Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

3 hours ago 4
ARTICLE AD BOX

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସରକାରୀ ବ୍ୟବସ୍ଥାର ଏକ ସାଂଘାତିକ ତ୍ରୁଟିଗଜପତି ଜିଲ୍ଲାରେ ପଦାକୁ ଆସିଛି। ଜଣେ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ରେକର୍ଡରେ 'ମୃତ' ବୋଲି ଦର୍ଶାଯିବାରୁ ତାଙ୍କ ଆଧାର ପରିଚୟ ନିଷ୍କ୍ରିୟ ହୋଇଯାଇଛି। ଫଳରେ ସେ ରେସନ ସମେତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇପଡ଼ିଛନ୍ତି। ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ପରେ ମଧ୍ୟ ସମାଧାନ ନ ହେବାରୁ ଶେଷରେ ସେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ନ୍ୟାୟ ଭିକ୍ଷା କରିଛନ୍ତି। 

ଆର୍‌.ଉଦୟଗିରି ବ୍ଲକ ରଣାଲଇ ଗ୍ରାମର ଜିଖରିୟ ପାଳଙ୍କ କହିବା ଅନୁସାରେ ତାଙ୍କ ପାଖରେ ବୈଧ ଆଧାର କାର୍ଡ ରହିଥିଲେ ମଧ୍ୟ ଅନଲାଇନ୍‌ ଯାଞ୍ଚ ସମୟରେ ତାଙ୍କୁ ମୃତ ବ୍ୟକ୍ତି ଭାବେ ଦର୍ଶାଯାଇଛି। ଏହାପରେ ଆଧାର ସେବା ବନ୍ଦ ହୋଇଯିବା ସହ ରେସନ ମିଳିବା ବନ୍ଦ ହୋଇଛି। ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ମଧ୍ୟ ସେ ପାଉନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସମସ୍ୟା ସମାଧାନ ପାଇଁ ବହୁବାର ସମ୍ପୃକ୍ତ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ। ଫଳରେ ସୋମବାର ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀରେ ପହଞ୍ଚି ସରକାରୀ ରେକର୍ଡରେ ହୋଇଥିବା ତ୍ରୁଟି ସଂଶୋଧନ, ଆଧାରକୁ ପୁନଃ ସକ୍ରିୟ କରିବା ଏବଂ ବନ୍ଦ ହୋଇଥିବା ରେସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ତୁରନ୍ତ ପୁନଃ ଚାଲୁ କରିବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ, ଅଭିଯୋଗ ଗ୍ରହଣ କରାଯାଇଛି। ସମ୍ପୃକ୍ତ ବିଭାଗ ମାଧ୍ୟମରେ ତଦନ୍ତ କରାଯିବ। 

ସ୍ୱାସ୍ଥ୍ୟ ସେବା‌ରେ ସାଂଘାତିକ ତ୍ରୁଟି: ଅସ୍ତ୍ରୋପଚାର ପରେ ତଳେ ଗଡ଼ାଇଦେଲେ

ସରକାରୀ ରେକର୍ଡରେ ତ୍ରୁଟି ଥିବା ପ୍ରମାଣିତ ହେଲେ ତୁରନ୍ତ ସଂଶୋଧନ କରାଯିବ ଏବଂ ହିତାଧିକାରୀଙ୍କୁ ପୁନର୍ବାର ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯିବ। ତେବେ ଜଣେ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଇବା ଭଳି ଘଟଣା କେବଳ ପ୍ରଶାସନିକ ଅବହେଳା ନୁହେଁ, ବରଂ ସରକାରୀ ତଥ୍ୟ ପରିଚାଳନା ବ୍ୟବସ୍ଥାର ଗୁରୁତର ତ୍ରୁଟିକୁ ସାମ୍ନାକୁ ଆଣିଛି। ପ୍ରଶ୍ନ ଉଠୁଛି ଏହି ଭୁଲ କେଉଁ ସ୍ତରରେ ହେଲା? କାହା ଅବହେଳା ପାଇଁ ଜଣେ ଜୀବିତ ମଣିଷ ସରକାରୀ କାଗଜପତ୍ରରେ 'ମୃତ' ହୋଇଗଲେ? ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?  ଏହି ପ୍ରଶ୍ନ ଏବେ ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.