ARTICLE AD BOX
ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇଣ୍ଡୋନେସିଆର ଜାକର୍ତ୍ତାରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ବିଶେଷ ଭାବେ ଉଲ୍ଲେଖ କରିଥିଲେ। ମୋଦୀ କହିଥିଲେ, ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ କେବଳ କୂଟନୈତିକ କିମ୍ବା ବାଣିଜ୍ୟିକ ନୁହେଁ, ବରଂ ଏହା ଇତିହାସ, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମ ଓ ପରସ୍ପର ବିଶ୍ୱାସ ଉପରେ ଆଧାରିତ।
ମୋଦୀ କହିଥିଲେ, ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ବିଜୁ ପଟ୍ଟନାୟକ ନିଜ ଜୀବନକୁ ବାଜି ଲଗାଇ ସେହି ଦେଶର ନେତାମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସହଯୋଗ କରିଥିଲେ। ସେହି ସାହସିକ କାର୍ଯ୍ୟ ଯୋଗୁଁ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆରେ ଆଜି ମଧ୍ୟ ସମ୍ମାନର ସହ ସ୍ମରଣୀୟ। ଇଣ୍ଡୋନେସିଆ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଅନ୍ୟତମ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରିଥିଲେ ବୋଲି ମୋଦୀ କହିଥିଲେ।
Narendra Modi: ଓଡ଼ିଶାର ବିକାଶ ହେଲେ ଭାରତ ବିକଶିତ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମୁଦ୍ର ବାଣିଜ୍ୟ, ସଂସ୍କୃତି ଓ ସଭ୍ୟତାର ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା। ରାମାୟଣ ଓ ମହାଭାରତ ଭଳି ଭାରତୀୟ ମହାକାବ୍ୟର ପ୍ରଭାବ ଇଣ୍ଡୋନେସିଆର ସଂସ୍କୃତି, କଳା ଓ ପରମ୍ପରାରେ ଆଜି ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳେ। ଏହି ଐତିହାସିକ ସମ୍ପର୍କ ଆଧୁନିକ ସମୟରେ ଆହୁରି ଦୃଢ଼ ହୋଇଛି ଏବଂ ଦୁଇ ଦେଶ ଅର୍ଥନୀତି, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ବିନିଯୋଗ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଉଛନ୍ତି।
ମୋଦୀ ଭାରତୀୟ ସମୁଦାୟର ଭୂମିକାର ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ, ବିଦେଶରେ ବସବାସ କରୁଥିବା ଭାରତୀୟମାନେ ଭାରତର ସଂସ୍କୃତି, ମୂଲ୍ୟବୋଧ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ସେମାନେ ଉଭୟ ଦେଶ ମଧ୍ୟରେ ଏକ ସେତୁ ଭଳି କାମ କରୁଛନ୍ତି ଏବଂ ପରସ୍ପର ସହଯୋଗକୁ ଆହୁରି ସୁଦୃଢ଼ କରୁଛନ୍ତି।
ସେ କହିଥିଲେ, ଭାରତ ଓ ଇଣ୍ଡୋନେସିଆ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବିଜୁ ପଟ୍ଟନାୟକଙ୍କ ସାହସ ଓ ଦୂରଦୃଷ୍ଟି ଭାରତ-ଇଣ୍ଡୋନେସିଆ ବନ୍ଧୁତ୍ୱର ଏକ ଅମୂଲ୍ୟ ଅଧ୍ୟାୟ ହୋଇ ରହିଛି ଏବଂ ଆଜି ମଧ୍ୟ ଉଭୟ ଦେଶର ସମ୍ପର୍କକୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

2 hours ago
1


