ARTICLE AD BOX
ନୂଆଦିଲ୍ଲୀ: ଓକିଲ ଭାବେ ହାଇଦ୍ରାବାଦସ୍ଥିତ ନାଲସାର୍ ବିଶ୍ବବିଦ୍ୟାଳୟର ୨୦୨୬ ବ୍ୟାଚ୍ର ଆଇନ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକି ଦେଇଛି ଭାରତୀୟ ବାର୍ କାଉନସିଲ୍ (ବିସିଆଇ)। ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନ ଅତିଥି ଭାବେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନିମନ୍ତ୍ରଣକୁ ନେଇ କିଛି ଛାତ୍ରଛାତ୍ରୀଙ୍କ ବିରୋଧ ପରେ ବିସିଆଇ ଏହି ପଦକ୍ଷେପ ନେଇଛି। ଗୁରୁବାର ଜାରି ନିର୍ଦ୍ଦେଶରେ ବିସିଆଇ କହିଛି ଯେ ୨୦୨୬ରେ ନାଲସାର୍ରୁ ଆଇନ ଡିଗ୍ରି ହାସଲ କରିଥିବା କୌଣସି ଛାତ୍ରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ରାଜ୍ୟ ବାର୍ କାଉନସିଲ୍ରେ ଓକିଲ ଭାବେ ପଞ୍ଜୀକରଣ କରାଯିବ ନାହିଁ।
ବିସିଆଇ ନାଲସାର୍ର କୁଳପତିଙ୍କଠାରୁ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛି। ବିସିଆଇ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଆଇନଜୀବୀ ଭି.ପି. ଶର୍ମା କହିଛନ୍ତି ଯେ କମିଟିର ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟର ତଦନ୍ତରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୌଣସି ଶୃଙ୍ଖଳାଭଙ୍ଗ ହୋଇନଥିବା ଜଣାପଡ଼ିଲେ ପଞ୍ଜୀକରଣ ଆଗକୁ ବଢ଼ିପାରେ ବୋଲି ସେ କହିଛନ୍ତି। ଏହି ବିବାଦର ମୂଳରେ ରହିଛି ୨୦୨୬ ବ୍ୟାଚ୍ର ୪୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧିପତ୍ର। ସେମାନେ ନାଲସାର୍ର କୁଳପତି, ରେଜିଷ୍ଟ୍ରାର ଓ ଅଧ୍ୟାପକମାନଙ୍କୁ ପତ୍ର ଦେଇ ସୂର୍ଯ୍ୟକାନ୍ତଙ୍କୁ ସମାବର୍ତ୍ତନର ପ୍ରଧାନ ଅତିଥି କରିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ସମାବର୍ତ୍ତନର ତାରିଖ ଓ ପ୍ରଧାନ ଅତିଥିଙ୍କ ନାମ ସେତେବେଳେ ଔପଚାରିକ ଭାବେ ଚୂଡ଼ାନ୍ତ ହୋଇନଥିଲା।
ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ, ବିଚାର ପ୍ରକ୍ରିୟା ନେଇ ଅବଗତ ହେଲେ
ଛାତ୍ରଛାତ୍ରୀମାନେ ୨୦ ଜୁଲାଇ ୨୦୨୬ରେ ଦିଲ୍ଲୀର ଯନ୍ତରମନ୍ତରରେ ସଂସଦ ଅଭିମୁଖେ ହୋଇଥିବା ପଦଯାତ୍ରା ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ସୁପ୍ରିମ୍କୋର୍ଟ ଶୁଣାଣିକୁ ନେଇ ଆପତ୍ତି ଉଠାଇଥିଲେ। ୨୩ ଜୁଲାଇର ଶୁଣାଣିରେ ପୁଲିସର କଥିତ ଅତ୍ୟାଚାର ସମ୍ପର୍କିତ ଭିଡିଓ ଦେଖିବାକୁ ଅନୁରୋଧ କରାଯିବା ପରେ ସିଜେଆଇ ସୂର୍ଯ୍ୟକାନ୍ତ ଏହା ଦେଖିବା ପାଇଁ ସମୟ ନାହିଁ ବୋଲି କହିଥିବା ଛାତ୍ରମାନେ ଦାବି କରିଛନ୍ତି। ଏହାଛଡ଼ା ଏହି ପ୍ରତିବାଦ ସମ୍ପର୍କରେ ସିଜେଆଇଙ୍କ କିଛି ମନ୍ତବ୍ୟକୁ ନେଇ ମଧ୍ୟ ସେମାନେ ଆପତ୍ତି ଜଣାଇଛନ୍ତି। ଏହି ବିବାଦ ପରେ ବର୍ତ୍ତମାନ ୨୦୨୬ ବ୍ୟାଚ୍ର ଓକିଲ ପଞ୍ଜୀକରଣ ଅଟକିଛି।

3 hours ago
1


