ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସଙ୍ଗୀତ (ଜନ ଗଣ ମନ) ଏବଂ ଜାତୀୟ ଗୀତ (ବନ୍ଦେ ମାତରମ୍) ଗାନ ତଥା ଏହାର ପରିବେଷଣକୁ ନେଇ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏକ ସ୍ପଷ୍ଟ ପ୍ରୋଟୋକଲ୍ ଧାର୍ଯ୍ୟ କରାଯାଇଛି। ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପ୍ରଶାସକ ଏବଂ କେନ୍ଦ୍ରୀୟ ସଚିବମାନଙ୍କୁ ଚିଠି ଲେଖି ଏହି ସୂଚନା ଦେଇଛି। ନୂଆ ନିୟମ ଅନୁଯାୟୀ, ଯେଉଁ ସରକାରୀ କାର୍ଯ୍ୟକ୍ରମରେ ଉଭୟ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ପରିବେଷଣ କରାଯିବ, ସେଠାରେ ‘ବନ୍ଦେ ମାତରମ୍’ ପ୍ରଥମେ ଗାନ କରାଯିବ ଏବଂ ଏହା ପରେ ଯାଇ ଜାତୀୟ ସଙ୍ଗୀତ ଗାନ କରାଯିବ।
ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛି ଯେ, ଯେଉଁ ରାଜ୍ୟଗୁଡ଼ିକରେ ନିଜସ୍ୱ ‘ରାଜ୍ୟ ସଙ୍ଗୀତ’ ରହିଛି, ସେଠାରେ ମଧ୍ୟ ଏହି ନିୟମ ଲାଗୁ ହେବ। ଯଦି କୌଣସି କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ସହିତ ଜାତୀୟ ଗୀତ ଏବଂ ଜାତୀୟ ସଙ୍ଗୀତ ପରିବେଷଣ କରାଯାଏ, ତେବେ ପ୍ରଥମେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ତା’ପରେ ‘ଜନ ଗଣ ମନ’ ଗାନ କରାଯିବ। ଏହି ଦୁଇ ଜାତୀୟ ପ୍ରତୀକ ସମ୍ମୁଖରେ ରାଜ୍ୟ ସଙ୍ଗୀତର କ୍ରମକୁ ନେଇ ଥିବା ଦ୍ୱନ୍ଦ୍ୱକୁ ଏହି ନିର୍ଦ୍ଦେଶନାମା ଦ୍ୱାରା ଦୂର କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ପରିବେଷଣ ସମୟରେ ଏହାର ସଠିକ୍ ସ୍କ୍ରିପ୍ଟ, ଶବ୍ଦାବଳୀ, ସ୍ୱର ଏବଂ ଶୁଦ୍ଧ ଉଚ୍ଚାରଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଏଥିରେ କୌଣସି ପ୍ରକାରର ତ୍ରୁଟି ଗ୍ରହଣୀୟ ନୁହେଁ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ଆଦେଶରେ ଏକ ବିସ୍ତୃତ ତାଲିକା ସଂଲଗ୍ନ କରାଯାଇଛି, ଯେଉଁଥିରେ କେଉଁ କେଉଁ ବିଶେଷ ସମାରୋହରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନ କରାଯିବା ବାଧ୍ୟତାମୂଳକ ଏବଂ କେଉଁଠି ଏହା ଇଚ୍ଛାଧୀନ, ସେ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି। ବିଶେଷ କରି ସରକାରୀ କାର୍ଯ୍ୟକ୍ରମର ଆରମ୍ଭ ଏବଂ ଶେଷ ସମୟରେ ଏ ବାବଦ ନିୟମ ନିର୍ଦ୍ଧାରଣ କରାଯାଇଛି। ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ନିଜ ନିଜ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକୁ ଏହି ନିୟମ ପାଳନ ପାଇଁ ତୁରନ୍ତ ସରକାରୀ ନିର୍ଦ୍ଦେଶନାମା ଜାରି କରିବାକୁ ଗୃହ ମନ୍ତ୍ରାଳୟ କହିଛି।
ଆମ ଦେଶ ଭାରତର ଜାତୀୟ ଗୀତି ‘ବନ୍ଦେ ମାତରମ୍’ର ଭାବାର୍ଥ କ’ଣ ଜାଣନ୍ତି?

1 hour ago
1


