଚିକି ଲିପିର ସ୍ରଷ୍ଟା ବା ଅଲଚିକି ଲିପିର ଜନକ କୁହାଯାଏ। ୧୯୨୮ ମସିହାରେ ପଣ୍ଡିତ ରଘୁନାଥ ମୁର୍ମୁ ପାଟନା ବିଶ୍ବବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିଥିଲେ। ୧୯୩୩ ମସିହାରେ ପଣ୍ଡିତ ବଡାମତଳିଆ ସ୍ଥିତ ଏକ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ହୋଇ ସେହିଠାରୁ  ସେ ଅଲଚିକି ଲିପିରେ ପାଠ ପଢାଇବା ଆରମ୍ଭ କରିଥିଲେ। ୨୦୦୩ ମସିହାରେ ଭାରତ ସରକାର ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୂଚ୍ଛେଦରେ  ସାମିଲ୍ କରିଥିଲେ। ସାନ୍ତାଳୀ ଜନ ଜୀବନରେ ଉନ୍ନତି ଆଣିବା ପାଇଁ ଓଡିଶା, ଝାଡଖଣ୍ଡ, ବିହାର,ପଶ୍ଚିମବଙ୍ଗର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ତେଣୁ ସେଠାକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡ଼ିକରେ ଥିବା ସ୍କୁଲରେ ସାନ୍ତାଳୀ ଭାଷାରେ ପାଠପଢ଼ା ହୋଇ ପାରୁଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲା ଜାମବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ଶିଦାବାଦଠାରେ କଲ୍ୟାଣୀ ବିଶ୍ଵବିଦ୍ୟାଳୟ ଅଧୀନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଛି। ଓଡିଶା ସରକାର ମଧ୍ୟ ବାରିପଦାସ୍ଥିତ ମେଡିକାଲ କଲେଜକୁ ତାଙ୍କ ନାଁରେ ନାମିତ କରିଛନ୍ତି। ସାନ୍ତାଳୀ ସମାଜର ଉନ୍ନତି ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ତାଙ୍କ ସାରା ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ତେଣୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଗୁରୁ ଗୋମକେ ବୋଲି ସମ୍ବୋଧନ କରନ୍ତି। ୧୯୮୨ ମସିହା ମାଘ ସପ୍ତମୀରେ ତାଙ୍କର ତିରୋଧାନ ହୋଇଥିଲା।ପରେ ୧୯୮୩ ମସିହା ପାଖରୁ ତାଙ୍କ ଶ୍ରାଦ୍ଧ ଦିବସକୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ‘ଗୁରୁ ଦର୍ଶନ ଦିବସ’ ଭାବରେ ପାଳନ କରି ଆସୁଛନ୍ତି । ଉକ୍ତ ଗୁରୁ ଦର୍ଶନ ଦିବସରେ ଭାରତର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ତାଙ୍କ ସ୍ମୃତିଚାରଣ ଓ ଆଶିର୍ବାଦ ନିମନ୍ତେ। ସାନ୍ତାଳୀ ସମାଜ ପାଇଁ ତାଙ୍କ ଅତୁଳନୀୟ ଅବଦାନ ଓ ତ୍ୟାଗକୁ ସବୁଦିନ ମନେ ରଖିଥିବ ସାନ୍ତାଳୀ ସମ୍ପ୍ରଦାୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.